ଭୁବନେଶ୍ୱର : ମଦ ଦୋକାନୀମାନେ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ଦର ଅପେକ୍ଷା ଅଧିକ ଦାମ୍ ନେଉଛନ୍ତି । ଏଥିପାଇଁ ଗତ ଦୁଇବର୍ଷ ମଧ୍ୟରେ ପ୍ରାୟ ୬୦ଟି ଅଭିଯୋଗ ଆସିଥିବାବେଳେ ଦୋକାନୀମାନେ ବି ୩୭ଲକ୍ଷ ଟଙ୍କାର ତଣ୍ଡ ଗଣିଲେଣି । ଏବେ ବି ଅନେକ ଅଭିଯୋଗ ବିଚାରାଧିନ ରହିଛି ।
ରାଜ୍ୟରେ ଥିବା ମଦ ଦୋକାନଗୁଡିକ ସରକାରୀ ସ୍ୱୀକୃତିପ୍ରାପ୍ତ ଓ ସରକାରଙ୍କ ଠାରୁ ଏଥିପାଇଁ ଲାଇସେନ୍ସ ପାଇଛନ୍ତି । ତଦନୁଯାୟୀ ସେମାନେ ସରକାରଙ୍କ ଠାରୁ ମଦ କିଣି ବିକ୍ରି କରିବେ ଓ କେଉଁ ମଦ କେତେ ଦରରେ ବିକ୍ରି ହେବ ତାହା ମଦବୋତଲ ଉପରେ ଲେଖାଯାଇଛି । ଦୋକାନୀମାନେ ଏହାଠାରୁ ଟଙ୍କାଟିଏ ବି ଅଧିକ ନେଇପାରିବେ ନାହିଁ । କାରଣ ସବୁ ମଦର ସର୍ବାଧିକ ବିକ୍ରି ମୂଲ୍ୟ ଉଲ୍ଲେଖ ରହିଛି ।
ହେଲେ ଅଧିକାଂଶ ଦୋକାନୀ ଧାର୍ଯ୍ୟ ଦରଠାରୁ ଅଧିକ ଦର ଦାବି କରୁଛନ୍ତି ଓ ନେଉଛନ୍ତି ମଧ୍ୟ । ଏ ସଂକ୍ରାନ୍ତରେ ୨୦୨୧-୨୨ ବର୍ଷରେ ସରକାରଙ୍କ ନିକଟରେ ୨୯ଟି ଅଭିଯୋଗ ପହଞ୍ଚିବାବେଳେ ତାହାର ତଦନ୍ତ ହୋଇଥିଲା । ଏହା ପ୍ରମାଣିତ ହେବାପରେ ଦୋକାନୀଙ୍କ ଠାରୁ ୨୯ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ଚଳିତବର୍ଷ ବି ୩୦ରୁ ଅଧିକ ଅନୁରୂପ ଅଭିଯୋଗ ଆସିବା ସହିତ ତାହାର ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୮ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେଲାଣି ।
ତେବେ ସବୁଠାରୁ ବଡ କଥା ହେଉଛି ମଦ ଦୋକାନୀମାନେ ଗ୍ରାହକଙ୍କୁ ବିକ୍ରି କରୁଥିବା ମଦର ରସିଦ ଦେବାକଥା । ଏହାକୁ ଅଧିକାଂଶ ଦୋକାନୀ ମାନୁ ନାହାନ୍ତି । ଯେହେତୁ ସେମାନେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦର ନେଉଛନ୍ତି ତେଣୁ ରସିଦ ଦେବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଯଦି କୌଣସି ଗ୍ରାହକ ରସିଦ ମାଗୁଛି ତେବେ ତାହାକୁ ନାଲିଆଖି ଦେଖାଇବା ସହିତ ଦୋମାନୀମାନେ ଅପମାନିତ କରିବାକୁ ପଛାଉ ନାହାନ୍ତି । ଫଳରେ ଇଚ୍ଛା ଥିଲେ ବି ଅନେକ ଗ୍ରାହକ ମଦ ଦୋକାନରେ ରସିଦ ମାଗୁନାହାନ୍ତି ।
ଯେଉଁମାନେ ବିନା ରସିଦରେ ଦୋକାନରୁ ସାଙ୍ଗରେ ମଦ ଧରି ବାହାରୁଛନ୍ତି ସେମାନେ ଯଦି ପୁଲିସ୍ ହାବୁଡରେ ପଡୁଛନ୍ତି ତେବେ ୫୦୦ ଟଙ୍କାର ମଦ ପାଇଁ ସ୍ଥଳ ବିଶେଷରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣୁଛନ୍ତି । କାରଣ ରସିଦ ନଥିବାରୁ ଏହି ମଦ ଚୋରା ମଦ ବୋଲି ପୁଲିସ୍ ସନ୍ଦେହ କରୁଛି । ଚୋରା ମଦ କାରବାର ଅଭିଯୋଗରେ ଜେଲ ଯିବା ଭୟରେ ଅନେକ ତଣ୍ଡ ଗଣି ଖସୁଛନ୍ତି ।
ମଦ ଦୋକାନରେ ରସିଦ ନେବାର ଅନ୍ୟଏକ କାରଣ ହେଉଛି ଚୋରା ମଦର କାରବାର ବୋଲି ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ ଦୋକାନୀମାନେ ମଦ ନିଗମରୁ ଯେତିକି ମଦ ଉଠାଉଛନ୍ତି ତାହାଠାରୁ ଢେର ଅଧିକ ମଦ ବିକ୍ରି କରୁଛନ୍ତି । ବିକ୍ରି କରୁଥିବା ସମସ୍ତ ମଦର ଯଦି ରସିଦ ପ୍ରଦାନ କରିବେ ତେବେ ଚୋରାମଦ କାରବାର ସହଜରେ ଧରାପଡିଯିବ । ରସିଦ ନଦେବା ଯୋଗୁଁ ଚୋରାମଦର ସହଜ କାରବାର ହେଉଥିବାବେଳେ ରାଜକୋଷର ମଧ୍ୟ ବ୍ୟାପକ କ୍ଷତି ହେଉଛି । (ତଥ୍ୟ)