Home Judiciary ସ୍ୟାଟ୍‍ ଉଚ୍ଛେଦ ପରେ ହାଇକୋର୍ଟ ଉପରେ ଚାପା

ସ୍ୟାଟ୍‍ ଉଚ୍ଛେଦ ପରେ ହାଇକୋର୍ଟ ଉପରେ ଚାପା

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ପଦବୀ ସୃଷ୍ଟି ନ କରି ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ଯୋଗୁଁ ହାଇକୋର୍ଟରେ ମାମଲାର ଚାପା ଢ଼େର୍‍ ବଢ଼ି ଯାଇଛି । ଏଥିଯୋଗୁଁ ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ହଜାର ହଜାର ସଂଖ୍ୟକ ଦେୱାନି ଓ ଫୌଜଦାରୀ ମାମଲାଗୁଡିକର ଫଏସଲା କ୍ଷେତ୍ରରେ ବିଳମ୍ବ ଘଟୁଥିବା ଘେନି ଅଭିଜ୍ଞ ଆଇନଜୀବୀମାନେ ଅଭିଯୋଗ କରୁଛନ୍ତି ।

ସ୍ୟାଟ୍‍ ପାଇଁ ଅଧ୍ୟକ୍ଷଙ୍କ ସମେତ ୮ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଥିଲା । ଏହି ବିଚାରପତିମାନେ ଉଭୟ ବିଚାର ବିଭାଗୀୟ ଓ ପ୍ରଶାସନିକ କ୍ଷେତ୍ରରୁ ଆସୁଥିଲେ । ସେମାନେ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସ୍ୟାଟର ନିୟମିତ ଓ ସର୍କିଟ୍‍ ବେଞ୍ଚରେ ସରକାରୀ ଚାକିରି ଓ ପେନ୍‍ସନ ସଂକ୍ରାନ୍ତୀୟ ମାମଲା ଶୁଣାଣି କରୁଥିଲେ । ସୁରୁଖୁରୁରେ ସ୍ୟାଟ୍‍ର କାର୍ଯ୍ୟ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିନେଇ କେନ୍ଦ୍ର ସରକାର ସ୍ୟାଟ୍‍ ଉଚ୍ଛେଦ ଘେନି ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ କରିବାରୁ ଏଠାରେ ବିଚାର ପ୍ରତୀକ୍ଷାରେ ଥିବା ପ୍ରାୟ ୭୦ ହଜାର ମୂଳ ଓ ବିବିଧ ମାମଲାର ବୋଝ ହାଇକୋର୍ଟଙ୍କ ଉପରକୁ ଯାଇଛି ।

ଅବଶ୍ୟ ୩ ବର୍ଷ ମଧ୍ୟରେ ହାଇକୋର୍ଟ ଏଥିରୁ କିଛି ମାମଲା ଫଏସଲା କରିଥିଲେ ମଧ୍ୟ ଚାକିରି ଓ ପେନସନ ସଂକ୍ରାନ୍ତୀୟ ନୂଆ ମାମଲା ରୁଜୁ ହେଉଥିବାରୁ ଏଭଳି କିସମର ମାମଲା ସଂଖ୍ୟା ହାଇକୋର୍ଟରେ ଅଧିକ ରହୁଛି । ଓଡ଼ିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏବେ ସେଥିରୁ ୯ଟି ପଦବୀ ଖାଲି ପଡିଛି । ଅବଶ୍ୟ ସୁପ୍ରିମକୋର୍ଟର ବିଦାୟୀ ମୁଖ୍ୟ ବିଚାରପତି ଏନ୍‍.ଭି. ରମନ୍ନାଙ୍କ ସମୟରେ ତୁଳନାତ୍ମକ ଭାବେ ଓଡ଼ିଶା ହାଇକୋର୍ଟରେ ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତ ହୋଇଛନ୍ତି ।

ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ ପେନସନ ସଂକ୍ରାନ୍ତୀୟ ମାମଲାଗୁଡିକର ଚାପ ଯୋଗୁଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଆଉ ଅନ୍ୟୂନ ୬ଟି ବେଞ୍ଚରେ ଏଭଳି କିସମର କିଛି ମାମଲା ତାଲିକାଭୁକ୍ତ ହେଉଛି । ତେବେ ସ୍ୱତନ୍ତ୍ର ଭାବେ ପୂର୍ଣ୍ଣକାଳୀନ ସର୍ଭିସ୍‍ ବେଞ୍ଚ ନଥିବା ଯୋଗୁଁ ଫୌଜଦାରୀ, ଦେୱାନି ଓ ଅନ୍ୟାନ୍ୟ ମାମଲା ସହିତ ବିଚାରପତିମାନଙ୍କୁ କିଛି କିଛି ଚାକିରି ସର୍ତ୍ତାବଳୀ, ନିଯୁକ୍ତି ଓ ପେନସନ ଆଦି ସଂକ୍ରାନ୍ତୀୟ ମାମଲା ଶୁଣିବାକୁ ପଡୁଛି । ଫଳରେ ଏହି ସମୟରେ ଅନ୍ୟ ମାମଲାର ଶୁଣାଣି ବାଧାପ୍ରାପ୍ତ ହେଉଥିବା ଆଇନଜୀବୀମାନେ କହୁଛନ୍ତି । ଏଥିଯୋଗୁଁ ମାମଲାରେ ଛନ୍ଦି ହୋଇଥିବା ଲୋକଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀମାନେ ବି ନାହିଁନଥିବା ହିନସ୍ତାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଆଡଭୋକେଟ ଜେନେରାଲଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ ଅନେକ କ୍ଷେତ୍ରରେ ଉତ୍ତର ଦାଖଲ କରାଯାଇ ପାରୁନାହିଁ ।

କେତେକ ଅବସରପ୍ରାପ୍ତ ବିଚାରପତି, ଅଭିଜ୍ଞ ଆଇନୀବୀ ଓ ପୂର୍ବତନ ପ୍ରଶାସକଙ୍କ ମତରେ ସରକାରୀ ସ୍ତରରେ ଅଭିଯୋଗ ଫଏସଲା ପାଇଁ ସକାରାତ୍ମକ ମନୋଭାବର ଅଭାବ ଯୋଗୁଁ ମାମଲା ସଂଖ୍ୟା ବଢ଼ୁଛି । ସ୍ୟାଟ୍‍ ପାଇଁ ଥିବା ୮ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଉଚ୍ଛେଦ ହୋଇଯାଇଥିବା ବେଳେ ସମାନ ସଂଖ୍ୟକ କିମ୍ବା ତଦୁର୍ଦ୍ଧ୍ୱ ବିଚାରପତି ପଦବୀ ହାଇକୋର୍ଟରେ ସୃଷ୍ଟିକରି ସ୍ୱତନ୍ତ୍ର ସର୍ଭିସ୍‍ ବେଞ୍ଚ କରାଗଲେ ଅନ୍ୟ ମାମଲା ଫଏସଲାରେ ସମସ୍ୟା ଉପୁଜିବ ନାହିଁ ବୋଲି ସେମାନଙ୍କ ମତ । ଏହା କରାଯାଇ ନ ପାରିଲେ କ୍ୟାଟ୍‍ ଭଳି ସ୍ୟାଟ୍‍ ଚାଲୁ ରହିବା ନିହାତି ଦରକାର ।

ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ଓଡ଼ିଶା ହାଇକୋର୍ଟରେ ଏବେ ପାଖାପାଖି ୧ ଲକ୍ଷ ୮୦ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ୧ଲକ୍ଷ ୩୪ ହଜାର ଦେୱାନି ମାମଲା ଥିବାବେଳେ ୪୫ ହଜାରରୁ ଅଧିକ ଫୌଜଦାରୀ ମାମଲା ରହିଛି । ଏହି ମାମଲାଗୁଡିକ ମଧ୍ୟରୁ ପ୍ରାୟ ୩୨ ହଜାର ମାମଲା ୫ରୁ ୨୦ବର୍ଷ ଧରି ଗଡୁଥିବା ବେଳେ ପ୍ରାୟ ୫ ହଜାର ମାମଲା ୨୦ରୁ ୩୦ବର୍ଷ ଓ ୯୩୩ଟି ମାମଲା ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି । ମୋଟାମୋଟି ଭାବେ ହାଇକୋର୍ଟର ମୋଟ ମାମଲାର ପ୍ରାୟ ଏକ ତୃତୀୟାଂଶ ଓ ସିିଭିଲ ମାମଲାର ପାଖାପାଖି ଅଧା ନିଯୁକ୍ତି, ପେନସନ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ବୋଲି ଅଭିଜ୍ଞ ଆଇନଜୀବୀମାନେ କହୁଛନ୍ତି । (ତଥ୍ୟ)