ଭୁବନେଶ୍ୱର : ଗାଁ ଗହଳରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୩୯୨୧.୭୮ କୋଟି ଟଙ୍କାର ୨୮୦ଟି ପ୍ରକଳ୍ପକୁ ଚୂଡାନ୍ତ କରିଛନ୍ତି ।
ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ପ୍ରକଳ୍ପକୁ ଚୂଡାନ୍ତ କରିଥିବାବେଳେ ଏହା ନାବାର୍ଡ ଠାରୁ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍) ଯୋଜନା ଜରିଆରେ ସହାୟତା ଅଣାଯିବାପାଇଁ ସ୍ଥିରିକୃତ ହୋଇଛି ।
ପୂର୍ବରୁ ଏହିସବୁ ପ୍ରକଳ୍ପକୁ ନାବାର୍ଡ ପକ୍ଷରୁ ରାଜ୍ୟ ପାଇଁ ଗ୍ରାମ୍ୟ ଭିତ୍ତିଭୂମି ସହାୟତା (ଆରଆଇଏଏସ୍) ଅଧିନରେ ମଞ୍ଜୁରୀ ମିଳିଥିଲା । ତେବେ ଏହି ଯୋଜନାରେ ସୁଧ ହାର ଅଧିକ ରହୁଥିବାରୁ ପ୍ରକଳ୍ପଗୁଡିକ ଆରଆଇଡିଏଫ୍ ଅଧିନକୁ ଆଣିବାପାଇଁ ସ୍ଥିର ହୋଇଛି ।
ଆରଆଇଏଏସ୍ ଅଧିନରେ ମଞ୍ଜୁର ପ୍ରକଳ୍ପଗୁଡିକ ଏବେ ଆରଆଇଡିଏଫ୍ ଅଧିନକୁ ଆସିବ । ତେବେ ଜିଏସ୍ଟି ବୃଦ୍ଧି ଯୋଗୁଁ ପ୍ରସ୍ତୁତ ହୋଇଥିବା ୨୮୦ ପ୍ରକଳ୍ପର ବ୍ୟୟଭାର ୩୭୯୨.୨୧ କୋଟି ଟଙ୍କାରୁ ୩୯୨୧.୭୮ କୋଟି ଟଙ୍କାକୁ ବଢିଛି । ବର୍ତ୍ତମାନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ୨୮୦ଟି ପ୍ରକଳ୍ପକୁ ମଞ୍ଜୁର କରିଥିବାବେଳେ ଏଥି ମଧ୍ୟରେ ପୂର୍ତ୍ତ ବିଭାଗର ୬୦ଟି ସଡକ ଏବଂ ସେତୁ ପ୍ରକଳ୍ପ ରହିଛି ଯାହାର ବ୍ୟୟ ଅଟକଳ ୧୬୨୭.୦୧ କୋଟି ଟଙ୍କା । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ୧୧୬୩.୬୬ କୋଟି ଟଙ୍କାର ମୂଲ୍ୟର ୨୦୫ଟି ପ୍ରକଳ୍ପ ରହିଥିବାବେଳେ ଜଳସମ୍ପଦ ବିଭାଗର ୧୦ଟି ଆଡିବନ୍ଧ ପ୍ରକଳ୍ପର ମୂଲ୍ୟ ୧୧୩୧.୧୧ କୋଟି ଟଙ୍କା ।
ସେହିଭଳି ୨୦୨୨-୨୩ ଅତିରିକ୍ତ ବଜେଟ୍ରେ ଆରଆଇଏଏସ୍ ପାଇଁ ବରାଦ ଅର୍ଥକୁ ଆରଆଇଡିଏଫ୍ରେ ବ୍ୟବସ୍ଥା କରିବାଲାଗି ସମ୍ପୃକ୍ତ ବିଭାଗଗୁଡିକୁ କୁହାଯାଇଛି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ମଧ୍ୟ ଆରଆଇଡିଏଫ୍ ଯୋଜନା ଅଧିନରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର କଟକ ଜିଲ୍ଲା ଅରିଲୋ ଠାରେ ଦୈନିକ ୫ଲକ୍ଷ ଲିଟର ସ୍ୱୟଂକ୍ରିୟ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଲାଗି ୨୭.୭୭ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
କମିଟି ମଧ୍ୟ ଅନ୍ୟ ଆଠ ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ୪୮୨.୫୯କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ପୁରୁଣା ଓ ତିନି ଟି ନୂଆ ପ୍ରକଳ୍ପ ରହିଛି । ପୁରୁଣା ପ୍ରକଳ୍ପର ମୂଲ୍ୟ ୨୯୩.୦୮ କୋଟି ଓ ନୂଆ ପ୍ରକଳ୍ପର ମୂଲ୍ୟ ୧୮୯.୫୧ କୋଟି ଟଙ୍କା । ଏହିସବୁ ପ୍ରକଳ୍ପ ଆରଆଇଡିଏଫ୍ ଯୋଜନା ଅଧିନରେ ଜଳ ଜୀବନ ମିଶନରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ । ଆରଆଇଡିଏଫ୍ ଅଧିନରେ କାର୍ଯ୍ୟକାରୀ ପ୍ରକଳ୍ପକୁ ତ୍ୱରାନ୍ୱିତ ଲାଗି ପ୍ରତିମାସରେ ସମୀକ୍ଷା ବୈଠକ କରିବାକୁ ଉନ୍ନୟନ କମିଶନର ବିଭାଗଗୁଡିକୁ କହିଛନ୍ତି । (ତଥ୍ୟ)