Home Forest ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ

ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ

ଭୁବନେଶ୍ୱର : ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଲଗାଇବା କ୍ଷେତ୍ରରେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ମଧ୍ୟପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ।

ରାଜ୍ୟସଭାରେ ମନ୍ତ୍ରୀ ଦେଇଥିବା ସୂଚନାରେ ସମଗ୍ର ଦେଶରେ ୯୦ ହଜାର ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ଲଗାଇବାପାଇଁ ଅନୁମତି ଦିଆଯାଇଛି । ଏଥି ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୧୯,୭୩୦ ହେକ୍ଟର ଜଙ୍ଗଲ ଜମିକୁ ଅନୁମତି ମିଳିଥିବାବେଳେ ଦ୍ୱିତୀୟ ସର୍ବାଧିକ ଭାବେ ଓଡିଶାରେ ୧୩,୩୦୪ ହେକ୍ଟର ଜଙ୍ଗଲ ଜମିକୁ ଏଭଳି ଅନୁମତି ପ୍ରଦାନ କରାଯାଇଛି । ସବୁଠାରୁ କମ୍‍ ମାତ୍ର ୦.୪୬ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ଲାଗି ଚଣ୍ଡିଗଡରେ ଅନୁମତି ମିଳିଛି ।

ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୧୯୪୬ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଛତିଶଗଡରେ ୨୮୦୨ ହେକ୍ଟର, ଝାଡଖଣ୍ଡରେ ୪୪୧୬ ହେକ୍ଟର ଓ ପଶ୍ଚିମବଙ୍ଗରେ ୬୨୧ ହେକ୍ଟରରୁ ସାମାନ୍ୟ ଅଧିକ ରହିଛି । ତେବେ ଗୁଜୁରାଟରେ ତୃତୀୟ ସର୍ବାଧିକ ରାଜ୍ୟ ଭାବେ ୮୦୬୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ଲାଗି ଅନୁମତି ମିଳିଛି ।

ଦେଶରେ ଜଙ୍ଗଲ କ୍ଷେତ୍ରଫଳ ସଂକ୍ରାନ୍ତରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌବେ କହିଛନ୍ତି ଯେ ୨୦୨୧ ମସିହାର ଜଙ୍ଗଲ ରିପୋର୍ଟ ଅନୁଯାୟୀ ଦେଶରେ ମୋଟ୍‍ ୭,୧୩,୭୮୯ ବର୍ଗକିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି ଯାହାକି ମୋଟ୍‍ କ୍ଷେତ୍ରଫଳର ୨୧.୭୧% ଅଟେ ।୨୦୧୯ରେ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଏହି ଦୁଇବର୍ଷ ମଧ୍ୟରେ ଦେଶରେ ଜଙ୍ଗଲର ଘନତ୍ୱ ୧୫୪୦ ବର୍ଗକିଲୋମିଟର ବୃଦ୍ଧି ପାଇଛି । ସେହିଭଳି ଦେଶରେ ଜଙ୍ଗଲ ଏବଂ ଗଛର ପରିମାଣ ୮,୦୯,୫୩୭ ବର୍ଗକିଲୋମିଟର ଅଞ୍ଚଳରେ ରହିଛି ଯାହାକି ଦେଶର ମୋଟ କ୍ଷେତ୍ରଫଳର ୨୪.୬୨% ଅଟେ । ୨୦୧୯ ତୁଳନାରେ ଏହା ୨୨୬୧ ବର୍ଗ କିଲୋମିଟର ବୃଦ୍ଧି ପାଇଛି ।

ତେବେ ୨୦୨୧ ର ରିପୋର୍ଟ ଅନୁଯାୟୀ ଓଡିଶାର ମୋଟ କ୍ଷେତ୍ରଫଳ ୧,୫୫,୭୦୭,୦୦ ହେକ୍ଟର ଥିବାବେଳେ ଏଠାରେ ୬୧,୨୦୪,୦୦ ହେକ୍ଟର ଅଞ୍ଚଳରେ ଜଙ୍ଗଲ ଆଚ୍ଛାଦିତ ହୋଇ ରହିଛି । ତେବେ ୨୦୧୯ ଓ ୨୦୨୧ ରିପୋର୍ଟରେ ଏହା ଅପରିବର୍ତ୍ତିତ ଥିବା ଉଲ୍ଲେଖ କରାଯାଇଛି ।

ଅଣଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିକୁ ବ୍ୟବହାର ପାଇଁ ଅନୁମତି ଦେବା ସହିତ କ୍ଷତିପୂରକ ବନୀକରଣ ଯୋଜନାରେ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯାଉଛି । ଏହାବାଦ୍‍ ୨୦୧୫-୧୬ ବର୍ଷରୁ ଦେଶରେ ଗ୍ରିନ୍‍ ଇଣ୍ଡିଆ ମିଶନ ଆରମ୍ଭ ହୋଇଛି । ଏହି ଯୋଜନାରେ ୧୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ବୃକ୍ଷରୋପଣ ପାଇଁ ୭୫୫.୨୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏଥି ସହିତ କେନ୍ଦ୍ର ସରକାର ଜାତୀୟ କ୍ଷତିପୂରକ ବନୀକରଣ ଯୋଜନା ପାଇଁ ୨୦୧୯-୨୦ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୦୮.୫୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ଏହାଛଡା ମନ୍ତ୍ରାଳୟ ପକ୍ଷରୁ ନଗର ବନ ଯୋଜନା ୨୦୨୦ ରୁ କାର୍ଯ୍ୟକାରୀ ହେଉଛି । ଏଥିରେ ୬୦୦ ନଗର ବନ ଏବଂ ୪୦୦ ନଗର ବାଟିକା ସୃଷ୍ଟି କରାଯାଇଛି । ନଗର ବନ ଯୋଜନାରେ ସହରାଞ୍ଚଳ ଓ ସହରତଳି ଅଞ୍ଚଳରେ ସବୁଜ ବଳୟ ସୃଷ୍ଟିର ଯୋଜନା ରହିଛି । କାମ୍ପା ଯୋଜନାରେ ଗତ ୫ବର୍ଷ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୫୫,୩୯୪.୧୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି । (ତଥ୍ୟ)