ଭୁବନେଶ୍ୱର : ଓଡିଶାରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଆଧାରିତ ପ୍ରକଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ୬୫,୦୦୦ କୋଟି ଟଙ୍କା ନିବେଶର ଯୋଜନା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୮,୦୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଲାଣି ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ଏହି ପୂର୍ବାଞ୍ଚଳ ରାଜ୍ୟ ସଂକ୍ରାନ୍ତରେ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ଅତି କମ୍ରେ ୩୮,୮୬୦ କୋଟି ଟଙ୍କାର ନିବେଶ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଇଣ୍ଡିଆନ ଅଏଲ, ଏଚ୍ପିସିଏଲ୍ ଏବଂ ବିପିସିଏଲ୍ ଦ୍ୱାରା ୧୧ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାଦ୍ୱାରା ରାଜ୍ୟରେ ଏଲ୍ପିଜି ଯୋଗାଣ ଶୃଙ୍ଖଳା ଚେନ୍ ସୁରକ୍ଷା ମଜବୁତ ହୋଇପାରିଛି । ଏହି ସମସ୍ତ ପ୍ରକଳ୍ପ ପାନ୍ ଇଣ୍ଡିଆ ଆଧାରରେ ସ୍ୱଚ୍ଛ ଜାଳେଣି ଉପଲବ୍ଧ କରାଉଛି ।
ସମ୍ପୂର୍ଣ୍ଣ ହୋଇଥିବା ବୃହତ୍ ପ୍ରକଳ୍ପ ମଧ୍ୟରେ ପାରାଦୀପ ଠାରେ ୩୪,୫୫୫ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୧୧ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ତୈଳବିଶୋଧନାଗାର ରହିଛି । ସେହିଭଳି ୩୧୫୦ କୋଟି ଟଙ୍କାର ର ପଲିପ୍ରୋପିଲିନ୍ ପ୍ରକଳ୍ପ, ୧୩୮ କୋଟି ଟଙ୍କାର ଏଲ୍ପିଜି ଲୋଡିଂ ଓ ୩୭୧ କୋଟି ଟଙ୍କାର ପିଓଏଲ୍ ଟର୍ମିନାଲ ପାରାଦୀପ ଠାରେ ରହିଛି । ୬୦ କୋଟି ଟଙ୍କାର ବ୍ୟୟରେ ବାଲେଶ୍ୱର ଠାରେ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ଓ ୭୭ କୋଟି କୋଟି ଟଙ୍କା ବ୍ୟୟରେ ପିଓଏଲ୍ ଡିପୋ ସହିତ ଝାରସୁଗୁଡାରେ ୩୯କୋଟି ଟଙ୍କା ବ୍ୟୟରେ ଏଲପିଜି ସିଲିଣ୍ଡର ବଟଲିଂ ଓ ୧୪୫ କୋଟି ଟଙ୍କା ନିବେଶରେ ଟ୍ୟାପ୍-ଅଫ୍-ପଏଣ୍ଟ ଏବଂ ଭୁବନେଶ୍ୱର ଠାରେ ୧୩୦ କୋଟି ଟଙ୍କାର ବ୍ୟୟରେ ପିଓଏଲ୍ ଟର୍ମିନାଲ ଅର୍ନ୍ତଭୁକ୍ତ ।
ଏହି ସମସ୍ତ ପ୍ରକଳ୍ପ ଇଣ୍ଡିଆନ ଅଏଲ କରିଥିବାବେଳେ ଏହା ରାଜ୍ୟର ବିଭିନ୍ନ ଭାବେ ବିଶେଷକରି ସହଜ ଏଲପିଜି ଯୋଗାଣ ସହିତ ବଡ ଧରଣର ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରିଥିବା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉପରୋକ୍ତ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୫,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ଆଉ ୮ଟି ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏଥି ମଧ୍ୟରେ ପାରାଦୀପ୍ ଠାରେ ୧୦୬କୋଟି ନିବେଶରେ ପ୍ଲାଷ୍ଟିକ ପାର୍କ । ଏହି ପ୍ରକଳ୍ପ ପାଇଁ ଇଡ୍କୋ ଓ ଇଣ୍ଡିଆନ ଅଏଲ ହାତ ମିଳାଇଛନ୍ତି । ଏହାଦ୍ୱାରା ରାଜ୍ୟରେ ଅଧିକ ପ୍ଲାଷ୍ଟିକ ଭିତ୍ତିକ ଶିଳ୍ପ ଗଢି ଉଠିବ । ପାରାଦୀପ୍ ସହିତ ଦେଶରେ ୧୦ଟି ପ୍ଲାଷ୍ଟିକ ପାର୍କ ନିର୍ମାଣକୁ ଅନୁମତି ମିଳିଛି ।
ପ୍ଲାଷ୍ଟିକ ପାର୍କରେ ୫୦୦ କୋଟି ଟଙ୍କା ନିବେଶରେ ଅତି କମ୍ରେ ୨୬ ପ୍ରକଳ୍ପ ଆସିବ ଯେଉଁଥିରେ ପ୍ରାୟ ୬୦୦୦ ନିଯୁକ୍ତି ସୁଯୋଗ ରହିଥିବା ଅଧିକାରୀମାନେ କହିଛନ୍ତି । ଏହି ପାର୍କ ପାଇଁ ଆବଶ୍ୟକ ୧୨୦ ଏକର ଜମି ପ୍ରସ୍ତୁତ ହୋଇ ରହିଛି । ଅନୁରୂପ ଭାବେ ବଲାଙ୍ଗିର ଠାରେ ୧୦୩ କୋଟି ଟଙ୍କା ନିବେଶରେ ବଟଲିଂ ପ୍ଲାଣ୍ଟ, ବରଗଡରେ ୧୬୦୦କୋଟି ଟଙ୍କା ବ୍ୟୟରେ ଇଥାନଲ ବାୟୋ ରିଫାଇନାରୀ ପ୍ରକଳ୍ପ ଓ ମେରାମୁଣ୍ଡୁଳିରେ ପିଓଏଲ୍ ଟର୍ମିନାଲ କାର୍ଯ୍ୟ ଜାରି ରହିଛି ।
ଅନୁରୂପ ଭାବେ ରାୟଗଡା ଠାରେ ୯୧ କୋଟି ଟଙ୍କା ବ୍ୟୟରେ ଏଚପିସିଏଲ୍ର ଏଲପିଜି ବଟଲିଂ ପ୍ଲାଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବିତରଣ ବ୍ୟବସ୍ଥାକୁ ମଜବୁତ କରିବାପାଇଁ ତୈଳ କମ୍ପାନୀ ଗୁଡିକ ବିତରଣ ନେଟୱାର୍କକୁ ସମ୍ପ୍ରସାରିତ ପାଇଁ ନୂତନ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିଯୁକ୍ତି, ନୂତନ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ଓ ପୁରୁଣା ବଟଲିଂ ପ୍ଲାଣ୍ଟର କ୍ଷମତା ବୃଦ୍ଧି କାର୍ଯ୍ୟକୁ ଆଗେଇ ନେଉଛନ୍ତି । (ତଥ୍ୟ)