Home General ଭିକାରୀ ଥଇଥାନରେ ୧୨କୋଟି ଖର୍ଚ୍ଚ

ଭିକାରୀ ଥଇଥାନରେ ୧୨କୋଟି ଖର୍ଚ୍ଚ

ଭୁବନେଶ୍ୱର : ରାଜଧାନୀକୁ ଭିକାରୀମୁକ୍ତ କରିବାପାଇଁ ଅଭିଯାନ ଆରମ୍ଭ ହୋଇଥିବାବେଳେ ସମଗ୍ର ରାଜ୍ୟରେ ଭିକାରୀ ଚିହ୍ନଟ ଓ ସେମାନଙ୍କୁ ସ୍ୱାବଲମ୍ବି କରିବାପାଇଁ ରାଜ୍ୟ ସରକାର ୪ବର୍ଷରେ ୧୨କୋଟିରୁ ଅଧିକ ଟଙ୍କା ବ୍ୟୟ କରିସାରିଲେଣି । ଏହି ଚିହ୍ନଟ ପ୍ରକ୍ରିୟାରେ ସର୍ବାଧିକ ଭିକାରୀ ପୁରୀରେ ଥିବାବେଳେ ଭୁବନେଶ୍ୱର ଦ୍ୱିତୀୟ ନମ୍ବରରେ ଥିବା ଜଣାଯାଇଛି ।

ରାଜ୍ୟର ୩୦ ଜିଲ୍ଲାରୁ ସରକାର ମୋଟ୍‍ ୮୩୩୮ ଜଣ ଭିକାରୀ ଚିହ୍ନଟ କରିଥିବା ଦର୍ଶାଉଥିବାବେଳେ ଏମାନଙ୍କ ମଧ୍ୟରେ ୩୦ଜଣ ଶିଶୁ ଭିକାରୀ, ୩୨୫୭ଜଣ ମହିଳା ଓ ୫୦୫୧ ଜଣ ପୁରୁଷ ରହିଛନ୍ତି । ଶିଶୁ ଭିକାରୀଙ୍କ ମଧ୍ୟରୁ ସର୍ବାଧିକ ୧୬ଜଣ କେନ୍ଦୁଝର ଜିଲ୍ଲାରେ ଥିବାବେଳେ ୧୦ଜଣ କେନ୍ଦ୍ରାପଡାରେ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୪ଜଣ ନୟାଗଡ ଜିଲ୍ଲାର । ତେବେ ସବୁଠାରୁ ଅଧିକ ୧୦୮୦ ଭିକାରୀ ପୁରୀରେ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୦୭୬ ଓ କଟକରେ ୧୦୬୦ ଭିକାରୀ ଚିହ୍ନଟ ହୋଇଥିଲେ । ହେଲେ ଏହି ତିନି ଜିଲ୍ଲାରେ ଜଣେ ହେଲେ ଶିଶୁ ଭିକାରୀ ନଥିବା ସରକାରୀ ଚିହ୍ନଟ ତାଲିକାରେ ଦର୍ଶାଯାଇଛି ।

ତେବେ ସରକାରୀ ସ୍ତରରେ ଯେତିକି ଭିକାରୀ ଚିହ୍ନଟ ହୋଇଛନ୍ତି ଏହାଠାରୁ ଢେର ଅଧିକ ରାଜ୍ୟରେ ରହିଛନ୍ତି । ବିଶେଷକରି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଭିକାରୀମାନେ ରାସ୍ତାଘାଟରେ ହାଉଜାଉ ହେଉଛନ୍ତି । ଏଠାରେ ପ୍ରତି ଛକରେ ମାଳ ମାଳ ଶିଶୁ ଭିକାରୀ ପଥଚାରୀଙ୍କ ଠାରୁ ଆରମ୍ଭ କରି ଗାଡିଚାଳକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ହାତ ପାତୁଥିବାବେଳେ ଓ ଗତକାଲି ବିଏମ୍‍ସି କିଛି ଶିଶୁ ଭିକାରୀଙ୍କୁ ଉଦ୍ଧାର କରିଛି । ତେବେ ସରକାରୀ ଚିହ୍ନଟ ପ୍ରକ୍ରିୟାରେ ଏମାନେ କିଭଳି ସାମିଲ ହେଲେନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେହିଭଳି ଭିକାରୀମାନଙ୍କୁ ଆତ୍ମନିର୍ଭର କରିବାପାଇଁ ୨୦୧୭-୧୮ରୁ ଚଳିତବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ୧୨କୋଟି ୨୩ଲକ୍ଷ ଟଙ୍କା ବ୍ୟୟ କରିସାରିଲେଣି । ସବୁଠାରୁ ଅଧିକ ୨କୋଟି ୨୦ଲକ୍ଷରୁ ଅଧିକ ଟଙ୍କା ପୁରୀରେ ଖର୍ଚ୍ଚ ହୋଇଛି । ଖୋର୍ଦ୍ଧାଜିଲ୍ଲାରେ ୭୩ଲକ୍ଷ ୭୬ହଜାର ଟଙ୍କା ବ୍ୟୟ ହୋଇଥିବାବେଳେ କଟକରେ ଏହା ୬୨ଲକ୍ଷ ୩୩ହଜାର ଟଙ୍କା ରହିଛି । ଏହି ଅର୍ଥରେ ବେସରକାରୀ ସଂସ୍ଥାମାନଙ୍କ ସହାୟତାରେ ଭିକାରୀମାନଙ୍କୁ ଥଇଥାନ ଓ ଆତ୍ମନିର୍ଭର କରିବାପାଇଁ ପଦକ୍ଷେପ ନିଆଯାଉଥିବାବେଳେ ରାଜ୍ୟର ବିଭିନ୍ନ ସହରରେ କିନ୍ତୁ ଭିକାରୀମାନେ ଅଧିକ ସଂଖ୍ୟାରେ ପରିଲକ୍ଷିତ ହେବାରେ ଲାଗିଛନ୍ତି । (ତଥ୍ୟ)