Home Cooperation ୭ଶହରୁ ଅଧିକ ସମବାୟ ସମିତି ଅଚଳ

୭ଶହରୁ ଅଧିକ ସମବାୟ ସମିତି ଅଚଳ

ଭୁବନେଶ୍ୱର : କେନ୍ଦ୍ର ସରକାର ସମବାୟ ସଂସ୍ଥାକୁ ମଜବୁତ୍‍ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ରାଜ୍ୟରେ ୭ଶହରୁ ଅଧିକ ସମବାୟ ସଂସ୍ଥା ଅଚଳ ହୋଇ ପଡିଛି । ଏଥି ମଧ୍ୟରେ ୧୧ଟି ଶୀତଳଭଣ୍ଡାର ବି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୭୦୧ଟି ସମବାୟ ସମିତି ଅଚଳ ଅବସ୍ଥାରେ ଥିବାବେଳେ ଏଥିରୁ ସର୍ବାଧିକ ୧୪୧ଟି କଟକ ଜିଲ୍ଲାରେ ରହିଛି । ଏହା ପଛକୁ ଖୋରଧା ଜିଲ୍ଲାରେ ୧୧୦ଟି ସମିତି ଅଚଳ ଥିବାବେଳେ ପୁରୀ ଜିଲ୍ଲାରେ ଏହି ସଂଖ୍ୟା ୭୨ଟି ରହିଛି । ଗଜପତି ଜିଲ୍ଲାରେ ମାତ୍ର ଗୋଟିଏ ସମିତି ଅଚଳ ଅବସ୍ଥାରେ ଥିବାବେଳେ ଜଗତ୍‍ସିଂହପୁର, ନବରଙ୍ଗପୁରରେ ଏହି ସଂଖ୍ୟା ୨କରି ଏବଂ ରାୟଗଡାରେ ଏହା ୩ଟି ରହିଛି ।

ତେବେ ଅଚଳ ସମବାୟ ସମିତି ମଧ୍ୟରେ ୧୭୨ଟି ଋଣ ପ୍ରଦାନକାରୀ ସମବାୟ ସମିତି ଥିବାବେଳେ ୧୬୧ଟି ବହୁମୁଖୀ ସମବାୟ ସମିତି ରହିଛି । ଏହାବାଦ୍‍ ୧୧ଟି ଶୀତଳଭଣ୍ଡାର, ୫୧ଟି ଗୃହ ନିର୍ମାଣ ସମବାୟ ସମିତି, ୧୦ଟି ଆରସିଏମ୍‍ ଏବଂ ୭ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି । ୨୩୨ଟି ଅନ୍ୟ କିସମର ସମବାୟ ସମିତି ରହିଥିବା ଜଣାଯାଇଛି ।

ଏହିସବୁ ସମବାୟ ସମିତିଗୁଡିକ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଛି । ଏଗୁଡିକ ମଧ୍ୟରୁ ଆଇନ୍‍ ଅନୁଯାୟୀ କିଛି ସମବାୟ ସମିତିକୁ ସମାପନ କରିବାଲାଗି ସରକାର ପଦକ୍ଷେପ ନେଉଛନ୍ତି । ଏଥି ସହିତ ଅନ୍ୟ ଅଚଳ ସମବାୟ ସମିତିୁଡିକୁ ସଚଳ କରିବାପାଇଁ ଡିଭିଜନ ସ୍ତରରେ ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉଛି । ଏଥିପାଇଁ ସମବାୟ ସମିତିର ସଦସ୍ୟମାନଙ୍କ ବୈଠକ ଡକାଯାଇ ସେମାନଙ୍କର ମତାମତ ଲୋଡାଯାଉଛି ।

ତେବେ ଅଚଳ ହୋଇ ପଡିଥିବା ଶୀତଳଭଣ୍ଡାରଗୁଡିକର ଆଉ ପୁନରୁଦ୍ଧାର ହେବାର ସମ୍ଭାବନା ନଥିବା ଜଣାଯାଇଛି । ଦୀର୍ଘଦିନ ଧରି ଅଚଳ ଯୋଗୁଁ ଏହାର ଯନ୍ତ୍ରପାତି ସବୁ ନଷ୍ଟ ହୋଇଗଲାଣି । ତେଣୁ ଏହାକୁ ବନ୍ଦ କରିବା ସପକ୍ଷରେ ଅନେକ ମତ ଦେଉଛନ୍ତି । କାରଣ ଏହାକୁ ପୁନରୁଦ୍ଧାର ପାଇଁ ସେଭଳି କୌଣସି ସଂସ୍ଥା ଆଗେଇ ଆସିବାର ସମ୍ଭାବନା କ୍ଷୀଣ ।

ସେହିଭଳି ଆର୍ଥିକ ଦୃଷ୍ଟିରୁ ଦେବାଳିଆ ହୋଇ ବନ୍ଦ ହୋଇଥିବା ସମବାୟ ସଂସ୍ଥାଗୁଡିକ ମଧ୍ୟ ଅଣ୍ଟା ସଳଖି ସହଜରେ ଛିଡାହେବା କଷ୍ଟକର । କାରଣ ଯେଉଁମାନେ ଏହିସବୁ ସମିତିରୁ ଋଣ ନେଇଛନ୍ତି ସେମାନେ ଅର୍ଥ ଫେରାଇବା ସପକ୍ଷରେ ନାହାନ୍ତି । ଅନେକ ଋଣ ଗ୍ରହୀତା ବି ଆରପାରିକୁ ଚାଲି ଯାଇଛନ୍ତି । ଏପରିକି କୃଷି ସମବାୟ ସମିତିରୁ ଋଣ ନେଇ ମଧ୍ୟ ଅନେକ ନଶୁଝିବା ଫଳରେ ତାହା ଦେବାଳିଆ ହୋଇଯାଇଛି ।

କେନ୍ଦ୍ର ସରକାର ସମବାୟ ସଂସ୍ଥାଗୁଡିକର ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରୁଥିବାରୁ ରାଜ୍ୟ ସରକାର ପାକସ୍‍ ଓ ଲ୍ୟାମ୍ପସ୍‍ ପ୍ରତିଷ୍ଠା ଓ ପୁନରୁଦ୍ଧାର ଉପରେ ଜୋର ଦେଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଅଚଳ ହୋଇ ପଡିଥିବା ସମବାୟ ସମିତି ମଧ୍ୟରୁ ଆଇନ୍‍ ଅନୁଯାୟୀ କେତୋଟିର ସମାପନ ହେଉଛି ଏବଂ କେତୋଟିର ପୁନରୁଦ୍ଧାର ହୋଇପାରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)