ଭୁବନେଶ୍ୱର : ଆଇନ ଅଦାଲତଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଧିକାଂଶ ସରକାରୀ ଦପ୍ତର ଅନୁପାଳନ କରୁନଥିବାରୁ ଗୋଟିଏ ପଟେ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢି ଚାଲୁଥିବାବେଳେ ଅନ୍ୟପଟେ ନ୍ୟାୟରୁ ବଞ୍ôଚତ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ମାମଲା ନୀତିର ଖୋଲା ଉଲ୍ଲଂଘନ କରୁଛି ବୋଲି ଆଇନ ବିଷାରଦମାନେ ମତବ୍ୟକ୍ତ କରୁଛନ୍ତି ।
ଆଇନ ଅଦାଲତଙ୍କ ରାୟର ଅନୁପାଳନ ପାଇଁ କେତେକ କ୍ଷେତ୍ରରେ ସରକାରୀ ସମ୍ପତ୍ତି କୋର୍ଟଙ୍କ ଆଦେଶରେ ଜବତ କରାଯାଉଛି । ଏଭଳି ପ୍ରକ୍ରିୟା ଆରମ୍ଭ ହେବାପରେ ଯାଇ କର୍ତ୍ତୃପକ୍ଷ ରାୟ ମୁତାବକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ଏମିତି ଏକ ଘଟଣା ଆଜି ଘଟିଛି ରାଜ୍ୟ ସଚିବାଳୟ ନିକଟରେ ଥିବା କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ ଦପ୍ତରରେ । ପୂର୍ବରୁ ଦେୟ ପ୍ରଦାନ ପାଇଁ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହେଉନଥିବାରୁ ଏକ ସମବାୟ ସଂସ୍ଥାର ସମ୍ପତ୍ତି ଜବତ ଲାଗି ମଧ୍ୟ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ବେଶ୍ ଚର୍ଚ୍ଚିତ ହୋଇଥିଲା ।
ଆଉ କେତେକ କ୍ଷେତ୍ରରେ ଦେୟ ପ୍ରଦାନରେ ବିଳମ୍ବ ଯୋଗୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବେତନ ବନ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିବା ଅନେକ ନଜିର ରହିଛି । ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ବହୁ କ୍ଷେତ୍ରରେ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ସେମାନଙ୍କ ନଜରକୁ ବିଳମ୍ବରେ ଅଣାଯାଉଛି ଏବଂ ସେତେବେଳକୁ ଅଦାଲତ ଅବମାନନା ମାମଲା ଚାଲୁଛି । ବିଳମ୍ବରେ ରାୟ ବିରୁଦ୍ଧରେ ଅପିଲ୍ କରାଯାଉଥିବାରୁ ବହୁ କ୍ଷେତ୍ରରେ ଏହା ମଧ୍ୟ ଖାରଜ ହୋଇଯାଉଛି । ଏଥିଯୋଗୁ ବିଭାଗର ବରିଷ୍ଠ ଅଧିକାରୀମାନେ ହରଡଘଣାରେ ପଡୁଛନ୍ତି ।
ଅନ୍ୟପକ୍ଷରେ ସରକାରୀ କର୍ମଚାରୀଙ୍କ ସମେତ ସାଧାରଣ ଲୋକଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ଗୁଡିକର ସକାରାତ୍ମକ ଫଇସଲା ତୁରନ୍ତ ହେଉନଥିବାରୁ ଲୋକେ ନ୍ୟାୟ ପାଇଁ ଆଇନ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି । ବହୁ କ୍ଷେତ୍ରରେ ଆଇନ ଅଦାଲତରୁ ନୋଟିସ୍ ମିଳବା ପରେ ବର୍ଷ ବର୍ଷ ଧରି ଉତ୍ତର ଦାଖଲ ହୋଇପାରୁନାହିଁ । ଏମିତି କି ମାମଲା ପରିଚାଳନାରେ ମଧ୍ୟ ତ୍ରୁଟିବିଚ୍ୟୁତି ହେଉଥିବାରୁ ବହୁ ମାମଲାରେ ସରକାର ହାରୁଛନ୍ତି । ଅମଲାତନ୍ତ୍ରର ତଳିଆ ଅଧିକାରୀମାନେ ଅଭିଯୋଗର ସକାରାତ୍ମକ ଫଇସଲା ନିଜସ୍ତରରେ ନେଇ ଉପର ଅଧିକାରୀଙ୍କ ଅନୁମୋଦନ ଲୋଡିବା ପରିବର୍ତ୍ତେ ତଳୁ ହାଇକୋର୍ଟ ଓ ତା’ ପରେ ସୁପ୍ରିମ୍କୋର୍ଟଙ୍କ ପର୍ଯ୍ୟନ୍ତ ମାମଲା ନେବାକୁ ଚାହୁଁଛନ୍ତି ।
ଏମିତିକି କେତେକ କ୍ଷେତ୍ରରେ ଆଇନ ବିଭାଗର ମତାମତକୁ ମଧ୍ୟ ମାସ ମାସ ଧରି ପକାଇ ରଖି ପୁନର୍ବାର ମତ ଲୋଡୁଛନ୍ତି । ଏଭଳି ସ୍ଥିତିରେ ଅନେକ ବ୍ୟକ୍ତି ବର୍ଷ ବର୍ଷ ଧରି ପେନ୍ସନ୍ ପାଇବାରୁ ବଞ୍ôଚତ ହୋଇ ଦୁଃଖ କଷ୍ଟରେ ମରୁଛନ୍ତି । ଏମିତିକି କେତେକ କ୍ଷେତ୍ରରେ ନ୍ୟାୟରୁ ବଞ୍ôଚତ ଶାରିରୀକ ଭିନ୍ନକ୍ଷମ ପ୍ରାର୍ଥୀମାନେ ଚାକିରି ସୁଯୋଗରୁ ବଞ୍ôଚତ ହୋଇ ଆଇନ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି ।
ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିଜ ନିଜର ମାମଲା ନୀତିରେ ଯେଉଁସବୁ ବ୍ୟବସ୍ଥା ରଖିଛନ୍ତି ତାହାର ଠିକଣା ଅନୁପାଳନ କରାଯାଇପାରିଲେ ଆଇନ ଅଦାଲତରେ ମାମଲା ସଂଖ୍ୟା ଅଧାରୁ ଅଧିକ କମିଯିବ ବୋଲି ଅଭିଜ୍ଞ ଆଇନଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଆପତ୍ତି ଅଭିଯୋଗ ଗୁଡିକର ସକାରାତ୍ମକ ଫଇସଲା କ୍ଷେତ୍ରରେ ପତ୍ରିବନ୍ଧକ ସାଜୁଛନ୍ତି ସେମାନଙ୍କୁ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ନେଲେ ବହୁ ସମସ୍ୟାର ସମାଧାନ ହୋଇଯାଆନ୍ତା ଏବଂ ଏଥିଲାଗି ବିଭାଗୀୟ ସଚିବ, ନିର୍ଦ୍ଦେଶକ ଆଦିଙ୍କୁ ବ୍ୟକ୍ତିଗତ ଭାବେ ଆଇନ ଅଦାଲତରେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପଡନ୍ତା ନାହିଁ । ଏଥିସହିତ ବ୍ୟବସ୍ଥା ଉପରୁ ମାମଲାର ଚାପ ହ୍ରାସ ପାଇ ସରକାରୀ କଳର ବିପୁଳ ସମୟ, ଶ୍ରମ ଓ ସମ୍ବଳ ରକ୍ଷା ହୋଇପାରନ୍ତା ବୋଲି କୁହାଯାଉଛି । (ତଥ୍ୟ)