ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ନୂଆ ଇସ୍ପାତ କାରଖାନା ସ୍ଥାପନ ପାଇଁ ୨୪ଟି ସଂସ୍ଥା ଓଡିଶା ସରକାରଙ୍କ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ଇସ୍ପାତ କାରଖାନା କେନ୍ଦୁଝର ଜିଲ୍ଲାରେ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି ।
ଇସ୍ପାତ ଉତ୍ପାଦନ ରାଜ୍ୟରେ ବର୍ଷକୁ ବର୍ଷ ବଢିବାରେ ଲାଗିଛନ୍ତି । ୨୦୨୧-୨୨ ବର୍ଷରେ ୨୩.୭୨ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୨୫.୧୨ ନିୟୁତ ମେଟ୍ରିକ ଟନ୍କୁ ବୃଦ୍ଧି ପାଇଥିଲା । ୨୦୨୩-୨୪ ବର୍ଷରେ ରାଜ୍ୟରେ ୨୭.୩୧ନିୟୁତ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୨୪-୨୫ ବର୍ଷରେ ଏହା ୨୯ ନିୟୁତ ମେଟ୍ରିକ ଟନ୍କୁ ଟପିଯାଇଥିଲା । ୨୦୨୫-୨୬ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଥିବା ଇସ୍ପାତ କାରଖାନାଗୁଡିକରୁ ପାଖାପାଖି ୨୩ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିଲା । ୨୦୨୪ ଜୁନ୍ ମାସରୁ ୨୦୨୫ ଡିସେମ୍ବର ମଧ୍ୟରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଥିଲା ।
ଅନ୍ୟ ପକ୍ଷରେ ରାଜ୍ୟରେ ଅଧିକରୁ ଅଧିକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସରକାର ବିଭିନ୍ନ କମ୍ପାନୀ ସହିତ ବୁଝାମଣା ସ୍ୱାକ୍ଷର କରୁଛନ୍ତି । ଏହିସବୁ କମ୍ପାନୀମାନଙ୍କ ମଧ୍ୟରୁ ଅଧିକାଂଶ କେନ୍ଦୁଝର ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହୀ ଥିବାବେଳେ ଏହା ପଛକୁ ସୁନ୍ଦରଗଡ ଜିଲ୍ଲାପାଇଁ ଆଗ୍ରହ ଦେଖାଇଛନ୍ତି । ଏହାଛଡା ଢେଙ୍କାନାଳ, ଯାଜପୁର, ଝାରସଗୁଡା ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଇସ୍ପାତ କାରଖାନା ପାଇଁ କମ୍ପାନୀମାନେ ଆଗେଇ ଆସୁଛନ୍ତି ।
କେନ୍ଦୁଝର ଜିଲ୍ଲାରେ ଇସ୍ପାତ କାରଖାନା ପାଇଁ ଆଗେଇ ଆସିଥିବା କମ୍ପାନୀ ମଧ୍ୟରେ ରହିଛି ଜେଏସଡବ୍ଲୁ, ଜିନ୍ଦର ଷ୍ଟିଲ ଆଣ୍ଡ ପାୱାର, ରୁଙ୍ଗଟା ସନ୍ସ, ସୁପର ସ୍ମେଲଟର, ଓସିଏଲ୍, ଶ୍ୟାମ ଷ୍ଟିଲ, ଶ୍ରୀ ବଜରଙ୍ଗ ପାୱାର ଆଣ୍ଡ ଷ୍ଟିଲ୍, ଟେକ୍ ଏଆଇସି ଡିଆରଇ ଏବଂ ହୀରା ଇନଟ୍ରାଟେକ୍ ଲିମିଟେଡ । ଏମାନଙ୍କ ମଧ୍ୟରୁ ଜେଏସଡବ୍ଲୁ କେନ୍ଦୁଝରରେ ଇସ୍ପାତ କାରଖାନା ପାଇଁ ସର୍ବାଧିକ ୩୫ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଥିବାବେଳେ ଜିନ୍ଦଲ ପାୱାର ୧୧ହଜାର କୋଟି ବିନିଯୋଗର ଯୋଜନା ରହିଛି । ତେବେ ରାଜିନାମା କରିଥିବା କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ ଯାଜପୁର ଠାରେ ସର୍ବାଧିକ ୬୧ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି ।
ଦୁଇ ବର୍ଷ ମଧ୍ୟରେ ଯାଜପୁରରେ ଟାଟା ଷ୍ଟିଲ ଓ କେନ୍ଦୁଝରରେ ଜେଏସଡବ୍ଲୁର ପ୍ରକଳ୍ପ କାର୍ଯ୍ୟକାରୀ ପର୍ଯ୍ୟାୟରେ ଥିବାବେଳେ ୧୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ଏବଂ ଅବଶିଷ୍ଟ ପ୍ରକଳ୍ପଗୁଡିକ ସେମାନଙ୍କର ଦରଖାସ୍ତ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି । ଏହିସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ କେବଳ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇବନାହିଁ, ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ତେବେ ନୂତନ ଇସ୍ପାତକାରଖାନାଗୁଡିକ ପାଇଁ ଆବଶ୍ୟକ ଜଳ ଯୋଗାଇବା କାଠକରପାଠ ହେବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି । (ତଥ୍ୟ)

