Home Election ବିଜେଡିର ବଡ ବିଜୟ

ବିଜେଡିର ବଡ ବିଜୟ

ଭୁବନେଶ୍ୱର: ଶାସକ ବିଜେଡି ପୁଣି ଥରେ ବ୍ରଜରାଜନଗର ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟ ଲାଭ କରବା ସହିତ ପ୍ରମାଣିତ କରିଛି ଯେ ରାଜ୍ୟରେ ଆଉ ତାହାର କେହି ପ୍ରତିଦ୍ୱନ୍ଦୀ ନାହାନ୍ତି ।

ଏହି ର୍ନିବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୯୩,୯୫୩ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସ ଏବଂ ବିଜେପିର ପ୍ରତିଦ୍ୱନ୍ଦ୍ୱୀମାନେ ଯଥାକ୍ରମେ ୨୭,୮୩୧ ଏବଂ ୨୨,୬୩୦ ଭୋଟ୍ ପାଇଛନ୍ତି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ଅଳକା ୬୬,୧୨୨ ବ୍ୟବଧାନରେ ଏହି ଆସନ ହାତେଇ ନେଇଛନ୍ତି ।

ର୍ନିବାଚନ ଆୟୋଗର ତଥ୍ୟ ଅନୁଯାୟୀ, ମେ ୩୧ ରେ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ ସମୁଦାୟ ୧,୫୩,୩୯୮ ଭୋଟ୍ ପଡିଥିଲା ।

ମୋଟ ଭୋଟରୁ ଅଳକା ୬୧.୨୫ ପ୍ରତିଶତ, ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ କିଶୋର ପଟେଲ ୧୮.୧୪ ପ୍ରତିଶତ ଭୋଟ୍ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୪.୭୫ ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ସିପିଆଇରୁ ରମେଶ କୁମାର ତ୍ରିପାଠୀଙ୍କୁ ୩୧୦୫ ଭୋଟ ମିଳିଥିବାବେଳେ ୧୫୧୧ ଭୋଟର ନୋଟାରେ ଦେଇଛନ୍ତିି ।

୨୦୧୯ ପରଠାରୁ ଶାସକ ବିଜେଡି ଗୋଟିଏ ବି ବିଧାନସଭା ଉପର୍ନିବାଚନରେ ହାରିନାହିଁ । ଗୋଟିଏ ପରେ ଗୋଟିଏ ବିଜୟ ସହିତ ରାଜ୍ୟରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଛି । ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ ଏବଂ ପିପିଲି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ-ର୍ନିବାଚନରେ ଦଳ ଜିତିଥିଲା । ଚାରିଟି ଆସନ ମଧ୍ୟରେ ବାଲେଶ୍ୱର ଆସନ ବିଜେପି ହାତରେ ଥିଲା ।

୨୦୧୯ ଲୋକସଭା ର୍ନିବାଚନ ପରେ ଏହା ପ୍ରଥମ ଥର ପାଇଁ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିବା ସହିତ ବିଜେପି ତୃତୀୟ ସ୍ଥାନ ଅଧିକାର କରିଛି । ଶାସକ ଦଳର କର୍ମୀମାନେ ବାଣ ଫୁଟାଇବା ଏବଂ ବାଜା ବଜାଇବା ସହ ଉତ୍ସବ ଆରମ୍ଭ କରିଥିଲେ ।

ଗତ ବର୍ଷ ଡିସେମ୍ବରରେ ବିଜେଡି ପ୍ରାର୍ଥୀଙ୍କ ସ୍ୱାମୀ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିବାରୁ ଏହି ଉପନିର୍ବାଚନ ଆବଶ୍ୟକ ଥିଲା ।