ଭୁବନେଶ୍ୱର : ଭାରତ ସରକାର ଡିଜିଟାଲ ଇଣ୍ଡିଆର ପ୍ରଚାର ସହିତ ୫ଜି ମୋବାଇଲ୍ ସେବା କାର୍ଯ୍ୟକାରୀ କରୁଥିବାବେଳେ ଓଡିଶାର ୫୭୭୦ ଗାଁରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ । କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାର ୫୧,୧୭୬ଟି ଗାଁ ମଧ୍ୟରୁ ୪୫,୪୦୬ରେ ମୋବାଇଲ ସେବା ଉପଲବ୍ଧ । ଏହାର ଅର୍ଥ ରାଜ୍ୟର ୫୭୭୦ଟି ଗାଁ ଏବେ ବି ମୋବାଇଲ ସେବା ଠାରୁ ଦୂରରେ । ଏହି ଗାଁ ମଧ୍ୟରୁ ଅଧିକାଂଶ ଗଜପତି, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡାରେ ରହିଛି ।
ବିଜେଡି ସାଂସଦ ସୁଲତା ଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ଏବଂ ଟେଲିଫୋନ ସେବା ପ୍ରଦାନକାରୀ ମାନେ ମିଳିତ ଭାବେ ପର୍ଯ୍ୟାୟ କ୍ରମେ ଦେଶରେ ମୋବାଇଲ୍ ସଂଯୋଗ ପ୍ରଦାନ କରିଥାନ୍ତି । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋବାଇଲ୍ ଅପହଞ୍ଚ ଥିବା ଗ୍ରାମଗୁଡିକୁ ସେବା ଯୋଗାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଲାଗି ୟୁଏସଓଏପ୍ ପାଣ୍ଠି ଜରିଆରେ ଅର୍ଥ ପ୍ରଦାନ କରିଥାନ୍ତି ।
ୟୁଏସଓଏଫ୍ ଯୋଜନାରେ ୨୪,୬୮୦ ମୋବାଇଲ ଅପହଞ୍ଚ ଗାଁରେ ୪ଜି ସଂଯୋଗ ଦିଆଯିବା ସହିତ ୬୨୭୯ଗ୍ରାମକୁ ୨ଜି/୩ଜି ରୁ ୪ଜିକୁ ଉନ୍ନିତ କରାଯାଇଥିଲା । ଏଥିପାଇଁ ୨୬,୩୧୬ କୋଟି ଟଙ୍କା ବ୍ୟୟ ହୋଇଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ଅନୁରୂପ ଭାବେ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର ଆଦିରେ ଥିବା ଆଙ୍କାକ୍ଷୀ ଜିଲ୍ଲାର ୭୨୮୭ ଗ୍ରାମରେ ୪ଜି ସଂଯୋଗ ଦିଆଯାଇଛି । ଏହି ପ୍ରକଳ୍ପ ୬୪୬୬କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହୋଇଥିଲା ।
ସେହିଭଳି ମାଓ ଉପଦ୍ରୁତ ଅଞ୍ଚଳରେ ମୋବାଇଲ ସଂଯୋଗ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୨୫୪୨ଟି ମୋବାଇଲ ଟାୱାର ବସାଇବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରାୟ ୨୨୧୧ କୋଟି ଟଙ୍କା ବ୍ୟୟ କରିବେ । ଏହାଛଡା ଅନ୍ୟ ରାଜ୍ୟଗୁଡିକରେ ମୋବାଇଲ୍ ସେବା ଯୋଗାଣ ପାଇଁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ମନ୍ତ୍ରୀ କହିଛନ୍ତି । ଦେଶର ପ୍ରତ୍ୟେକ ପଞ୍ଚାୟତ ଏବଂ ଗ୍ରାମକୁ ବ୍ରଡବ୍ୟାଣ୍ଡ ସଂଯୋଗପାଇଁ ଭାରତ ନେଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଭାରତ ନେଟ୍ ପ୍ରକଳ୍ପର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୨,୦୬୮ କୋଟି ଟଙ୍କାର ବ୍ୟୟକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । (ତଥ୍ୟ)