Home Environment ୨୬ରେ ବାତ୍ୟା ସମ୍ଭାବନା

୨୬ରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ମଇ ମାସ ୨୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ଏବଂ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସୂଚନା ଅନୁଯାୟୀ ମଇ ମାସ ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ସହିତ ଏହି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ସକ୍ରିୟ ହେବା ସହ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ମୌସୁମୀ ବାୟୁର ଉପସ୍ଥିତି, ଉପଯୋଗୀ ବାୟୁମଣ୍ଡଳୀୟ ଏବଂ ସାମୁଦ୍ରିକ ସ୍ଥିତି ଯେପରିକି ସଂକଳନ ପାଇଁ ଅନୁକୂଳ ପରିବେଶ, ସମୁଦ୍ର ପୃଷ୍ଠର ତାପମାତ୍ରା, ମଧ୍ୟ ଆଣ୍ଡାମାନ ସାଗର ଉପରେ ସ୍ଥିର ମେଘ ଏବଂ ବଙ୍ଗୋପସାଗରର ପୂର୍ବ ଏବଂ ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ପାଗ ୨୨ ତାରିଖ ବେଳକୁ ସକ୍ରିୟ ହେବାର ସମ୍ଭାବନା ରହିଛି ।

ତେଣୁ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ- ଓଡିଶା ଉପକୂଳରେ ୨୬ ତାରିଖ ସନ୍ଧ୍ୟା ସମୟରେ ପହଞ୍ଚିବା ସମ୍ଭାବନା ରହିଛି ।

୨୫ ତାରିଖ ରାତିଠାରୁ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ସହିତ ବିସ୍ତାରର ବୃଦ୍ଧି ହେବାର ସମ୍ଭାବନା ରହିଛି ।

୨୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ତଥା ଝଟକା ପବନ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ରହିବାର ସମ୍ଭାବନା ରହିଛି । ୨୩ ତାରିଖ ଏବଂ ପରବର୍ତ୍ତୀ ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ତଥା ଝଟକା ପବନ ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ତଥା ଓଡିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପବନ ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ।

ମତ୍ସ୍ୟଜୀବୀମାନଙ୍କୁ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡିଶା ଉପକୂଳ ମଧ୍ୟକୁ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି । ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।