Home General ୫ଟି ସ୍ଥାନରେ ଖନନ କରିଛି ଏଏସ୍‍ଆଇ

୫ଟି ସ୍ଥାନରେ ଖନନ କରିଛି ଏଏସ୍‍ଆଇ

ଭୁବନେଶ୍ୱର : ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡିଶାରେ ୫ଟି ଖନନ କରିଛି । ବିଜେଡି ସାଂସଦ ସୁଲତା ଦେଓ ଏବଂ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତରରେ ସଂସଦରେଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଏସଆଇ ୨୦୧୮-୧୯ ରେ କଳାହାଣ୍ଡି ଜିଲ୍ଲାର ଅସୁରଗଡରେ ଖନନ କରିଥିବାବେଳେ ୨୦୧୯-୨୦ ଓ ୨୦୨୦-୨୧ ରେ ଯାଜପୁରର ଲାଙ୍ଗୁଡି, ୨୦୨୧-୨୨ ରେ ଭୁବନେଶ୍ୱର ଉପକଣ୍ଠରେ ଥିବା ସାରୀ ଦେଉଳ, ୨୦୨୧-୨୨ ଏବଂ ୨୦୨୨-୨୩ ରେ ଖୋରଧାର ନର ହୁଡା, ତିରିମଲ ଏବଂ ୨୦୨୨-୨୩ ରେ ଯାଜପୁରର ପାରାଭାଡି ହିଲକ ଠାରେ ଖନନ କରିଛନ୍ତି ।

ଅସୁରଗଡ ଖନନ ସମୟରେ ଏଏସ୍‍ଆଇ ୪୧୭ଟି ପ୍ରାଚୀନ ବସ୍ତୁ ପାଇଥିଲା ଯେଉଁଥିରେ ଧାତବ ମାଳି, ଗୋଲାକାର ପାତ୍ର, ଟେରାକୋଟା ତିଆରି ପଶୁ ମୂର୍ତ୍ତି, ବଲ, ଟେରାକୋଟା ତିଆରି ହୁକ୍କା, ଚକ, ବିଭିନ୍ନ ପ୍ରକାରର ପାତ୍ର, କାନଫୁଲ, ମୁଦ, ଗୋଡମୁଦି, ଛୁରୀ ଆଦି ରହିଛି । ଇଟା ଏବଂ ମାଟି କାନ୍ଥ ସହିତ ପଥରରେ ତିଆରି ରାସ୍ତା, ଟେରାକୋଟା ତିଆରି କୂପ ମଧ୍ୟ ନଜରକୁ ଆସିଥିଲା ।

ଏହାବାଦ୍‍ ସ୍ତୁପ, ପଥରରେ ଖୋଦେଇ ସ୍ତୁପ, ପଥର ଖୋଦେଇ ବୁଦ୍ଧ ମୂର୍ତ୍ତି ଏବଂ ଗୋଟିଏ ରାଜବଂଶ, ଟେରାକୋଟା ସାମଗ୍ରୀ, ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ତାରା, କାନଫୁଳ, ମାଳି, ହାଡରେ ତିଆରି ବଳା ଆଦି ଲାଙ୍ଗୁଡି ପାହାଡ ଖନନରୁ ଏଏସ୍‍ଆଇକୁ ମିଳିଥିଲା । ଏହି ସ୍ଥାନରୁ ଟେରାକୋଟା ତିଆରି ବଲ, ବ୍ରସ, ବଟାଳି, ଗଣେଷ ମୂର୍ତ୍ତି, ପଥର ତିଆରି ସାମଗ୍ରୀ ସମେତ ପ୍ରାୟ ୫୦ଟି ପୁରାତନ ସାମଗ୍ରୀ ମିଳିଥିଲା ।

ଅନୁରୂପ ଭାବେ ଭୁବନେଶ୍ୱର ଉପକଣ୍ଠରେ ସାରୀ ଦେଉଳ ଖନନ ସମୟରେ ୬ଟି ପୁରୁଣା ମନ୍ଦିରର ନିମ୍ନ ଭାଗ, ଭଗ୍ନାବସ୍ଥାରେ ଥିବା ମହିଷାମର୍ଦ୍ଦିନୀ ମନ୍ଦିର, ଦେବାଦେବୀ ଏବଂ ପଶୁ ପ୍ରତିମୂର୍ତ୍ତି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ମିଳିଥିଲା । ସେହିଭଳି ଖୋରଧାର ନର ହୁଡା, ତିରାମଲ ଆଦି ସ୍ଥାନରେ ଖନନ ସମୟରେ ୧୦୫ଟି ପୁରାତନ ସାମଗ୍ରୀ ଏଏସ୍‍ଆଇକୁ ମିଳିଥିଲା ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି । ଏଥି ମଧ୍ୟରେ ଟେରାକୋଟାରେ ତିଆରି ମୂତ୍ତି, ତମ୍ବା ସାମଗ୍ରୀ, ଟେରାକୋଟା ମାଳି ଏବଂ ପଥର ତିଆରି ଆଦି ସାମଗ୍ରୀ ଅର୍ନ୍ତଭୁକ୍ତ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପାରାଭାଡି ଅଞ୍ଚଳରେ ଖନନ ସମୟରେ ଆସଲର ମୋସନାରୀ ସ୍ତୁପର ସନ୍ଧାନ ମିଳିଛି । ଏଠାରୁ ପ୍ରସ୍ତର ଏବଂ ଟେରାକୋଟା ସହିତ ୧୪ଟି ପୁରାତନ ସାମଗ୍ରୀ ରହିଛି ଯାହା ମଧ୍ୟରେ ବାସନକୁସନ, ମୂର୍ତ୍ତି, ପଥର ଏବଂ ଟେରାକୋଟା ମୂର୍ତ୍ତି ଆଦି ରହିଛି । (ତଥ୍ୟ)