Home Covid ୫୦ଦିନ ପରେ ୫ହଜାର ତଳେ କରୋନା

୫୦ଦିନ ପରେ ୫ହଜାର ତଳେ କରୋନା

ଭୁବନେଶ୍ୱର : ପ୍ରାୟ ୫୦ ଦିନରେ ପରେ ରାଜ୍ୟର ଦୈନିକ କରୋନା ସଂକ୍ରମଣ ୫ହଜାର ତକଳୁ ଖସିଛି । ଏପିଲ୍‍ ୨୧ ତାରିଖରେ ଏହା ୪୮୫୧ ରେକର୍ଡ କରାଯାଇଥିବାବେଳେ ଏହା ପରଠାରୁ କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢିବାରେ ଲାଗିଥିଲା । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ହଜାର ତଳକୁ ଆସିଥିଲେ ମଧ୍ୟ ଦୈନିକ ମୃତୁରେ ରୋକ୍‍ ଲାଗୁନାହିଁ । ୨୪ଘଣ୍ଟାରେ ରାଜ୍ୟରେ ୪୭କରୋନା ମୃତ୍ୟୁ ହୋଇଥିବାବେଳେ ମୋଟ୍‍ ମୃତ୍ୟୁସଂଖ୍ୟା ୩୨୫୭ରେ ପହଞ୍ଚିଛି । ଖୋରଧା ଜିଲ୍ଲାରେ ସର୍ବାଧିକ ୬ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବାବେଳେ କଟକରେ ୫ଜଣଙ୍କର ଜୀବନ ନେଇଛି କରୋନା ।

ସେହିଭଳି ଅନୁଗୁଳ ଓ ବରଗଡ ଜିଲ୍ଲାରୁ ୪ଜଣ କରି ମୃତ୍ୟୁବରଣ କରିଥିବାବେଳେ ବାଲେଶ୍ୱର, ଭଦ୍ରକ, ବୌଦ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡରୁ ୩ଜଣ କରି, ଜଗତ୍‍ସିଂହପୁର, କେନ୍ଦ୍ରାପଡା ଓ ପୁରୀରୁ ୨ଜଣ କରି ଏବଂ ବଲାଙ୍ଗିର, ଯାଜପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ତେବେ ୨୪ଘଣ୍ଟାରେ ରାଜ୍ୟରେ ୪୮୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୫ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳେ ରହିଛି । ଉପକୂଳ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ଲକ୍ଷ୍ୟ କରାଯାଇଛି । ଉପକୂଳ ଜିଲ୍ଲା ମଧ୍ୟରେ ଖୋରଧାରୁ ସବାଧିକ ୬୪୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୫୦୫, ବାଲେଶ୍ୱରରୁ ୩୬୪, ଭଦ୍ରକରୁ ୨୨୨, କେନ୍ଦ୍ରାପଡାରୁ ୨୮୭, ଜଗତ୍‍ସିଂହପୁରରୁ ୧୮୦ ଓ ପୁରୀରୁ ୨୩୭ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୧୬ଜଣ ଝାରସୁଗୁଡା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୨୨, ଦେବଗଡରୁ ୨୦, ବଲାଙ୍ଗିରରୁ ୩୧, ସୋନପୁରରୁ ୩୫, ଗଞ୍ଜାମରୁ ୪୦, ସମ୍ବଲପୁରରୁ ୪୧, ଗଜପତିରୁ ୪୮, ବୌଦରୁ ୫୭, କଳାହାଣ୍ଡିରୁ ୬୦, ବରଗଡରୁ ୬୧, କନ୍ଧମାଳ ୮୩, କୋରାପୁଟ ୮୮, ମାଲକାନଗିରି ୮୯ ଓ କେନ୍ଦୁଝରରୁ ୯୬ଜଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୫ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଥିବାବେଳେ ଆଜି ସୁଦ୍ଧା କରୋନା ପରୀକ୍ଷା ସଂଖ୍ୟା ଏକ କୋଟି ୨୫ଲକ୍ଷକୁ ଅତିକ୍ରମ କରିଯାଇଛି । ମୋଟ୍‍ ନମୂନା ମଧ୍ୟରୁ ୬.୭୩ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଲଗାତାର ଭାବେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଆଜି ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୨,୫୧୫ ରହିଛି ।