Home Administration ପାଲ୍‍ କମିଶନ ରିପୋର୍ଟର ତର୍ଜମା ଚାଲିଛି

ପାଲ୍‍ କମିଶନ ରିପୋର୍ଟର ତର୍ଜମା ଚାଲିଛି

ଭୁବନେଶ୍ୱର : କଟକ ବାହାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ବସାଇଥିବା ଜଷ୍ଟିସ ସି.ଆର.ପାଲ୍‍ କମିଶନଙ୍କ ରିପୋର୍ଟ ଉପରେ ସାତବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ତର୍ଜମା ଚାଲିଛି । ତେଣୁ ଏହି ରିପୋର୍ଟ ସାର୍ବଜନୀନ ହୋଇପାରୁନାହିଁ କି ବିଧାନସଭାରେ ମଧ୍ୟ ଉପସ୍ଥାପନ କରାଯାଉନାହିଁ । ତର୍ଜମା ଚାଲିଥିବାରୁ ପାଲ୍‍ କମିଶନର ସୁପାରିଶ୍‍ ଆଧାରରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାପାଇଁ ପ୍ରାୟ ୪୦ବର୍ଷ ଧରି ଆନ୍ଦୋଳନ ଚାଲିଛି । ସେହିଭଳି ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଲାଗି ମଧ୍ୟ ଦୀର୍ଘବର୍ଷ ଧରି ଆନ୍ଦୋଳନ ଚଳାଯାଉଛି । ଏହାଛଡା ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ହାଇକୋର୍ଟ ପ୍ରତିଷ୍ଠା ଲାଗି ଦଳମତ ନିର୍ବିଶେଷରେ ଜୋରଦାର ଦାବି ଉଠୁଛି ।

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କେତେକ ସ୍ଥାନରେ ଆନ୍ଦୋଳନ ଯୋଗୁଁ ମାସ ମାସ ଧରି ଆଇନ୍‍ ଅଦାଲତ କାର୍ଯ୍ୟ ବ୍ୟାହତ ହେବା ପରିପ୍ରେକ୍ଷୀରେ ଓଡିଶା ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ପାଲ୍‍ଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଥିଲେ । ଏହି କମିଶନ ଲାଗି ରାଜକୋଷରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । କମିଶନଙ୍କ ନିକଟରେ ବିଭିନ୍ନ ସ୍ଥାନରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ଉଠାଇ ଅନେକ ସତ୍ୟପାଠ ଦାଖଲ ହୋଇଥିଲା । ଏହାଛଡା କମିଶନ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତକରି ଏ ସଂକ୍ରାନ୍ତରେ ମତାମତ ଲୋଡିଥିଲେ ।

୨୦୦୮ ମାର୍ଚ୍ଚ ୧୧ତାରିଖରେ ରାଜ୍ୟ ସରକାର ବସାଇଥିବା ପାଲ୍‍ କମିଶନ ୨୦୧୪ ମାର୍ଚ୍ଚ ୩୧ରେ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି । ଏହା ପରେ ପାଲ୍‍ କମିଶନଙ୍କ ରିପୋର୍ଟ ଉପରେ ତର୍ଜମା ଚାଲିଥିବା କୁହାଯାଉଛି । ପ୍ରାୟ ୯୦ମାସ ଧରି ଏହି ରିପୋର୍ଟ ଉପରେ ତର୍ଜମା ଚାଲି ଆସିଥିବାବେଳେ ଏହା ସରିବାକୁ ଆଉ କେତେବର୍ଷ ଲାଗିବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟଭାବେ କେହି କିଛି ପହିପାରୁ ନାହାନ୍ତି ।

ଏଣେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ହେବ ସେଥିଘେନି ସହମତି ପ୍ରକାଶ ପାଇପାରୁ ନାହିଁ । ତେବେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଓଡିଶା ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଛନ୍ତି । ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଏହି ବେଞ୍ଚ ପ୍ରତିଷ୍ଠା କରାଯିବ ଏବଂ ସେଥିଲାଗି ରାଜ୍ୟ କ’ଣ ସବୁ ଭିତ୍ତିଭୂମି ଯୋଗାଇବ ସେ ସଂକ୍ରାନ୍ତରେ କେନ୍ଦ୍ର ବି ରାଜ୍ୟକୁ ଚିଠିଲେଖି ଚାଲିଛି ।

ଏହି ଭଳି ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚିଠି ଆଦାନ ପ୍ରଦାନରେ ପଶ୍ଚିମ ଓ ଦକ୍ଷିଣ ଓଡିଶାର ହାଇକୋର୍ଟ ବେଞ୍ଚ ପ୍ରସ୍ତାବ ଝୁଲି ରହିଥିବାବେଳେ ପାଲ୍‍ କମିଶନ ରିପୋର୍ଟରେ କ’ଣ ରହିଛି ଓ ତାହା ଆଧାରରେ କ’ଣ କାମ କରାଯାଉଛି ସେଥିଘେନି ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଉଛି । ତେବେ କମିଶନ ରିପୋର୍ଟର ତର୍ଜମା ଚାଲିଥିବାବେଳେ କଟକ ବାହାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାର ଆଉ ଏକ କମିଟି ବସାଇଛନ୍ତି ଏବଂ ଏହି କମିଟିର ବୈଧତା ଉପରେ ପ୍ରଶ୍ନ ଉଠାଇ ମାମଲା ବି ରୁଜୁ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏବେ ଓଡିଶା ହାଇକୋର୍ଟରେ ପାଖାପାଖି ଏକ ଲକ୍ଷ ୮୦ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୟାଟ୍‍ ଉଚ୍ଛେଦ କରିଦେଇଥିବାରୁ ସେଠାରେ ଥିବା ପ୍ରାୟ ୭୦ହଜାର ମାମଲାର ବୋଝ ହାଇକୋର୍ଟକୁ ସ୍ଥାନାନ୍ତର ହେବାର ଅଛି । ମାମଲା ସଂଖ୍ୟା ଦୃଷ୍ଟିରୁ ଓଡିଶା ହାଇକୋର୍ଟ ପାଇଁ ୪୨ଜଣ ବିଚାରପତିଙ୍କ ଆବଶ୍ୟକତା ଥିବାବେଳେ ଏଠାରେ ଏବେ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀରେ ମାତ୍ର ୧୩ଜଣ କାର୍ଯ୍ୟରତ ଅଛନ୍ତି । (ତଥ୍ୟ)