ଭୁବନେଶ୍ୱର : ଓଡିଶାର ୧୪ଟି ସରକାରୀ କଲେଜ ସମେତ ପ୍ରାୟ ୩୦ଟି ସ୍ୱୟଂଶାସିତ କଲେଜର ସ୍ୱୟଂଶାସିତ ମାନ୍ୟତା କେବେଠାରୁ କଟି ସାରିଲାଣି । ଏହାସତ୍ତ୍ୱେ ବି ଏହି କଲେଜ ଗୁଡିକ ନିଜକୁ ସ୍ୱୟଂଶାସିତ କଲେଜ ବୋଲି ଲେଖୁଛନ୍ତି । ଯେଉଁସବୁ କଲେଜର ସ୍ୱୟଂଶାସିତ ମାନ୍ୟତା କଟିସାରିଛି ସେଗୁଡିକ କିଭଳି ଏହି ମାନ୍ୟତା ଫେରିପାଇବ ଏବଂ ଆଉ ଅଧିକରୁ ଅଧିକ କଲେଜ ସ୍ୱୟଂଶାସିତ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ, ଉଚ୍ଚଶିକ୍ଷା ପରିଷଦ ଓ ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ବହୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ନ୍ୟାକ୍ ମାନ୍ୟତା ନବିକରଣ କରାଉନାହାନ୍ତି । ଏହାଛଡା ଯେଉଁସବୁ କଲେଜଗୁଡିକ ସ୍ୱୟଂଶାସିତ ମାନ୍ୟତା ହରାଇଛନ୍ତି ସେମାନେ ଏହା ଫେରିପାଇବା ପାଇଁ ଯେଭଳି ଉଦ୍ୟମ କରିବା କଥା ତାହା କରୁନାହାନ୍ତି ।
ଇତିମଧ୍ୟରେ କେତେକ କଲେଜ ଅବଶ୍ୟ ନ୍ୟାକ୍ ମାନ୍ୟତା ସହ ସେ ସ୍ୱୟଂଶାସିତ ମାନ୍ୟତା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧାରୁ ଅଧିକ କଲେଜର ନ୍ୟାକ୍ ମାନ୍ୟତା ନାହିଁ । ଅନେକର ନ୍ୟାକ୍ ମାନ୍ୟତା କେବେଠାରୁ କଟିସାରିଲାଣି । ଯେଉଁକେତୋଟି ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ନ୍ୟାକ୍ ମାନ୍ୟତା ରହିଛି ସେଥିରୁ ଅଧିକାଂଶ ନିମ୍ନ ଗ୍ରେଡ୍ର ମାନ୍ୟତା ଥିବାରୁ ଉଚ୍ଚସ୍ତରକୁ ଯିବାପାଇଁ ଯେଭଳି ଉଦ୍ୟମ କରାଯିବା କଥା ତାହା ହେଉନାହିଁ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଆଉକେତେକ ବିଶ୍ୱବିଦ୍ୟାଳୟର ମଧ୍ୟ ନ୍ୟାକ୍ ମାନ୍ୟତା ନାହିିଁ । ଏ ପରିପ୍ରେକ୍ଷୀରେ ବହୁ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଶ୍ୱବିଦ୍ୟାଳୟ କଲେଜ ଆଦି ସେମାନଙ୍କ ପୁରୁଣା ରେକର୍ଡରେ ଥିବା ସ୍ୱୟଂଶାସିତ ମାନ୍ୟତା ଓ ନ୍ୟାକ୍ ଗ୍ରେଡ୍ ଆଦି ଦର୍ଶାଇ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୟୁଜିସିର ୨୦୧୮ ନିୟମାବଳୀ ଅନୁଯାୟୀ ୩.୦୧ ସିଜିଟିଏ ବା ନ୍ୟାକ୍ ‘ଏ’ଗ୍ରେଡ୍ ପାଇଥିବା କଲେଜଗୁଡିକ ସ୍ୱୟଂଶାସିତ ମାନ୍ୟତା ପାଇଁ ହକ୍ଦାର । କୌଣସି ଉଚ୍ଚଶିକ୍ଷା ଅନୁଷ୍ଠାନ ଏହା ପୂରଣ କରିନପାରିଲେ ତାହାର ସ୍ୱୟଂଶାସିତ ମାନ୍ୟତା କଟିଯାଇଥାଏ । ଏଠାରେ ଉଲ୍ଲେଖନୀୟ ଯେ ବିଜେବି ଭଳି ଅଗ୍ରଣୀ କଲେଜର ମାନ୍ୟତା ପ୍ରାୟ ଦେଢ ବର୍ଷ ତଳୁ କଟିଯାଇଥିବାବେଳେ ପୁଣି ଏହା ହାସଲ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ।
ରାଜ୍ୟରେ ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କରାଇ କଲେଜ ଓ ବିଶ୍ୱବିଦ୍ୟାଳୟ ବିକାଶ ଲାଗି ଉଦ୍ୟମ ଚାଲିଛି । ଏହାଛଡା କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନଥିବାରୁ ଅତିଥି ଓ ଠିକା ବ୍ୟବସ୍ଥା ମାଧ୍ୟମରେ କାମ ଚଳାଯାଉଛି । କଲେଜ ଗୁଡିକରେ ନିୟମିତ ଅଧ୍ୟାପକ ନିଯୁକ୍ତି ଲାଗି ପ୍ରକ୍ରିୟା ଜାରି ରହିଥିବାବେଳେ ଆଇନଗତ ବିବାଦ ଯୋଗୁ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପ୍ରକ୍ରିୟା ଅନିଶ୍ଚିତତା ଲାଗି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଛାତ୍ର ସଂଗଠନ ଗୁଡିକ କିନ୍ତୁ ଏହି ସମସ୍ୟାର ସମାଧାନ ଲାଗି ଚାପ ପ୍ରୟୋଗ କ୍ଷେତ୍ରରେ ବ୍ୟର୍ଥ ହେଉଛନ୍ତି । (ତଥ୍ୟ)