Home News in Odia ଫିକା ପଡିବ ନୂଆବର୍ଷ

ଫିକା ପଡିବ ନୂଆବର୍ଷ

ଭୁବନେଶ୍ୱର : ସଂଶୋଧିତ କରୋନା ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଖୋଲିବା ସଙ୍ଗେ ସଙ୍ଗେ କ୍ରମଶଃ ବିମାନ, ରେଳ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ସ୍ୱାଭାବିକତା ଫେରୁଥିଲେ ମଧ୍ୟ ଆଗାମୀ ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଜନସମାଗମ କମ୍‍ ରହିବ । ବିଶେଷ କରି ବିଦେଶରୁ ବିମାନ ଚଳାଚଳ ଉପରେ କଟକଣା ଥିବା ଏବଂ କରୋନା ସଂକ୍ରମିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଥିବା ଯୋଗୁ ବଡ଼ଦିନ ଓ ନୂଆବର୍ଷ ମନେଇବା ପାଇଁ ଏଥର ପ୍ରାୟତଃ ବିଦେଶୀ ପର୍ଯ୍ୟଟକ ଆସିବେ ନାହିଁ ।

ନଭେମ୍ବରରୁ ଓଡ଼ିଶାର ଚିଲିକା, ପୁରୀ, ଗୋପାଳପୁର, ଭିତରକନିକା, ଦାରିଙ୍ଗବାଡ଼ି, ଗୁପ୍ତେଶ୍ୱର ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଜନସମାଗମ ବଢ଼ିବାକୁ ଲାଗିଥାଏ । ଏବର୍ଷ କିନ୍ତୁ କରୋନା ମାଡ଼ରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଏକପ୍ରକାର ଶୂନଶାନ୍‍ ହୋଇ ପଡ଼ିଛି । ହୋଟେଲ ଓ ଟ୍ରାଭେଲ୍‍ ସଂସ୍ଥାଗୁଡ଼ିକର ବେପାର ବି ଅତି ମାନ୍ଦାବସ୍ଥାରେ ଅଛି ।

ଶୀତ ବଢ଼ିବା ସହ ଏବେ ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ଆଦିକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏତେବେଳକୁ ଏହିସବୁ ସ୍ଥାନରେ ଡଙ୍ଗା ଚାଳକମାନଙ୍କୁ ଫୁରସତ୍‍ ନ ଥାନ୍ତା । କିନ୍ତୁ କରୋନାର ପ୍ରଭାବରେ ବିଶେଷ ପର୍ଯ୍ୟଟକ ଆସୁନଥିବାରୁ ମରାଳମାଳିନୀ ନୀଳାମ୍ଭୁ ଚିଲିକାରେ ପର୍ଯ୍ୟଟକ ପାଇଁ ଯାନ୍ତ୍ରିକ ଡଙ୍ଗାଗୁଡ଼ିକର ଆତଯାତ ପ୍ରାୟ ନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ହାତ ବାନ୍ଧି ବସିଛନ୍ତି ।

ସେହିପରି ବ୍ଲୁ ଫ୍ଲାଗ୍‍ ମାନ୍ୟତା ପାଇଥିବା ପୁରୀ ବେଳାଭୂମିକୁ ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ଯେତେ ପର୍ଯ୍ୟଟକ ଆସିଥିଲେ ଏ ବର୍ଷ କିନ୍ତୁ ତାହାର ଏକଦଶମାଂଶ ବି ଦେଖା ଯାଉନାହାନ୍ତି । ଯେତିକି ବି ଆସୁଛନ୍ତି ସେମାନେ ପ୍ରାୟତଃ ରାଜ୍ୟ ଭିତରର ଏବଂ ଖୁବ୍‍ କ୍ୱଚିତ ଅନ୍ୟ ରାଜ୍ୟର ପର୍ଯ୍ୟଟକ । ପୁରୀ ଚିଲିକା ସମେତ ରାଜ୍ୟର କୌଣସି ପର୍ଯ୍ୟଟନସ୍ଥଳୀରେ ପ୍ରାୟତଃ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁ ।

ବଡ଼ଦିନ ନୂଆବର୍ଷ ଆଦି ପାଳିବା ପାଇଁ ନାମୀଦାମୀ ହୋଟେଲ, କ୍ଲବ୍‍ ଆଦିରେ ବ୍ୟାପକ ପ୍ରସ୍ତୁତି ହୋଇଥାଏ । କିନ୍ତୁ ଏଥର କରୋନା ଭୟରେ ଏହି ପାର୍ଟି ସହୁ ଏକପ୍ରକାର ମଳିନ ପଡ଼ିବାକୁ ଯାଉଛି । ଏବେ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ହେଉଥିବା ବିବାହ ଭୋଜି ହୋଟେଲମାନଙ୍କ ଭରସା ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାକୁ ବାର୍ଷିକ ପ୍ରାୟ ଦେଢ଼କୋଟି ପର୍ଯ୍ୟଟକ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ଲକ୍ଷାଧିକ ବିଦେଶୀ ପର୍ଯ୍ୟଟକ ଥାଆନ୍ତି । ଏହାଛଡ଼ା ଅନ୍ୟ ରାଜ୍ୟରୁ ପ୍ରତିବର୍ଷ ଓଡ଼ିଶାକୁ ପାଖାପାଖି ୬୦ ଲକ୍ଷ ପର୍ଯ୍ୟଟକ ଆସୁଥିବା ବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ଭିତରର ୮୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ବୁଲି ଯାଇଥାନ୍ତି । ଏ ବର୍ଷ କିନ୍ତୁ ଦେଢ଼ କୋଟି ତ ଦୂରର କଥା ବର୍ଷ ଭିତରେ ୪୦ ଲକ୍ଷ ପର୍ଯ୍ୟଟକ ବି ଓଡ଼ିଶାରେ ହେବେ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ଘରୋଇ ଉତ୍ପାଦର ୧୨ ପ୍ରତିଶତରୁ ଅଧିକ ପର୍ଯ୍ୟଟନ ଶିଳ୍ପରୁ ଆସୁଥିବା ବେଳେ ଏ ବର୍ଷ ତାହା ୨ ପ୍ରତିଶତ ହେବ କି ନାହିଁ ସେଥିଘେନି ଅର୍ଥନୀତି ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରୁଛନ୍ତି ।