ଭୁବନେଶ୍ୱର : ଯେକୌଣସି ସମୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଏବେ ସମସ୍ତଙ୍କ ନଜର ଏପ୍ରିଲ ମାସର ତିନିଟି ତାରିଖ ଉପରେ କେନ୍ଦ୍ରୀଭୂତ ହୋଇଛି । ଏହି ତିନିଟି ତାରିଖ ହେଲା ବିଜେପିର ପ୍ରତିଷ୍ଠା ଦିବସ ଏପ୍ରିଲ ୬, ଇଦୁଲ ଫିତର ଏପ୍ରିଲ ୧୧ ଏବଂ ଏପ୍ରିଲ୍ ୧୭ରେ ପଡୁଥିବା ଶ୍ରୀରାମନବମୀ ।
ଆସନ୍ତା ଜୁନ୍ ୧୬ତାରିଖରେ ଲୋକସଭାର କାର୍ଯ୍ୟକାଳ ପୂରିବାକୁ ଯାଉଥିବାରୁ ଏହା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ମଇମାସ ସୁଦ୍ଧା ଲୋକସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇପାରେ ଏବଂ ଜୁନ୍ ପ୍ରଥମ ସପ୍ତାହ କିମ୍ବା ତାହା ପୂର୍ବରୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇପାରେ ବୋଲି ବିଭିନ୍ନ ରାଜନୈତିକଦଳର ନେତାମାନେ ଆଶା କରୁଛନ୍ତି ।
ବିଜେପିର ଉତ୍ଥାନ ପଛରେ ଅଯୋଧ୍ୟାର ରାମମନ୍ଦିର ପ୍ରସଙ୍ଗ ରହିଥିଲା ଗତଥର ବିଜେପି ମଧ୍ୟ ତାହାର ନିର୍ବାଚନୀ ଇସ୍ତାହାରରେ ରାମମନ୍ଦିର ନିର୍ମାଣ କଥା କହିଥିଲା । ଘୋଷଣା ମୁତାବକ ଆଗାମୀ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ଉଦ୍ଘାଟିତ ହେବା ସହ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ମଧ୍ୟ କରାଯାଇଛି । ସାରା ଦେଶରେ ଏଥିପାଇଁ ବିଜେପି ଓ ତାହାର ସହଯୋଗୀ ସଂଗଠନମାନେ ବ୍ୟାପକ ପ୍ରଚାର ଚଳାଇବା ସହ ଲକ୍ଷ ଲକ୍ଷ ସଂଖ୍ୟାରେ ଗେରୁଆ ରଙ୍ଗର ହନୁମାନ ପତାକା ଲଗାଇଛନ୍ତି । ତେଣୁ ନିର୍ବାଚନ ସମୟରେ ଶ୍ରୀରାମନବମୀ ଆସୁଥିବା ପରିପ୍ରେକ୍ଷୀରେ ଏହି ଦିନର ଗୁରୁତ୍ୱ ରାଜନୈତିକ ଦୃଷ୍ଟିକୋଣରୁ ଏଥର ଅଧିକ ରହିବ ବୋଲି ପର୍ଯ୍ୟବେକ୍ଷକମାନେ ଆଶାପ୍ରକାଶ କରୁଛନ୍ତି ।
ସେହିଭଳି ଶ୍ରୀରାମନବମୀ ପୂର୍ବରୁ ଏପ୍ରିଲ୍ ୧୧ତାରିଖରେ ଇଦୁଲଫିତର ପର୍ବ ପଡୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ଇଦ୍ ମିଳନ ଆଳରେ ଇସଲାମ ଧର୍ମାବଲମ୍ବି ଭୋଟରମାନଙ୍କୁ ଆକର୍ଷିତ କରିବାପାଇଁ ବି କାର୍ଯ୍ୟକ୍ରମମାନ ହୋଇପାରେ । ତେବେ ନିର୍ବାଚନ ପ୍ରଚାର କ୍ଷେତ୍ରରେ ଧାର୍ମିକ ସମାବେଶ ଉପରେ ନିର୍ବାଚନ କମିଶନ କଟକଣା ଲଗାଇବା ସମ୍ଭାବନା ଥିବା ଦୃଷ୍ଟିରୁ ବିଭିନ୍ନ ରାଜନୈତିକଦଳ ଏ ପରିପ୍ରେକ୍ଷୀରେ ଗଳାବାଟ କାଢିପାରନ୍ତି ।
୧୯୮୦ ମସିହା ଏପ୍ରିଲ ୬ତାରିଖରେ ଦିଲ୍ଲୀରେ ଏକ ସମାବେଶରେ ବିଜେପି ଜନ୍ମ ନେଇଥିଲା । ସେବେଠାରୁ ପ୍ରତିବର୍ଷ ଏପ୍ରିଲ ୬କୁ ସାରା ଦେଶରେ ବିଜେପି ପ୍ରତିଷ୍ଠା ଦିବସ ଭାବେ ପାଳନ କରିଆସୁଛି । ଏଥର ସାଧାରଣ ନିର୍ବାଚନ ସମୟରେ ସରଗରମ ବାତାବରଣ ଭିତରେ ବିଜେପି କିଭଳି ତାହାର ପ୍ରତିଷ୍ଠା ଦିବସ ପାଳନ କରିବ ତାହା ଉପରେ ସମସ୍ତଙ୍କ ନଜର ।
ଅପ୍ରେଲ ପହିଲା ହେଉଛି ଉତ୍କଳ ଦିବସ । ୧୯୩୬ର ଏହି ଦିନରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରାଯାଇଥିଲା । ରାଜ୍ୟର ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ରାଜଧାନୀ ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ଏମିତିକି ଗ୍ରାମାଞ୍ଚଳରେ ବି ଉତ୍କଳ ଦିବସ ପାଳନ ଧୂମ୍ଧାମ୍ରେ କରିଥାନ୍ତି । ଏଥର ଉତ୍କଳଦିବସ ପାଳନ ବେଳକୁ ର୍ନିବାଚନୀ କଟକଣା ଯଦି ଜାରି ହୋଇଥିବ ତେବେ ଏହି ଦିବସ ରାଜ୍ୟ ସରକାର କିଭଳି ପାଳନ କରିବେ ତାହା ଉପରେ ବି ସମସ୍ତଙ୍କ ନଜର ରହିଛି ।
ଏହାଛଡା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ଓଡିଶା ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରନ୍ତି । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱର ଏହି ଦିନବି ୨୪ବର୍ଷ ପୂରଣ ହେବାକୁ ଯାଉଛି । ଏହାଛଡା ମାର୍ଚ୍ଚ ୮ତାରିଖରେ ଆର୍ନ୍ତଜାତିକ ମହିଳା ଦିବସ ସହି ମହା ଶିବରାତ୍ରୀ, ୨୫ତାରିଖରେ ଦୋପୂର୍ଣ୍ଣିମା ଓ ୨୬ରେ ହୋଲି ଥିବାବେଳେ ୨୯ତାରିଖରେ ଖ୍ରୀଷ୍ଟିଆନଙ୍କ ପର୍ବ ଗୁଡ୍ଫ୍ରାଇଡେ ରହିଛି । ନିର୍ବାଚନ ପରିପ୍ରେକ୍ଷୀରେ ଏଥର ଏହି ଦିନଗୁଡିକ ବେଶ୍ ଗୁରୁତ୍ୱ ବହନ କରିବ ବୋଲି ଆଶା କରାଯାଏ । (ତଥ୍ୟ)