Home Culture ୨୭ରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

୨୭ରୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ଭୁବନନେଶ୍ୱର : ଆସନ୍ତା ୨୭ ତାରିଖରୁ ପ୍ରଭୁ ଶ୍ରୀଲିଙ୍ଗରାଜ ଭକ୍ତମାନଙ୍କୁ ଦର୍ଶନ ଦେବେ । କରୋନା କଟକଣା ଯୋଗୁଁ ପ୍ରାୟ ନଅମାସ ଧରି ମନ୍ଦିର ବନ୍ଦ ରହିବାପରେ ଏବେ ଭକ୍ତମାନଙ୍କ ଏହା ଖୋଲିବାକୁ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ଡ଼ିସେମ୍ବର ୨୭ ରୁ ୩୧ ପର୍ଯ୍ୟନ୍ତ ଏହା କେବଳ ସେବାୟତ ମାନଙ୍କ ପାଇଁ ଖୋଲିବ । ଦାୟିତ୍ୱରେଥିବା ସେବାୟତ ଏବଂ ପୁଲି୍ଙ୍କର କୋଭିଡ୍ ପରୀକ୍ଷା କରାଯିବ । ଜାନୁୟାରୀ ୧ ଏବଂ ୨ ତାରିଖରେ ବନ୍ଦ ରହିବ ।

ଜାନୁୟାରୀ ୩ ରୁ ମନ୍ଦିର ଖୋଲିବ । ୩, ୪ ଏବଂ ୫ ତାରିଖ କେବଳ ଭୁବନେଶ୍ୱରବାସୀଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଏହି ସମୟ ମଧ୍ୟରେ ଯେଉଁମାନେ ଦର୍ଶନ କରିବାକୁ ଚାହିଁବେ ସେମାନେ ଯଥାପୂର୍ବରୁ ନିଜର କୋଭିଡ଼୍ ପରୀକ୍ଷା କରାଇ ନେଗେଟିଭ୍ ରିପୋର୍ଟ ନେଇ ଯିବା ବାଧ୍ୟତାମୂଳକ । ମନ୍ଦିର ଦର୍ଶନ ପାଇଁ ଯିବାକୁ ଚାହୁଁଥିବା ବ୍ୟକ୍ତି ବିଏମସି ଇଲାକାରେ ଅନୁଷ୍ଠିତ ଯେକୌଣସି ସରକାରୀ କୋଭିଡ଼୍ ଟେଷ୍ଟିଂ କେନ୍ଦ୍ରକୁ ଯାଇ ନିଜର ପରୀକ୍ଷା କରାଇପାରିବେ ।

ଜାନୁୟାରୀ ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ତଥା ଭୁବନେଶ୍ୱର ବାହାରର ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାରହିବ । ସମସ୍ତ ସାମାଜିକ ଦୂରତା ଏବଂ କୋଭିଡ଼୍ ଗାଇଡ଼ଲାଇନ୍ ର ଅନୁସରଣ କରାଯିବ । ଥର୍ମାଲ ସ୍କ୍ରିନିଂ ହେବ, ସଂକ୍ରମଣ ସଂଭାବନା ବ୍ୟକ୍ତିଙ୍କୁ ବିଏମସି ଆୟୋଜିତ ଅସ୍ଥାୟୀ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଇବାର ସୁବିଧା କରାଯିବ ।

କେବଳ ଆଡ଼କାଠ ପର୍ଯ୍ୟନ୍ତ ଭକ୍ତମାନେ ଯାଇ ଦର୍ଶନ କରିପାରିବେ । ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ଦର୍ଶନ ବ୍ୟବସ୍ଥାର ଗତିବିଧି କୁ ଲକ୍ଷ୍ୟ କରି କର୍ତୃପକ୍ଷ ଯେକୌଣସି ସମୟରେ କିମ୍ବା ଭବିଷ୍ୟତ ଦର୍ଶନ ବ୍ୟବସ୍ଥା ଜନିତ ନିଷ୍ପତି ନେବେ ।

ଦର୍ଶନ ପାଇଁ ମନ୍ଦିର ବାହାର ଠାରୁ ଆରମ୍ଭ କରି ବେଢା ଭିତର ପର୍ଯ୍ୟନ୍ତ ବ୍ୟାରିକେଟ୍ କଟକଣା, କମିଶନରେଟ୍ ପୋଲିସ୍ ଏବଂ ପ୍ରଶାସନିକ ତଥା ମନ୍ଦିର ପ୍ରଶାସନର ସହଯୋଗରେ କରାଯିବ । ନିର୍ଦ୍ଧିଷ୍ଟ ସମୟରେ ବ୍ୟାରିକେଟ୍ ଭିତରେ ୫୦୦ ରୁ ଉଦ୍ଧ୍ୱର୍ ଭକ୍ତଙ୍କ ପ୍ରବେଶ ମନା ଏବଂ ସାଆଣ ମେଳା ଦର୍ଶନ ବନ୍ଦ । ସମସ୍ତ ସେବାୟତ ଏବଂ ସହଯୋଗୀ ଅନୁଷ୍ଠାନ ଏ ଦିଗରେ ସହଯୋଗ କରିବାକୁ ବିଏମସି ର ନିବେଦନ ରହିଛି ।

ସେହିଭଳି ବିଏମ୍‍ସି ଇଲାକାରେ ଥିବା ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ନିଷ୍ପତି ନିଆଯାଇଅଛି । କିନ୍ତୁ ସମ୍ପୃକ୍ତ ଅନୁଷ୍ଠାନ ଏଥିପାଇଁ ଏକ ପ୍ରତିଶ୍ରୁତି ପତ୍ର ମହାନଗର ନିଗମ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ଏଥିରେ ନିର୍ଦ୍ଧିଷ୍ଟ ସମୟରେ କେତେ ଭକ୍ତ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ ଏବଂ କେତେ ଭକ୍ତଙ୍କ ପାଇଁ ସେଠାରେ ସ୍ଥାନ ରହିଛି ତାହା ମଧ୍ୟ ଉଲ୍ଲେଖ କରିବେ । ବି ଏମ୍ ସିର ଅନୁମତି ପାଇଲା ପରେ ସଂପୃକ୍ତ ଅନୁଷ୍ଠାନ ଖୋଲାଯାଇପାରିବ ।

ଯଦି କୌଣସି କୋଭିଡ଼୍ ନିର୍ଦ୍ଦେଶାବଳୀ ବା ସାଧାରଣ ପ୍ରଶାସନ ଉଲ୍ଲଙ୍ଘନ ଜନିତ ଘଟଣାର ପ୍ରମାଣ ମିଳେ ତେବେ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନିଆଯିବ । କୌଣସି ସ୍ୱତନ୍ତ୍ର ପର୍ବ ଥିଲେ କେଉଁ ସମୟରେ କେତେ ବ୍ୟକ୍ତି ସେଠାକୁ ଯିବେ ଏବଂ କିପରି କୋଭିଡ଼୍ ନିର୍ଦ୍ଦେଶାବଳୀକୁ ମାନି ଚଳିବେ ସମ୍ପୃକ୍ତ ଧର୍ମାନୁଷ୍ଠାନ ଏହାକୁ ଲିଖିତ ଭାବେ ବି ଏମ୍ ସି ନିକଟରେ ଉପସ୍ଥାପନ କରି ଏହାର ଆବଶ୍ୟକୀୟ ଅନୁମତି ନେବେ ।

ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବି ଏମ୍ ସି, ବିଡ଼ିଏ, କମିଶନରେଟ୍ ପୋଲିସ୍, ପ୍ରତ୍ନତତ୍ୱ ବିଭାଗ, ଦେବତ୍ତେ୍ୱାର କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତଥା ବିବିଧ ଧର୍ମାନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ ।