Home Education ପ୍ରଶିକ୍ଷଣ ପାଇଁ ୧୧୪ ଜଣ ଶିକ୍ଷକଙ୍କ ବେଙ୍ଗାଲୁରୁ ଗସ୍ତ

ପ୍ରଶିକ୍ଷଣ ପାଇଁ ୧୧୪ ଜଣ ଶିକ୍ଷକଙ୍କ ବେଙ୍ଗାଲୁରୁ ଗସ୍ତ

ଭୁବନେଶ୍ୱର : ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୧୪ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି । ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ଚିତ୍ରଦୁର୍ଗଠାରେ ଥିବା ପ୍ରତିଭା ବିକାଶ କେନ୍ଦ୍ରରେ ଏହି ଶିକ୍ଷକମାନେ ଚଳିତ ମାସ ୮ ତାରିଖରୁ ଆରମ୍ଭ ହେଉଥିବା ୧୦ ଦିନିଆ ପ୍ରଶିକ୍ଷଣରେ ଯୋଗଦେବେ ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନୋନୀତ ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି । ଏପରି ପ୍ରଶିକ୍ଷଣଜନିତ ଉପଲବ୍ଧି ସେମାନଙ୍କୁ ଅଧିକ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ସାମିଲ ହୋଇଛନ୍ତି । ପ୍ରଶିକ୍ଷଣ ପରେ ବିଜ୍ଞାନ ଓ ଗଣିତ ଶିକ୍ଷକମାନେ ନୂତନ ଧାରାରେ ଶ୍ରେଣୀ ପରିଚାଳନା କରିବାର ଦକ୍ଷତା ହାସଲ କରିବା ସହିତ ଶ୍ରେଣୀ ପାଠ୍ୟଦାନରେ ପରୀକ୍ଷା, ସିଦ୍ଧାନ୍ତ ଓ ତତ୍ତ୍ୱର ପ୍ରୟୋଗ କରିପାରିବେ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟୟ ବିଜ୍ଞାନ ଓ କାରିଗରୀ ବିଭାଗ ବହନ କରିବ ।

ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଅନୁରୂପ ଭାବରେ ଶୁଭେଚ୍ଛା ଜଣାଇବା ସହିତ ଶିକ୍ଷକମାନଙ୍କ ପାଇଁ ଏପରି ପ୍ରଶିକ୍ଷଣ ଅଧିକ ଫଳପ୍ରଦ ଓ ଅର୍ଥପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ଗତବର୍ଷ ଭାରତୀୟ ବିଜ୍ଞାନ ସଂସ୍ଥାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରର ପ୍ରତିନିଧିମଣ୍ଡଳୀ ଓଡ଼ିଶା ଆସି ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହିତ ଏପରି ପ୍ରଶିକ୍ଷଣ ନିମନ୍ତେ ଗୁରୁତ୍ୱ ପ୍ରଦାନକରିଥିଲେ । ପ୍ରତିନିଧି ମଣ୍ଡଳୀର ସମ୍ମତି ଅନୁସାରେ ଗଣିତ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।