ଭୁବନେଶ୍ୱର : କରୋନା କଟକଣାରେ ସାମାନ୍ୟ ପରିବର୍ତ୍ତନ ସହିତ ରାଜ୍ୟ ସରକାର ଏହାକୁ ଆଉ ୧୫ଦିନ ପାଇଁ ବଢାଇଛନ୍ତି । ତଦନୁଯାୟୀ ସମଗ୍ର ରାଜ୍ୟରେ ଅଗଷ୍ଟ ୧ତାରିଖ ପର୍ଯ୍ୟନ୍ତ ଆଂଶିକ କଟକଣା ବଳମତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୂଚନା ଦେଇଛନ୍ତି ।
ମୁଖ୍ୟ ସଚିବଙ୍କ ସୂଚନା ଅନୁଯାୟୀ ପୂର୍ବଭଳି ‘ଏ’ ଓ ‘ବି’ ବର୍ଗ ଜିଲ୍ଲା ତାଲିକାରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ କେବଳ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି । ‘ଏ’ ବର୍ଗ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ‘ବି’ ବର୍ଗ ଜିଲ୍ଲାରେ ଦୋକାନ ଖୋଲିବା ସମୟକୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ‘ଏ’ ବର୍ଗ ଜିଲ୍ଲାରେ ସଂଧ୍ୟା ୫ଟା ଓ ‘ବି’ ବର୍ଗ ଜିଲ୍ଲାରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଥିଲା ।
ସେହିଭଳି ‘ବି’ ବର୍ଗର ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ଜାରି ରହିବ । କିନ୍ତୁ ‘ଏ’ ବର୍ଗର ୨୦ଟି ଜିଲ୍ଲାରୁ ଏହି କଟକଣା ହଟାଇ ନିଆଯାଇଛି । ‘ବି’ ବର୍ଗର ଜିଲ୍ଲାରେ ପୂର୍ବଭଳି ସାପ୍ତାହିକ ଓ ଦୈନିକ ହାଟ ଉପରେ କଟକଣା ଜାରି ରହିଛି ।
ସେହିଭଳି ସମଗ୍ର ରାଜ୍ୟର ବସ ଚଳାଚଳକୁ ଅନୁମତି ଦିଆଯାଇଛି । ତେବେ କୌଣସି ବସରେ ଲୋକେ ଛିଡାହୋଇ ଯାଇପାରିବେ ନାହିଁ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଜୁଲାଇ ୨୫ତାରିଖ ପରେ ପୁରୀରେ ବସ୍ ଚଳାଚଳ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସ୍ପା, ବିଉଟିପାର୍ଲର ଓ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ଏମାନେ କୋଭିଡ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ।
ତେବେ ପୂର୍ବରୁ ଜାରି କେତେକ କଟକଣା ବଳବତ୍ତର ରହିଛି । ଏହା ମଧ୍ୟରେ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ, ବିବାହ ଓ ଶୁଦ୍ଧିକ୍ରିୟା ଆଦି ପାଇଁ ଥିବା କଟକଣା ଉଠିନାହିଁ । ଧର୍ମାନୁଷ୍ଠାନ ମଧ୍ୟ ପୂର୍ବଭଳି ବନ୍ଦ ରହିବ ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ରାଜ୍ୟର ୧୦ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହା ଚିନ୍ତାଜନକ ରହିଛି । ବର୍ତ୍ତମାନ ଏଠାରେ ପ୍ରତି ଶହେ ଜଣରେ ୩ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ତେଣୁ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସରକାର କଟକଣାକୁ ବୃଦ୍ଧି କରିଛନ୍ତି । ଏହାକୁ ଜନସାଧାରଣ ପାଳନ କରିବାପାଇଁ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।