ଭୁବନେଶ୍ୱର : ମୋକଦ୍ଦମା ସଂଖ୍ୟା କମାଇବା ଉଦ୍ଦେଶ୍ୟରେ ୧୦ବର୍ଷ ତଳେ ପ୍ରଣୟନ କରାଯାଇଥିବା ରାଜ୍ୟ ମାମଲା ନୀତି ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ଏହି ସମୟ ମଧ୍ୟରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ପାଖପାଖି ୨ଗୁଣ ବଢିଛି । ଏଥିଯୋଗୁଁ ଆଇନ୍ ଅଦାଲତ ସମେତ ରାଜ୍ୟ ସରକାର ଓ ମାମଲାରେ ଛନ୍ଦି ହେଉଥିବା ଲୋକଙ୍କ ଉପରେ ଚାପ ବଢି ଚାଲିଛି ।
ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ କେନ୍ଦ୍ର ସରକାର ଜାତୀୟ ମାମଲା ନୀତି ପ୍ରଣୟନ କରିବାପରେ ଓଡିଶା ସରକାର ପ୍ରସ୍ତୁତ କରିଥିବା ରାଜ୍ୟ ମାମଲା ନୀତି ୨୦୧୧ ମଇ ୩୧ ତାରିଖରେ ଗେଜେଟ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଥିଲା । ଏଥିରେ ଲୋକଙ୍କ ଆପତ୍ତି ଅଭିଯୋଗର ସମାଧାନ ପାଇଁ ‘ଗ୍ରିଭାନ୍ସ ରିଡ୍ରେସାଲ ମେକାନିଜିମ୍’କୁ ସୁଦୃଢ କରିବା ସହ ଅଦାଲତ ଉପରୁ ମାମଲାର ବୋଝ କମାଇବା ଏବଂ ମାମଲାଗୁଡିକର ସମୀକ୍ଷା ସହିତ ଭଲ ମାମଲାଗୁଡିକୁ ଠିକଣା ଭାବେ ପରିାଚାଳନା ଲାଗି ଅନେକଗୁଡିଏ ବ୍ୟବସ୍ଥା ରହିଛି ।
ରାଜ୍ୟ ମାମଲା ନୀତିର କାର୍ଯ୍ୟକାରିତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଷମତ ସମ୍ପନ୍ନ କମିଟି ଗଢାଯାଇଥିବାବେଳେ ବିଭିନ୍ନ ବିଭାଗରେ ସଚିବମାନଙ୍କ କ୍ଷେତ୍ରରେ ଓ ଜିଲ୍ଲାରେ ଜିଲ୍ଲପାଳମାନଙ୍କ ଅଧ୍ୟକ୍ଷତାରେ ମଧ୍ୟ ଅନୁରୂପ କମିଟିମାନ ଗଢାଯାଇଥିଲା । ତେବେ ବର୍ଷ ବର୍ଷ ଧରି ଏହି କମିଟିଗୁଡିକ କାମ ନକରିବା ଫଳରେ ମାମଲା ରୁଜୁ କେବଳ ନଥିପତ୍ରରେ ବାନ୍ଧିହୋଇ ରହିଯାଇଛି ।
ଏବେ ଓଡିଶାରେ ପ୍ରାୟ ୧୫ଲକ୍ଷ ଫୌଜଦାରୀ, ଦେୱାନି, ରାଜସ୍ୱ, ଚାକିରି ସଂକ୍ରାନ୍ତୀୟ ଓ ଅନ।।ନ୍ୟ ମାମଲା ପଡିରହିଛି । ଏଥିରୁ ଛଅ ଲକ୍ଷରୁ ଅଧିକ ମାମଲା ୫ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଉଛି । ବିଶେଷକରି ସଂଖ୍ୟାଧିକ ମାମଲାରେ ସରକାର ପକ୍ଷ ରହୁଥିବାରୁ ମାମଲାଗୁଡିକର ତ୍ୱରିତ ଫଏସଲା ଏବଂ ଏହା ସୁପରିଚାଳନା ସରକାରଙ୍କ ଉପରେ ବହୁ ପରିମାଣରେ ନିର୍ଭର କରେ ।
ମାମଲା ନୀତିରେ ସ୍ପଷ୍ଟ କୁହାଯାଇଛି ଯେ ଯେଉଁ ପ୍ରସଙ୍ଗରେ ଆଇନ୍ ଅଦାଲତ ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି ଓ ତାହାକୁ ସରକାର ଗ୍ରହଣ କରିସାରିଛନ୍ତି ସେହି ପ୍ରସଙ୍ଗରେ ଆଉ ଅଧିକ ମାମଲା ନବଢାଇ ଅଭିଯୋଗକାରୀମାନଙ୍କୁ ବିଭାଗୀୟ ସ୍ତରରେ ନ୍ୟୟ ଦିଆଯିବା ଦରକାର । ସେହିଭଳି ନିଯୁକ୍ତି ପେନ୍ସନ ଠାରୁ ଆରମ୍ଭକରି ଚାକିରି ସଂକ୍ରାନ୍ତୀୟ ଅନ୍ୟାନ୍ୟ ବ୍ୟାପାରରେ ଅଭିଯୋଗଗୁଡିକର ନିରପକ୍ଷ ର୍ତମା କାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଲେ ଆଇନ୍ ଅଦାଲତରେ ଏ ସଂକ୍ରାନ୍ତୀୟ ମାମଲାର ଚାପ ଢେର ହ୍ରାସପାଇବ । ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ଚାକିରି ଓ ପେନସନ ସଂକ୍ରାନ୍ତୀୟ ଅନ୍ୟୁନ୍ୟ ଏକ ଲକ୍ଷ ମାମଲା ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ଟ୍ରିବୁନାଲ ଓ ଅଦାଲତରେ ପଡିରହିଛି ।
ଅନେକ ଦେୱାନୀ ମାମଲା ପୁରୁଷ ପୁରୁଷ ଧରି ଗଡୁଥିବାବେଳେ ବହୁ ଫୌଜଦାରୀ ମାମଲାରେ ଅଭିଯୁକ୍ତ, ଅତ୍ୟାଚାରିତ, ସାକ୍ଷୀ ଓ ତଦନ୍ତକାରୀ ଅଫିସରଙ୍କୁ ମତ୍ୟୁପରେ ବି ୨୦/୩୦ବର୍ଷ ଧରି ମାମଲା ଗଡୁଛି । ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଇ ମୁତଫରକା ମାମଲାଗୁଡିକୁ ପ୍ରତ୍ୟାହାର କରାଯାଇ ପାରିଲେ ଆଇନ୍ ଅଦାଲତର ଚାପ ହ୍ରାସ ପାଇପାରିବ ବୋଲି ବରିଷ୍ଠ ଆଇଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)