Home News in Odia ଥାନା ମାଲଖ।ନାରେ ବର୍ଷ ବର୍ଷ ଧରି ସାମଗ୍ରୀ ପଡୁଛି

ଥାନା ମାଲଖ।ନାରେ ବର୍ଷ ବର୍ଷ ଧରି ସାମଗ୍ରୀ ପଡୁଛି

ଭୁବନେଶ୍ୱର : ବିଭିନ୍ନ ଅପରାଧିକ ମାମଲାରେ ପୁଲିସ୍‍ ଜବତ କରୁଥିବା ନିଶା ସାମଗ୍ରୀ, ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଏବଂ ମୋଟରଗାଡି ଆଦି ବର୍ଷ ବର୍ଷ ଧରି ସାଇତି ରଖିବା ଏବେ ଥାନାଗୁଡିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଶେଷକରି ଜବତ ବିସ୍ଫୋରକ ସାମଗ୍ରୀର ବିସ୍ଫୋରଣରେ ପୁରୀ ଜିଲ୍ଲାର ବଳଙ୍ଗା ଥାନା ଉଡିଯିବା ଘଟଣା ପରେ ଥାନା କର୍ତ୍ତୃପକ୍ଷମାନେ ଏଥିଘେନି ଚିନ୍ତାରେ ଅଛନ୍ତି ।

ଏବେ ପ୍ରାୟ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ, ମଦ, ବ୍ରାଉନସୁଗାର ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ ହେଉଛି । ସେହିଭଳି ବିଭିନ୍ନ ଅପରାଧିକ କାମରେ ବ୍ୟବହୃତ ଗାଡି ଏବଂ ଦୁର୍ଘଟଣା ସ୍ଥଳରୁଜବତ ଗାଡି ପ୍ରାୟତଃ ସବୁଥାନା ଫାଣ୍ଡିରେ ଗଦାହୋଇ ରହିଛି । ଏହାଛଡା ହିଂସାତ୍ମକ କାର୍ଯ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହେଉଛି । ପ୍ରତି ଥାନାରେ ଜବତ ସାମଗ୍ରୀ ରଖିବାପାଇଁ ସ୍ୱତନ୍ତ୍ର ମାଲଖାନା ଘର ଥିବାବେଳେ ଯାନବାହାନଗୁଡିକ କିନ୍ତୁ ଖରା ବର୍ଷାରେ ଖତ ଖାଉଛି । ଏହାଛଡା ଅପରାଧିକ ମାମଲାଗୁଡିକରେ ଜବତ ହେଉଥିବା ଅନ୍ୟ ସାମଗ୍ରୀ ସବୁ ରହିଛି ।

ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ଜବତ ସାମଗ୍ରୀଗୁଡିକୁ ପୁଲିସ୍‍ ନିଜ ହେପାଜତରେ ସଯତ୍ନେ ସାଇତି ରଖିବାପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥାନ୍ତି । ତଦନ୍ତକାରୀ ଅଫିସରଙ୍କ ଠାରୁ ଆରମ୍ଭକରି ମାଲଖାନା ଦାୟିତ୍ୱରେ ଥିବା ପୁଲିସ୍‍ କର୍ମଚାରୀ ଏବଂ ଥାନାର ଇନ୍ସପେକ୍ଟରମାନେ ସାଧାରଣତଃ ଜବତ ସାମଗ୍ରୀ ଲାଗି ଉତ୍ତରଦାୟୀ ରହିଥାନ୍ତି ।

ଓଡିଶାରେ ଏବେ ପ୍ରାୟ ୧୫ଲକ୍ଷ ମାମଲା ବିଚାରାଧିନ ଥିବାବେଳେ ସେଥିରୁ ପାଖାପାଖି ୧୨ଲକ୍ଷ ହେଉଛି ଫୌଜଦାରୀ ମାମଲା । ଏହି ମାମଲା ସବୁର ତଳ ଉପର କୋର୍ଟରେ ଚୂଡାନ୍ତ ଫଏସଲା ନହେବା ଏବଂ ଏଗୁଡିକୁ ନଷ୍ଟକରିବା କିମ୍ବା ଫେରାଇ ଦେବାପାଇଁ ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ପୁଲିସ୍‍ ଜବତ ସାମଗ୍ରୀଗୁଡିକୁ ନିଜ ହେପାଜତରେ ରଖିବାକୁ ବାଧ୍ୟ । ମାମଲା ପରିଚାଳନାବେଳେ ଏହି ଜବତ ସାମଗ୍ରୀ ଓ ତାହାର ତାଲିକାର ବିଶେଷ ଆବଶ୍ୟକତା ରହିଥାଏ । ଅଭିଯୁକ୍ତଙ୍କୁ ଦୋଷୀଭାବେ ପ୍ରମାଣିତ କରିବାରେ ଏହି ଜବତ ସାମଗ୍ରୀର ଗୁରୁତ୍ୱପୂର୍ଣ୍ଣ ଭୂମିକାଥାଏ ।

ଆମ ରାଜ୍ୟରେ ଯେତେ ଅପରାଧିକ ମାମଲା ବିଚାରାଧିନ ରହିଛି ସେଥିରୁ ୫ଲକ୍ଷରୁ ଅଧିକ ହେଉଛି ୫ରୁ ୩୦ବର୍ଷ କିମ୍ବା ତଦୁର୍ଦ୍ଧ ସମୟର ପୁରୁଣା । ଗୋଟିଏ ପଟେ ମାମଲା ଫଏସଲା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାବେଳେ ଅନ୍ୟ ପଟେ ମାଲଖାନାରେ ଓ ଥାନା ପରିସରରେ ଜବତ ସାମଗ୍ରୀ ରଖିବାଲାଗି ସ୍ଥାନ ଅଭାବ ରହୁଛି ।

ରାଜ୍ୟରେ ପୁଲିସ୍‍ ବାହିନୀରେ ପ୍ରାୟ ୧୦ହଜାର ପଦବୀ ଖାଲି ପଡିଥିବାବେଳେ ତେଣେ ଜବତ ସାମଗ୍ରୀର ଜଗାରଖା କରିବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୁଲିସ୍‍ ନାହାନ୍ତି । ବର୍ଷ ବର୍ଷ ଧରି ଏଗୁଡିକ ପଡି ରହିବା ଫଳରେ ଅନେକ କ୍ଷେତ୍ରରେ ନଷ୍ଟହୋଇ ଯାଉଛି । ଅବଶ୍ୟ ଜବତ ହେଉଥିବା ଚୋରା ଯାନ ବାହାନଗୁଡିକୁ ଶୀଘ୍ର ମାଲିକମାନଙ୍କ ନିକଟରେ ପହଞ୍ଚାଇ ଦେବାପାଇଁ ଅନେକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଉଛି ।

ବଳଙ୍ଗା ଥାନାର ମାଲଖାନାରେ ଥିବା ବିସ୍ଫୋରକ ସାମଗ୍ରୀ ନିଷ୍କ୍ରିୟ କରାଯାଇ ନଥିବାରୁ କୌଣସି କାରଣରୁ ବିସ୍ଫୋରଣ ଘଟି ଥାନାର କୋଠାଘର ଉଡିଯିବା ଭଳି ସ୍ଥିତି ଉପୁଜିଲା । ଏ ସଂକ୍ରାନ୍ତରେ ଇତି ମଧ୍ୟରେ ଏଏସ୍‍ଆଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣା ପରେ ଅନ୍ୟ ଯେତେସବୁ ଥାନା ଫାଣ୍ଡିରେ ବିସ୍ଫୋରକ ସାମଗ୍ରୀମାନ ରହିଛି ସେଗୁଡିକ ନିଷ୍କ୍ରିୟ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ତନାଘନା ଆରମ୍ଭ ହୋଇଛି । (ତଥ୍ୟ)