ଭୁବନେଶ୍ୱର : ରାସ୍ତାପାଶ୍ୱର୍ ଖାଦ୍ୟ ବିକ୍ରେତାଙ୍କ ଉପରେ ବିଏମ୍ସି କଟକଣା ଜାରି କରିଥିବାବେଳେ ଏହାକୁ ନେଇ ଏବେ ଖାଦ୍ୟ ପସରା ଖୋଲିଥିବା ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି । ତେବେ ସରକାରୀ ହିସାବରେ ରାଜଧାନୀରେ ୩୫ହଜାର ରାସ୍ତାକଡ ବ୍ୟବସାୟୀ ଥିବାବେଳେ ଏଥିରୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି ।
କରୋନା ମହାମାରୀ ପରେ ରାସ୍ତାପାଶ୍ୱର୍ ବ୍ୟବସାୟୀମାନଙ୍କୁ ସହାୟତା ପାଇଁ ସରକାର ଆଗଭର ହୋଇଥିବାବେଳେ ସେମାନଙ୍କର ତାଲିକା ପ୍ରସ୍ତୁତ ହୋଇଥିଲା । ଏଥିରୁ ଜଣାପଡିଥିଲା ଯେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ରାସ୍ତାକଡ ବ୍ୟବସାୟୀ ଥିବାବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୩୫ହଜାର ରାଜଧାନୀର ରାସ୍ତାକଡରେ ପସରା ଖୋଲିଛନ୍ତି ।
ଏହି ବ୍ୟବସାୟୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ କରୋନା ସହାୟତା ପ୍ରଦାନ ସହିତ ସହଜ ଋଣ ଯୋଗାଣ ବି ହୋଇଛି । ଆର୍ଥିକ ସହାୟତା ପାଇବାପରେ ଅନେକ ଖାଦ୍ୟ ବ୍ୟବସାୟୀ ସେମାନଙ୍କ କାରବାର ବଢାଇଛନ୍ତି । ଏଥିରୁ କେତେକ ଠେଲାଗାଡିରେ ବ୍ୟବସାୟ କରୁଥିବାବେଳେ ଆଉ କେତେକ ବିଏମ୍ସି ପକ୍ଷରୁ ଯୋଗାଯାଇଥିବା ଭେଣ୍ଡିଂ ଜୋନ୍ରେ ନିଜର ଦୋକାନ ଖୋଲିଛନ୍ତି ।
ଏହିସବୁ ଖାଦ୍ୟ ଦୋକାନ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ପାର୍କିଂ । କାରଣ କୌଣସି ଠାରେ ଏଭଳି ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ ହୋଇନଥିବାରୁ ସେମାନେ ରାସ୍ତାକଡରେ କିଛି ସମୟ ପାଇଁ ବେପାର କରିଥାନ୍ତି । ଏଥିପାଇଁ ବିଏମ୍ସି ଠାରୁ ଆରମ୍ଭ କରି ସ୍ଥାନୀୟ ଦାଦାଙ୍କୁ ମଧ୍ୟ ଅର୍ଥ ଗଣିଥାନ୍ତି । କେତେକ ଦୋକାନୀ ବିଏମ୍ସି ଠାରୁ ଲାଇସେନ୍ସ ବି ପାଇଛନ୍ତି । ଠେଲାଗାଡି ତ ଦୂରରକଥା ବିଏମ୍ସିର ଭେଣ୍ଡିଂ ଜୋନ୍ ସାମ୍ନାରେ ବି ଗାଡି ରଖିବାକୁ ଆବଶ୍ୟକ ସ୍ଥାନ ନଥିବାରୁ ଦୋକାନ କାରବାର ସମୟରେ ଲୋକେ ରାସ୍ତାଉପରେ ଗାଡି ରଖି ଭିଡ କରିଥାନ୍ତି ।
ଏବେ ବିଏମ୍ସି ପକ୍ଷରୁ ରାସ୍ତା ଉପରେ ଖାଦ୍ୟ ବିକ୍ରି ଉପରେ କଟକଣା ସହିତ ଗାଡି ପାର୍କିଂ ନେଇ କଠୋର ଆଭିମୁଖ୍ୟ ଦେଖାଯାଇଛି । ରାସ୍ତାଉପରେ ଗାଡି ରଖିଲେ ବିଏମ୍ସି ତାହାକୁ ଟେକି ନେଇଯିବ ବୋଲି ଧମକ ଦେଇଛି । ତେବେ କୌଣସି ସୁବିଧା ନକରି ହଠାତ୍ କଟକଣା ଯୋଗୁଁ ସରକାରୀ ଖାତାରେ ଥିବା ୩୫ହଜାର ଓ ଖାତା ବାହାରେ ଥିବା ଆହୁରି ହଜାର ହଜାର ଦୋକାନୀ କେଉଁଠାରେ ବେପାର କରିବେ ସେହି ଚିନ୍ତାରୋ ପଡିଛି । ଅନ୍ୟ ସ୍ଥାନରେ ବ୍ୟବସାୟ ପାଇଁ ସ୍ଥାନ ଯୋଗାଇବା ତ ଦୂରରକଥା ଭିଡ ହେଉଥିବା ସ୍ଥାନରୁ ଭେଣ୍ଡିଂ ଜୋନ୍ ସ୍ଥାନାନ୍ତର ପାଇଁ ବିଏମ୍ସିର ପ୍ରସ୍ତାବ ଏବେ ନାଲିଫିତା ତଳେ ରହିଛି ।
ବିଏମ୍ସି ପକ୍ଷରୁ ଉଠା ଦୋକାନୀ ପାଇଁ ଏଭଳି କଟକଣା ଜାରି କରାଯିବା ଏବେ ନବ ନିର୍ବାଚିତ କର୍ପୋରେଟରଙ୍କ ଉପରେ ଚାପ ବଢିବାରେ ଲାଗିଛି । କାରଣ ଅଧିକାଂଶ ଉଠା ବ୍ୟବସାୟୀ ବିଭିନ୍ନ ବସ୍ତିରେ ବସବାସ କରୁଥିବାବେଳେ ସେମାନେ ରାଜଧାନୀର ଭୋଟର ତାଲିକାରେ ରହିଛନ୍ତି । ତେଣୁ ବିଏମ୍ସିର ଏଭଳି ନାଲିଆଖି ବିରୁଦ୍ଧରେ ଏବେ ସେମାନେ ସ୍ଥାନୀୟ କର୍ପୋରେଟରଙ୍କ ଶରଣ ପଶିଥିବାବେଳେ ଆଗାମୀ ଦିନରେ ଏହାକୁ ନେଇ କର୍ପୋରେଟର ଓ ବିଏମ୍ସି କର୍ତ୍ତୃପକ୍ଷ ମୁହାଁମୁହିଁ ହେବା ଆଶଙ୍କା ଉପୁଜିଛି । ଅନ୍ୟ ବଡ ବଡ ସହର ଭଳି ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ ନକରି ଦୋକାନୀମାନଙ୍କ ବ୍ୟବସାୟ ଉପରେ ଏଭଳି କଟକଣା ଲଗାଇବାକୁ ଉଠା ଦୋକାନୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । (ତଥ୍ୟ)