Home Administration ଖୋଲିବ ମଲ୍‍, ପାର୍କ ଓ ସିନେମାହଲ

ଖୋଲିବ ମଲ୍‍, ପାର୍କ ଓ ସିନେମାହଲ

ଭୁବନେଶ୍ୱର : ଅଗଷ୍ଟ ପହିଲାରୁ ରାଜ୍ୟରେ ମଲ, ପାର୍କ ଓ ସିନେମାହଲରେ ଦର୍ଶକ ପ୍ରବେଶ କରିବା ସହିତ ହୋଟେଲ ଓ ରେସ୍ତୋରାରେ ବସି ଖାଦ୍ୟ ଖାଇପାରିବେ । ଅଗଷ୍ଟ ଗାଇଡ୍‍ଲାଇନ୍‍ ରେ ଏହି ଅନୁମତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଅଗଷ୍ଟ ଏକ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ମାର୍ଗଦର୍ଶିକା ଅନୁଯାୟୀ କଟକ, ଭୁବନେଶ୍ୱର ଓ ପୁରୀରେ ପୂର୍ବଭଳି ସପ୍ତାହନ୍ତ ସଟ୍‍ଡାଉନ୍‍ ବଳବତ୍ତର ରହିବ । ତେବେ ରାଜ୍ୟର ସମସ୍ତ ଜିଲ୍ଲାରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି ।

ସମଗ୍ର ରାଜ୍ୟରେ ମଲ୍‍ଗୁଡିକ ଖୋଲିବାକୁ ଅନୁମତି ମିଳିଛି । ତେବେ ସେଠାରେ କୋଭିଡ ନିୟମ କିଭଳି ପାଳନ କରାଯିବ ସେ ଦାୟିତ୍ୱ ସମ୍ପୃକ୍ତ ମଲ୍‍ ମାଲିକଙ୍କର । ସେହିଭଳି ୫୦ ପ୍ରତିଶତ କ୍ଷମତାରେ ସିନେମାହଲ, ହୋଟେଲ, ରେସ୍ତୋରା, ଯାତ୍ରା, ରଙ୍ଗମଞ୍ଚ ଆଦି ଖୋଲିବ ।

ତେବେ କଟକ, ଭୁବନେଶ୍ୱର ଓ ପୁରୀ ସହରେର ହୋଟେଲ କିମ୍ବା ସିନେମାହଲକୁ ପ୍ରବେଶ ସମୟରେ ଲୋକଙ୍କୁ କୋଭିଡ ଟିକାର ଦୁଇଟି ଡୋଜ୍‍ ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏହି ତିନି ସହରରେ ସପ୍ତାହନ୍ତ ସଟ୍‍ଡାଉନ୍‍ ସମୟରେ ମଲ୍‍, ସିନେମାହଲ ଆଦି ବନ୍ଦ ରହିବ ।

ସେହିଭଳି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ଚାହିଁଲେ ଧର୍ମାନୁଷ୍ଠାନଗୁଡିକୁ ଖୋଲିବାକୁ ଅନୁମତି ଦେଇପାରିବେ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ସଂକ୍ରାନ୍ତରେ ସମ୍ପୃକ୍ତ ମନ୍ଦିରର ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବ । ମନ୍ଦିରକୁ ପ୍ରବେଶ ସମୟରେ ଭକ୍ତମାନେ ସାଙ୍ଗରେ ଭୋଗ ଆଦି ନେଇପାରିବେ ନାହିଁ ।

ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା ସମିତି ଉପରେ ଜାରି କଟକଣାରେ କିଛିଟା କୋହଳ କରାଯାଇଛି । ସଭା ସମିତି ଆଦିରେ ଅନୁମତି ନେଇ ୧୦୦ ପର୍ଯ୍ୟନ୍ତ ଲୋକ ଯୋଗ ଦେଇପାରିବେ ।
ତେବେ ଶିଳାନ୍ୟାସ ଓ ଉଦ୍‍ଘାଟନ ଆଦିରେ ଏହି ସଂଖ୍ୟା ୩୦ରେ ସୀମିତ ରଖିବାକୁ କୁହାଯାଇଛି ।

ପ୍ରଦର୍ଶନୀ, ବାଣିଜ୍ୟମେଳା, ମେଳା ମହୋତ୍ସବକୁ ବାରଣ କରାଯାଇଛି । କଟକଣା ମଧ୍ୟରେ ପାର୍କ ଓ ସମୁଦ୍ରକୂଳ ଖୋଲିବାକୁ ଅନୁମତି ମିଳିଥିବାବେଳେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ଓ ଲୋକେ କୋଭିଡ ନିୟମ ମାନି ସେଠାରେ ଖାଦ୍ୟ ଖାଇପାରିବେ ।

ଯାତ୍ରା, ରଙ୍ଗମଞ୍ଚରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ତେବେ ବାହାଘର, ବ୍ରତଘର, ଶୁଦ୍ଧିଘର ପାଇଁ ପୂର୍ବ କଟକଣା ବଳବତ୍ତର ରହିଛି । ତିନି ଜିଲ୍ଲାରେ ଜାରି ହୋଇଥିବା ରତ୍ରୀକାଳୀନ କର୍ଫ୍ୟୁକୁ କଡାକଡି ଭାବେ ପାଳନ ଲାଗି ରାଜ୍ୟ ସରକାର କହିଛନ୍ତି ।