ଭୁବନେଶ୍ୱର : ଠିକଣା ସମୟରେ ନିର୍ବାଚନ ହେଉନଥିବାରୁ ଦୀର୍ଘବର୍ଷ ଧରି ରାଜ୍ୟର ସଂଖ୍ୟାଧିକ ସମବାୟ ସଂସ୍ଥାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ସମବାୟ ସମିତିର ସମ୍ପାଦକ କିମ୍ବା ସରକାରଙ୍କ ଦ୍ୱାରା ମନୋନିତ ପ୍ରଶାସକମାନଙ୍କୁ ନେଇ ଏବେ ସମବାୟ ବ୍ୟବସ୍ଥା ଚାଲୁଛି । ତୁରନ୍ତ ସମବାୟ ସମିତିଗୁଡିକର ନିର୍ବାଚନ କରି ଏଗୁଡିକୁ କାର୍ଯ୍ୟକ୍ଷମ କରିବାଲାଗି ସମବାୟବିତ୍ମାନେ ମତ ପ୍ରକାଶ କରୁଛନ୍ତି ।
ସମବାୟ ସଂସ୍ଥାର ଏକ ଶୀର୍ଷ ସମିତି ହେଉଛି ରାଜ୍ୟ ସମବାୟ ୟୁନିଅନ । ଦୀର୍ଘବର୍ଷ ଧରି ଏହି ୟୁନିଅନର ନିର୍ବାଚିତ କର୍ମକର୍ତ୍ତା ନାହାନ୍ତି । ମୋଟାମୋଟି ଭାବେ ଅଫିସରମାନଙ୍କ ଉପରେ ଏହି ୟୁନିଅନ ଚଳାଇବାର ଭାର ପଡିଛି । ଫଳରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଓଡିଶା ରାଜ୍ୟ ସମବାୟ ୟୁନିଅନ ଗଠନ କରାଯାଇଥିଲା ତାହା ସାଧିତ ହୋଇପାରୁ ନାହିଁ ଏବଂ ସମବାୟ ଆନ୍ଦୋଳନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ବୁଣାକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।
ସେହିଭଳି ଆଉ ଏକ ଶୀର୍ଷ ସମବାୟ ସଂସ୍ଥା ହେଉଛି ରାଜ୍ୟ ସମବାୟ ବ୍ୟାଙ୍କ୍ । ଏହା ସହିତ ବିଭିନ୍ନ ଜିଲ୍ଲାରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ୍ଗୁଡିକ ଅନୁବନ୍ଧିତ । କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧିନରେ ଗ୍ରାମାଞ୍ଚଳରେ ଅନେକ ସମବାୟ ସମିତି ଥାଏ । ଏବେ ରାଜ୍ୟ ସମବାୟ ବ୍ୟାଙ୍କ୍ ଓ କେନ୍ଦ୍ର ସମବାୟବ୍ୟାଙ୍କ ଗୁଡିକରେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ଏଗୁଡିକୁ ଅଫିସରମାନେ ପ୍ରଶାସକ ଭାବେ ଚଳାଉଛନ୍ତି । ଏହା ଅଧିନରେ ଥିବା ସମବାୟ ସମିତିଗୁଡିକ ବସ୍ତୁତଃ ତାହାର ସମ୍ପାଦକମାନଙ୍କ ପକେଟରେ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ବ୍ୟବସାୟିକ ଓ ଘରୋଇ ବ୍ୟାଙ୍କ୍ମାନେ ଯେତେ କୃଷିଋଣ ଦିଅନ୍ତି ତାହା ଅପେକ୍ଷା ସମବାୟ ବ୍ୟାଙ୍କ୍ ଆନୁପାତିକ ହାରରେ ଢେର ଅଧିକ କୃଷି ଋଣ ଦେଇଥାଏ । ମୋଟାମୋଟି ଭାବେ ପ୍ରାଥମିକ କୃଷି ସମବାୟ ସମିତି ଠାରୁ ଆରମ୍ଭ କରି ଲ୍ୟାମ୍ପସ୍ ପର୍ଯ୍ୟନ୍ତ ବିଭିନ୍ନ ସମବାୟ ସଂସ୍ଥାରେ ବର୍ଷ ବର୍ଷ ଧରି ନିର୍ବାଚନ ହୋଇନାହିଁ । କୃଷି ଋଣ ଜାଲିଆତି ବଢିବାର ଏହା ପ୍ରମୁକ କାରଣ ବୋଲି କୁହାଯାଉଛି ।
ସେହିଭଳି ଓଡିଶା ରାଜ୍ୟ ସମବାୟ ବାଣିଜ୍ୟିକ ମହାସଂଘ ବା ମାର୍କଫେଡ୍ର ଅବସ୍ଥା । ମାର୍କଫେଡ୍ ଦୀର୍ଘ ବର୍ଷ ଧରି ବିନା ନିର୍ବାଚିତ ପ୍ରତିନିଧିରେ ଚାଲିବା ଫଳରେ ଅଧିକରୁ ଅଧିକ ଦୁର୍ବଳ ହେଉଛି । ଚାଷୀଙ୍କୁ ସାର ଯୋଗାଣ କ୍ଷେତ୍ରରେ ମାର୍କଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାଛଡା କୃଷି ଓ ଅନ୍ୟାନ୍ୟ ସାମଗ୍ରୀର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ମାର୍କଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ବାବୁ ରାଜ ଯୋଗୁଁ ମାର୍କଫେଡ୍ ବର୍ଷକୁ ବର୍ଷ ତଳକୁ ତଳକୁ ଯାଉଛି ।
ସେହିଭଳି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେଉଛି ଓଡିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ । ଏହି ଶୀର୍ଷ ସମବାୟ ସଂସ୍ଥାର ବି ନିର୍ବାଚିତ ପ୍ରତିନିଧି ନାହାନ୍ତି । ବ୍ୟାପକ ଦୁର୍ନୀତି, ପକ୍ଷପାତିତା ଯୋଗୁଁ ଏହି ସମବାୟ ସଂସ୍ଥାଟି ଡୁବି ଚାଲିଛି । ଗୃହ ନିର୍ମାର ଓ ଗୃହ ଯୋଗାଣ କ୍ଷେତ୍ରରେ ଏହି ସଂସ୍ଥା ଏକଦା ବେଶ୍ ପ୍ରଶଂସନୀୟ କାର୍ଯ୍ୟ କରୁଥିଲା । କିନ୍ତୁ ନିର୍ବାଚିତ ପ୍ରତିନିଧି ନଥିବାରୁ ତାହା ଅଫିସରମାନଙ୍କ ଦୟା ଅନୁଗ୍ରହରେ କେତେବେଳେ କେଉଁ ଦିଗରେ ଯାଇ ଡୁବୁଛି ତାହା କଳ୍ପନା କରିବା ମୁସ୍କିଲ ।
ଏବେ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର କସରତ ଚାଲିଥିବାବେଳେ ୨୦୨୪ରେ ସାଧାରଣ ନିର୍ବାଚନ ଅଛି । ତାହା ପୂର୍ବରୁ ଅନ୍ତତଃ ୨୦୨୨ ବର୍ଷରେ ରାଜ୍ୟରେ ପ୍ରାଥମିକରୁ ଶୀର୍ଷ ସମବାୟ ସମିତିଗୁଡିକର ନିର୍ବାଚନ ସାରିବାପାଇଁ ସମବାୟପ୍ରେମୀମାନେ ଦାବି କରୁଥିବାବେଳେ ରାଜନୈତିକ ଦଳମାନେ କିନ୍ତୁ ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ । (ତଥ୍ୟ)