ଭୁବନେଶ୍ୱର : ରାଜ୍ୟର ୩୦ଟି ସଡକର ବିକାଶ ପାଇଁ ୧୨୬୯.୦୨ କୋଟି ଟଙ୍କା ଯୋଗାଇବାକୁ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ତଦନୁଯାୟୀ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି ।
ଶ୍ରୀ ମିଶ୍ର ତାଙ୍କ ପତ୍ରରେ କେନ୍ଦ୍ର ସଡକ ଏବଂ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ୍)ରୁ ରାଜ୍ୟର ୩୦ଟି ସଡକ ସକାଶେ ଦିଆଯାଇଥିବା ପ୍ରସ୍ତାବ ଅନୁମୋଦନ ପାଇଁ କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏହି ସଡକଗୁଡିକ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ବିଚାର କରି ୧୨୬୯.୦୨ କୋଟି ଟଙ୍କା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟ ସରକାର କେନ୍ଦ୍ରର ସଡକ ଏବଂ ଭିତ୍ତିଭୂମି ପାଣ୍ଠି ଜରିଆରେ ରାଜ୍ୟର ୬୧୯.୦୧ କିଲୋମିଟର ସଡକ ନିର୍ମାଣ ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ପୂର୍ତ୍ତ ବିଭାଗ ପକ୍ଷରୁ ଓଡିଶାକୁ ସିଆରଆଇଏଫ୍ ପାଣ୍ଠିରୁ ୧୨୯୯ କୋଟି ଟଙ୍କା ଯୋଗାଇବାକୁ ଅନୁରୋଧ କରାଯାଇଥିଲା ।
ସେହି ପ୍ରସ୍ତାବରେ ରାଜ୍ୟ ସରକାର ୨୫ଟି ସଡକ ପାଇଁ ସିଆରଆଇଏଫ୍ ରୁ ୧୦୦୧ କୋଟି ଟଙ୍କା ଯୋଗାଇବାକୁ କୁହାଯାଇଥିଲା । ବର୍ତ୍ତମାନ ପ୍ରସ୍ତାବରେ ସଂଶୋଧନ କରି ସଡକ ସଂଖ୍ୟା ୨୫ରୁ ୩୦କୁ ବୃଦ୍ଧି କରାଯିବା ସହିତ ଆବଶ୍ୟକ ଅର୍ଥ ପରିମାଣ ମଧ୍ୟ ୧୨୬୯.୦୨ କୋଟି ଟଙ୍କା କରାଯାଇଛି । ଏହାବାଦ୍ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇ ଯୋଜନାରେ ଅନ୍ୟ ତିନିଟି ସଡକ ପ୍ରକଳ୍ପ ପାଇଁ ୧୨୩ କୋଟି ଟଙ୍କା ଯୋଗାଇ ଦେବାକୁ କୁହାଯାଇଥିବାବେଳେ ଆନ୍ତଃରାଜ୍ୟ ସଂଯୋଗ (ଆଇଏସ୍ସି) ଯୋଜନାରେ ମଧ୍ୟ ତିନିଟି ସଡକ ପ୍ରକଳ୍ପ ପାଇଁ ୧୭୫କୋଟି ଟଙ୍କା ଦେବାକୁ ପୂର୍ତ୍ତ ବିଭାଗ କହିଛି ।
କେନ୍ଦ୍ର ସଡକ ଏବଂ ଭିତ୍ତିଭୂମି ପାଣ୍ଠି (ପୂର୍ବରୁ ଏହା କେନ୍ଦ୍ର ସଡକ ପାଣ୍ଠି ଥିଲା) ୨୦୦୦ ମସିହାରେ କେନ୍ଦ୍ରୀୟ ସଡକ ପାଣ୍ଠି ଆଇନ୍, ୨୦୦୦ ଅନୁଯାୟୀ ଗଠିତ ହୋଇଥିଲା । ଏହି ପାଣ୍ଠି ପେଟ୍ରୋଲ ଓ ଡିଜେଲରୁ ମିଳୁଥିବା ଏକ୍ସାଇଜ୍ ଡ୍ୟୁଟି ସହିତ ଗୋଟିଏ ସେସ୍କୁ ନେଇ ଗଠିତ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସିଆରଏଫ୍ ଏବଂ ଇଆଇ ଓ ଆଇସିଏସ୍ ପାଣ୍ଠିରୁ ଅର୍ଥ ମଞ୍ଜୁର ସମୟରେ କେନ୍ଦ୍ର ସରକାର ଅଗ୍ରାଧିକାର ପ୍ରକଳ୍ପଗୁଡିକୁ ଚିହ୍ନଟ କରିଥାନ୍ତି । ଯଦି କୌଣସି ପ୍ରକଳ୍ପ ଆର୍ଥିକ ବର୍ଷ ମଧ୍ୟରେ ଅନୁମୋଦନ ପାଇନଥାଏ ତେବେ ତାହା ଆଉ ଅପେକ୍ଷା ତାଲିକାରେ ରହେ ନାହିଁ ବୋଲି ଜଣାପଡିଛି । (ତଥ୍ୟ)