Home Infrastructure ସାତ ହଜାର ଗାଁରେ ନାହିଁ ମୋବାଇଲ ବ୍ରଡବ୍ୟାଣ୍ଡ୍‍

ସାତ ହଜାର ଗାଁରେ ନାହିଁ ମୋବାଇଲ ବ୍ରଡବ୍ୟାଣ୍ଡ୍‍

ଭୁବନେଶ୍ୱର : ରାଜ୍ୟର ୭୦୦୦ ରୁ ଅଧିକ ଗାଁରେ ମୋବାଇଲ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ସେବା ପହଞ୍ଚି ନାହିଁ । ମୋବାଇଲ୍‍ ନେଟୱାର୍କ ଜରିଆରେ ଉପଲବ୍ଧ ଦ୍ରୁତଗାମୀ ଇଣ୍ଟରନେଟ୍‍କୁ ମୋବାଇଲ୍‍ ବ୍ରଡବ୍ୟାଣ୍ଡ୍‍ କୁହାଯାଏ । ଏହା ଜରିଆରେ ଲୋକଙ୍କ ନିକଟରେ ୩ଜି ଓ ୪ଜି ସେବା ପହଞ୍ଚିଥାଏ । ଫଳରେ ଯେଉଁଠାରେ ଏହି ସେବା ଉପଲବ୍ଧ ସେଠାରେ ଲୋକେ ମୋବାଇଲ୍‍ ବ୍ରଡବ୍ୟାଣ୍ଡ୍‍ ମାଧ୍ୟମରେ ନିଜ ନିଜର କାମ କରିଥାନ୍ତି ।

କେନ୍ଦ୍ର ଯୋଗାଯୋଗ ବିଭାଗ ପକ୍ଷରୁ ସମସ୍ତ ଗାଁରେ ମୋବାଇଲ ବ୍ରଡ୍‍ବ୍ୟାଣ୍ଡ ଓୟାରଲେସ୍‍ ସେବା ଯୋଗାଣ ପାଇଁ ଅନୁମତି ଦେଇଥିବାବେଳେ ଓଡିଶା ଏ କ୍ଷେତ୍ରରେ ଢେର ପଛରେ ପଡିଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ୫୧,୧୭୬ ଗାଁରେ ମୋବାଇଲ୍‍ ବ୍ରଡବ୍ୟାଣ୍ଡ୍‍ ଓୟାରଲେସ୍‍ ସେବା ଯୋଗାଣ ପାଇଁ ଥିବାବେଳେ ହୋଇଛି ମାତ୍ର ୪୪,୦୫୮ ଗାଁରେ । ଏବେ ବି ୭୧୧୮ ଗାଁରେ ଏହି ସେବା ପହଞ୍ଚି ପାରିନାହିଁ ।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୋବାଇଲ୍‍ ସେବାକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ଓଡିଶାରେ ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ୍‍ ଅଧିନରେ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଆଙ୍କାକ୍ଷୀ ଜିଲ୍ଲାରେ ମୋବାଇଲ୍‍ ଅପହଞ୍ଚ ଥିବା ୭୨୮୭ ଗାଁରେ ୪ଜି ମୋବାଇଲ୍‍ ସେବା ଯୋଗାଯାଉଥିବାବେଳେ ଆଉ ୩୯୩୩ ଅପହଞ୍ଚ ଗାଁକୁ ଏଥିରେ ସାମିଲ କରାଯାଇଛି । ଏହି ଯୋଜନାରେ ଦେଶର ମାଓପ୍ରବଣ ଇଲାକାରେ ୪ଜି ମୋବାଇଲ ସେବାପାଇଁ ୨୫୪୨ଟି ମୋବାଇଲ ଟାୱାର ସ୍ଥାପନକୁ ମଞ୍ଜୁରୀ ମିଳିଥିବାବେଳେ ଏଥି ମଧ୍ୟରେ ଓଡିଶାରେ ୪୮୩ଟି ଟାୱାର ରହିଛି ।

ଇତି ମଧ୍ୟରେ ଟେଲିଯୋଗାଯୋଗ ବିଭାଗ ପ୍ରଧାନ ମନ୍ତ୍ରୀ ଓୟାରଲେ୍‍ ଆକ୍‍ସେସ ନେଟୱାର୍କ ଇଣ୍ଟରଫେସ୍‍ (ପିଏମ୍‍-ୱାନି) ନାଁରେ ପବ୍ଲିକ ୱାଇ-ଫାଇ ନେଟୱାର୍କ ଜରିଆରେ ବ୍ରଡବ୍ୟାଣ୍ଡ୍‍ ଯୋଗାଣ ପାଇଁ ନୂତନ ଢାଞ୍ଚା ପ୍ରସ୍ତୁତ କରିଛନ୍ତି । ଏହି ବ୍ୟବସ୍ଥାରେ ସରକାରଙ୍କ ଠାରୁ ଲାଇସେନ୍ସ ନେବା ଜରୁରୀ ନୁହେଁ । ଏଥିରେ ଛୋଟ ଛୋଟ କମ୍ପାନୀମାନେ ଗାଁ ଗହଳରେ ମଧ୍ୟ ଦ୍ରୁତଗାମୀ ଇଣ୍ଟରନେଟ୍‍ ସୁବିଧା ଯୋଗାଇବେ ।

ତେବେ ବିଏସଏନଏଲ୍‍ ପକ୍ଷରୁ ଭାରତ ନେଟ୍‍ର ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ଫାଇବର ଟୁ ଦି ହୋମ୍‍ (ଏଫ୍‍ଟିଟିଏଚ୍‍) କାର୍ଯ୍ୟ ଚଳାଯାଉଛି । ଇତି ମଧ୍ୟରେ ରାଜ୍ୟର ୨୫୧୧ଟି ଗ୍ରାମପଞ୍ଚାୟତରେ ୱାଇ-ଫାଇ ହଟ୍‍ସ୍ପଟ୍‍ ସ୍ଥାପନ ହୋଇଥିବାବେଳେ ୭୮୬୬ଟି ଏଫ୍‍ଟିଟିଏଚ୍‍ ସଂଯୋଗ ଦିଆଯାଇଛି । ଏଥିପାଇଁ ୧୫୩ ଜିବିପିସ୍‍ ସହିତ ୨୮୦୦ କିଲୋମିଟରର ଫାଇବର ବିଛାଯାଇଛି ।

ପଞ୍ଚାୟତ ସ୍ତରରେ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ସେବା ଯୋଗାଣ ପାଇଁ ଓଡିଶା ସମେତ ସମଗ୍ର ଦେଶରେ ଭାରତ ନେଟ୍‍ ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି । ନିକଟରେ ପଞ୍ଚାୟତ ସହିତ ସମସ୍ତ ଜନବସତିକୁ ଭାରତନେଟ୍‍ ଯୋଜନାରେ ଅର୍ନ୍ତଭୁକ୍ତ ପାଇଁ ସ୍ଥିର ହୋଇଛି । ଭାରତନେଟ୍‍ ପ୍ରକଳ୍ପଟି ଜାତୀୟ ସମ୍ପତ୍ତି ହୋଇଥିବାବେଳେ ଏହା ଜରିଆରେ ବ୍ରଡବ୍ୟାଣ୍ଡ୍‍ ସେବା ଠାରୁ ଆରମ୍ଭ କରି ୱାଇ-ଫାଇ ହଟ୍‍ସ୍ପଟ୍‍, ଏଫ୍‍ଟିଟିଏଚ୍‍ ସଂଯୋଗ, ଲିଜ୍‍ ଲାଇନ୍‍, ଡାର୍କ ଫାଇବର, ମୋବାଇଲ୍‍ ଟାୱାରକୁ ବ୍ଲାକହୋଲ୍‍ ସେବା ଆଦି ଯୋଗାଯାଇ ପାରିବ । ସେହିଭଳି ରାଜ୍ୟ ସରକାରମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭାରତ ନେଟ୍‍ର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଏବଂ ଟେଲିଫୋନ୍‍ କମ୍ପାନୀଗୁଡିକ ଅପହଞ୍ଚ ଗାଁକୁ ସେବା ଯୋଗାଇ ଦେବେ । (ତଥ୍ୟ)