ଭୁବନେଶ୍ୱର : ଓଡିଶାରେ ୩୦ ପ୍ରତିଶତରୁ ଅଧିକ ମହିଳା ଲିଙ୍ଗଗତ ହିଂସାର ଶିକାର ହେଉଛନ୍ତି । ଏ କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡିଶାରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ପରିମାଣ ସାମାନ୍ୟ ଅଧିକ ରହିଛି ।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଦ୍ୟ ପ୍ରକାଶ କରିଥିବା ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟର ତଥ୍ୟରେ ଦର୍ଶାଯାଇଛି ଯେ ଜାତୀୟ ସ୍ତରରେ ୧୮ ରୁ ୪୯ ବର୍ଷ ବୟସ୍କା ବିବାହିତା ମହିଳାଙ୍କ ମଧ୍ୟରୁ ୨୯.୩ ପ୍ରତିଶତ ଶାରିରୀକ ଓ ଯୌନ ହିଂସାର ଶିକାର ହେଉଥିବାବେଳେ ଓଡିଶାର ଏହି ହାର ୩୦.୬ ପ୍ରତିଶତ ରହିଛି । ତେବେ ଦେଶର ଅନ୍ୟ କେତେକ ରାଜ୍ୟରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସାର ପରିମାଣ ଓଡିଶା ଅପେକ୍ଷା ମଧ୍ୟ ଅଧିକ ରହିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ।
ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ରିପୋର୍ଟରେ ବି ଓଡିଶା ସମେତ ଅନ୍ୟ କେତେକ ରାଜ୍ୟରେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧର ସଂଖ୍ୟା ବର୍ଷକୁ ବର୍ଷ ବଢି ବଢି ଚାଲିଛି । ସମଗ୍ର ଦେଶରେ ଏବେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକୃତ ମହିଳା ହିଂସା ମାମଲା ବିଚାରାଧିନ ରହିଥିବାବେଳେ ଓଡିଶାରେ ଏହି ସଂଖ୍ୟା ପ୍ରାୟ ଦେଢ ଲକ୍ଷ ହେବ ବୋଲି କୁହାଯାଉଛି ।
କ୍ରାଇମ ଇନ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ମହିଳାମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ କିସମ ଅପରାଧର ଯେତେ ମାମଲା ବିଚାର ପାଇଁ ରହିଛି ସେଥିରୁ ବର୍ଷକରେ ୫ ପ୍ରତିଶତ ବି ଫଏସଲା ହେଉନାହିଁ ଏବଂ ଏ ସଂକ୍ରାନ୍ତୀୟ ଯେତିକି ମାମଲା ଆମ ଦେଶରେ ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍ ରହୁଛି । ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ଓଡିଶାରେ ବିଚାର ପ୍ରତୀକ୍ଷାରେ ଥିବା ମହିଳାଙ୍କ ପ୍ରତି ବିଭିନ୍ନ ପ୍ରକାର ଅପରାଧିକ ମାମଲାରୁ ବର୍ଷକରେ ମାତ୍ର ୧.୧ ପ୍ରତିଶତ ଫଏସଲା ହେଉଛି ଏବଂ ଯେତେ ମାମଲା ଫଏସଲା କରାଯାଉଛି ସେଥିରେ ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୯.୨ ପ୍ରତିଶତରେ ସୀମିତ ରହିଛି ।
ଗୋଟିଏ ପଟେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାବେଳେ ଅନ୍ୟ ପକ୍ଷରେ ଏ ସଂକ୍ରାନ୍ତୀୟ ମାମଲାଗୁଡିକ ତ୍ୱରିତ ଫଏସଲା ନହୋଇ ବର୍ଷ ବର୍ଷ ଧରି ଗଡିବା ଯୋଗୁଁ ଅପରାଧିମାନେ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ କରିବା ସଂଗେ ସଂଗେ ଅନ୍ୟ ଉପାୟ ଅବଲମ୍ବନ କରି ସଂଖ୍ୟାଧିକ ମାମଲାରେ ନିର୍ଦ୍ଦୋଷରେ ଖସି ଯାଉଛନ୍ତି । ଏହା ଆଇନ୍ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବଡ ଆହ୍ୱାନ ସୃଷ୍ଟି କରିଛି ।
ସମଗ୍ର ଦେଶରେ ବିଚାରାଳାୟଗୁଡିକରେ ୪.୧୫ କୋଟିରୁ ଅଧିକ ମାମଲା ପଡି ରହିଥିବାବେଳେ ସେଥି ମଧ୍ୟରୁ ୩କୋଟିରୁ ଅଧିକ ହେଉଛି ଅପରାଧିକ ମାମଲା । ସଂଖ୍ୟାଧିକ ଅପରାଧିକ ମାମଲା ୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଗଡିବାର ନଜିର ରହିଛି । ଗୋଟିଏ ପଟେ ମାମଲାର ଚାପ ବଢୁଥିବାବେଳେ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅଧିକରୁ ଅଧିକ ସଂଖ୍ୟକ ବିଚାରାଳୟ ଓ ଥାନା ଫାଣ୍ଡି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ମହିଳାଙ୍କ ପ୍ରତି ହିଂସା ସମେତ ଅପରାଧିକ ମାମଲା ସଂଖ୍ୟା କାହିଁକି ବଢୁଛି ଓ କି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଗଲେ ଏଭଳି ଅପରାଧ ଘଟିବନାହିଁ ତାହା ଉପରେ କିନ୍ତୁ ଯେତେ ଗୁରୁତ୍ୱ ଦିଆଯିବାକଥା ତାହା ହେଉନାହିଁ ବୋଲି ସମାଜବିଜ୍ଞାନୀମାନେ ମତ ରଖୁଛନ୍ତି । (ତଥ୍ୟ)