ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ପାଇଁ ସୁସ୍ଥ ପରିବେଶ ଆବଶ୍ୟକ । ପରିବେଶ ସୁସ୍ଥ ରହିଲେ ଶିଶୁମାନେ ହିଂସା କିମ୍ବା ଯୌନ ଶୋଷଣର ଶିକାର ହେବେନାହିଁ । ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସାକୁ ରୋକିବାପାଇଁ ଏଠାରେ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍ ଫର ଏନଣ୍ଡିଂ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭିଏସି) ଇଣ୍ଡିଆ, ସ୍ୱେଚ୍ଛାସେବୀ ସଂଗଠନ ପିକକ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଡବ୍ଲ୍ୟୁଭିଆଇ ଓ ବିଏମ୍ଜେଡ୍ର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସିଭିଲ୍ ସୋସାଇଟି ସଂଗଠନ ଏବଂ ହିତାଧିକାରୀଙ୍କ କର୍ମଶାଳାରେ ଏଭଳି ମତପ୍ରକାଶ ପାଇଛି ।
ଏନ୍ଏସିଜି-ଇଭିଏସି ଇଣ୍ଡିଆର ରାଜ୍ୟ ସଂଯୋଜକ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ଏନ୍ଏସିଜି-ଇଭିଏସିର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତି ମୁଖ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ସେ ଏନ୍ଏସିଜି ଇଣ୍ଡିଆର ଲକ୍ଷ୍ୟ ଏବଂ ଶିଶୁମାନଙ୍କ ପ୍ରତି ହିଂସାକୁ ବିଲୋପ କରିବା ପାଇଁ ସାଉଥ ଏସିଆନ ଇନିସିଏଟିଭ ଟୁ ଏଣ୍ଡ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ସାଇଭାକ) ସହିତ ଏହାର ସହଯୋଗ ବିଷୟରେ ସୂଚନା ଦେଇଥିଲେ । ପିଲାମାନଙ୍କର ନିରାପତ୍ତା ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦିଗରେ ପିତାମାତା ଏବଂ ବ୍ୟକ୍ତିମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରମତୀ ସଂଧ୍ୟାବତୀ ପ୍ରଧାନ ଶିଶୁ ଯୌନ ହିଂସ।।ର ବିଲୋପ ଓ ଆଇନର କାର୍ଯ୍ୟକାରିତା ଉପରେ ମତ ରଖିଥିଲେ । ସେ ମଧ୍ୟ ନଭେମ୍ବର ୧ ରୁ ଆରମ୍ଭ ହୋଇ ୧୦ ଡିସେମ୍ବରରେ ଶେଷ ହେବାକୁ ଥିବା ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଉପରେ ଆଲୋକପାତ କରିଥିଲେ ଏବଂ ବ୍ୟାପକ ସଚେତନତା ଅଭିଯାନ ମାଧ୍ୟମରେ ଏହାକୁ ସମର୍ଥନ କରିବାକୁ ସମସ୍ତ ସିଏସ୍ଓ ମାନଙ୍କୁ ନିବେଦନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଏସ୍ସିପିସିଆର ସଦସ୍ୟ ସୁଶ୍ରୀ ଦିବ୍ୟା ଶାଶ୍ୱତୀ, ପୂର୍ବତନ ସଦସ୍ୟ ଶ୍ରୀ ହରିହର ନାୟକ, ଆଇନ୍ଜୀବୀ ଶ୍ରୀମତୀ ବିଶେଶ୍ୱରୀ ମହାନ୍ତି, ଓଏସ୍ସିପିସିଆରର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓଏସ୍ସିପିଏସ୍ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପ୍ରୀତିକାନ୍ତ ପଣ୍ଡା, ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ପ୍ରମୁଖ ପକ୍ସୋ ଆଇନ ଏବଂ କିଶୋର ସୁରକ୍ଷା ଓ ଯତ୍ନ ଆଇନ, ଅନଲାଇନ୍ ନିରାପତ୍ତା, ସିଏସ୍ଓଙ୍କ ଭୂମିକା, ଶିଶୁ ଅନୁକୂଳ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସିଏସ୍ଓ ଅଂଶଗ୍ରହଣ କରିଥିଲେ ଏବଂ ଶିଶୁ ଯୌନ ହିଂସାକୁ କିପରି ଦୂର କରାଯାଇପାରିବ ସେ ସମ୍ବନ୍ଧରେ ବିଭିନ୍ନ ଦିଗ ଉପରେ ପରାମର୍ଶ ଓ ବିଚାର ଆଲୋଚନା କରାଯାଇଥିଲା । ଡବ୍ଲ୍ୟୁଭିଆଇର ବୀରେନ କୁମାର ଦିଗଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକ୍ର ଧର୍ମାନନ୍ଦ ସୁନ୍ଦରରାୟ, ସତ୍ୟଜିତ ମହାପାତ୍ର ଓ ସତ୍ୟସୁନ୍ଦର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।