ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାତା ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବାଲେଶ୍ୱରରେ ସର୍ବାଧିକ ୧.୭୫ କୋଟି, କଟକରେ ୩୫ ଲକ୍ଷ ୭୪ ହଜାର, ବରଗଡ଼ରେ ୨୧ ଲକ୍ଷ ୪୫ ହଜାର, ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଏବଂ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୦ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୯୪ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି ।
ବାଲେଶ୍ୱର ଜିଲ୍ଲାରେ ଲଗାତାର ୭ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ‘ମୋ ସ୍କୁଲ୍ ଅଭିଯାନ’କୁ ବିପୁଳ ସମର୍ଥନ ମିଳିଥିବା ବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୪୮ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ଆଗେଇ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ଏସ୍ଏମ୍ଏସ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି ।
ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଏକ ଏକାଡେମିକ କମିଟି ଗଠନ କରାଯାଇଛି । ଆଗାମୀଦିନରେ ଏହି କମିଟି ସ୍କୁଲ୍ର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଦିଗରେ ପରାମର୍ଶ ଦେବ ।
ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଜ୍ଞାନ, ବୈଷୟିକ ଓ ଗଣିତ ଭଳି ବିଷୟରେ ଦକ୍ଷ କରିବାକୁ ଆଇବିଏମ୍ ଷ୍ଟେମ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଥିବା ବେଳେ ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ଏକ ଗାଇଡାନ୍ସ ପୁସ୍ତିକା ପ୍ରଦାନ କରାଯାଇଛି । ଇତିମଧ୍ୟରେ ପ୍ରାୟତଃ ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ।
ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା ୨୭ ତାରିଖରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି । ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳଗୁଡ଼ିକର କାର୍ଯ୍ୟ ଅଗ୍ରଗତି ଏବଂ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ମୋ ସ୍କୁଲ୍ ଅଭିଯାନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନିୟମିତ ବ୍ୟବଧାନରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ସେହିଭଳି କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିବା ଲର୍ଣ୍ଣିଂ କ୍ୟାମ୍ପ୍ କାର୍ଯ୍ୟକ୍ରମକୁ ଅଗଷ୍ଟ ମାସରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି ।
ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ଏହି କାର୍ଯ୍ୟକ୍ରମ କରାଯିବ । ବିଦ୍ୟାଳୟସ୍ତରରେ ମୋ ସ୍କୁଲ୍ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ପାଇଁ ଖୁବ୍ଶୀଘ୍ର ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ବିଭାଗୀ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।