ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଏବେ ପ୍ରାୟ ଅଧା ବିଚାରପତି ପଦବୀ ଖାଲି ପଡିଥିବାବେଳେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଭିତରେ ବି ଓଡ଼ିଶା ହାଇକୋର୍ଟର ଜଣେ ହେଲେ କେହି ନାହାନ୍ତି । ଚଳିତ ଗ୍ରୀଷ୍ମାବକାଶ ଭିତରେ ଏହି ସମସ୍ତ ପଦବୀ ପୂରଣ କରିବା ପାଇଁ ଅଭିଜ୍ଞ ଆଇନ୍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।
ଓଡ଼ିଶା ହାଇକୋର୍ଟରେ ଏବେ ପାଖାପାଖି ୧ଲକ୍ଷ ୬୫ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ବିକଳ୍ପ ବ୍ୟବସ୍ଥା ନକରି ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)କୁ ଉଚ୍ଛେଦ କରିବା ଫଳରେ ହାଇକୋର୍ଟ ଉପରେ ପ୍ରାୟ ୭୫ ହଜାର ମୂଳ ଓ ବିବିଧ ମାମଲାର ଚାପ ବୃଦ୍ଧି ପାଇଥିଲା । କମ୍ ସଂଖ୍ୟକ ବିଚାରପତି ଥିôବା ସତ୍ତ୍ୱେ ହାଇକୋର୍ଟ ଏଥିରୁ ସଂଖ୍ୟାଧିକ ମାମଲା ଗତ ୭ବର୍ଷ ମଧ୍ୟରେ ଫଇସଲା କରିବାରେ ସମର୍ଥ ହୋଇଛନ୍ତି । ୨୦୧୯ର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାରେ ସ୍ୟାଟ୍ ପୁନଃ ସ୍ଥାପନ କରିବା ଲାଗି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ କିନ୍ତୁ ସ୍ୟାଟ୍ ପୁନଃ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ସ୍ୟାଟ୍ ଉଚ୍ଛେଦ ବିରୋଧରେ ବିଜେପିର ଆଇନ୍ଜୀବୀ ପ୍ରକୋଷ୍ଟ ଅଧିବକ୍ତା ପରିଷଦ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉଠାଇଥିଲା ।
ଓଡ଼ିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ଏବେ ୧୬ଟି ଖାଲି ପଡିଛି । ମୁଖ୍ୟ ବିଚାରପତିଙ୍କ ସମେତ ମାତ୍ର ୧୭ଜଣ ବିଚାରପତିଙ୍କୁ ନେଇ ଓଡ଼ିଶା ହାଇକୋର୍ଟ କାର୍ଯ୍ୟ କରୁଛି । ବିଚାରପତିମାନଙ୍କ ଫଇସଲା ହାର ବେଶ୍ ସନ୍ତୋଷଜନକ ରହୁଛି । ତେବେ ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦବୀଗୁଡ଼ିକ ପୂରଣ କରାଯାଇପାରିଲେ ଏଠାରେ ବକେୟା ମାମଲାର ସଂଖ୍ୟା ଢେର ତଳକୁ ଖସିଯାଆନ୍ତା । ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୭୧ ହଜାର ରିଟ୍ ପିଟିସନ୍ ବିଚାର ପ୍ରତୀକ୍ଷାରେ ଥିବାବେଳେ ପାଖାପାଖି ୩୦ ହଜାର ଅପରାଧିକ ମାମଲା ମଧ୍ୟ ପଡିରହିଛି । ରାଜ୍ୟ ସରକାରଙ୍କ ମନ୍ଥରତା ଯୋଗୁ ଅନେକ କ୍ଷେତ୍ରରେ ରାୟର ଅନୁପାଳନ ଠିକଣା ସମୟରେ ହୋଇପାରୁନଥିବାରୁ ପ୍ରାୟ ୧୨ ହଜାର ଅଦାଲତ ଅବମାନନା ମାମଲା ମଧ୍ୟ ପଡିଛି । ସେହିପରି ଜଣିକିଆ ଖଣ୍ଡପୀଠଙ୍କ ଆଦେଶ ବିରୋଧରେ ୭ ହଜାରରୁ ଅଧିକ ଅପିଲ୍ ମାମଲା ବି ଦୁଇଜଣିଆ ଖଣ୍ଡପୀଠଙ୍କ ନିକଟରେ ବିଚାରାଧୀନ ରହିଛି ।
ଓଡ଼ିଶା ହାଇକୋର୍ଟ ଅତୀତରେ ସୁପ୍ରିମକୋର୍ଟଙ୍କୁ ଅନ୍ୟୁନ ୩ଜଣ ମୁଖ୍ୟ ବିଚାରପତି ଦେଇଛି । ଏହାଛଡ଼ା ବିଭିନ୍ନ ସମୟରେ ସୁପ୍ରିମକୋର୍ଟର ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟର ବହୁ ପ୍ରାକ୍ତନ ବିଚାରପତି ଢେର ସୁନାମ ଅର୍ଜନ କରିଥିଲେ । ବିଭିନ୍ନ ରାଜ୍ୟର ହାଇକୋର୍ଟରେ ବି ଓଡ଼ିଶା ହାଇକୋର୍ଟର ଅନେକ ବିଚାରପତି ମୁଖ୍ୟ ବିଚାରପତି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇବାର ନଜିର ଅଛି । କିନ୍ତୁ ଏବେ ଓଡ଼ିଶା ହାଇକୋର୍ଟରୁ ଜଣେ ହେଲେ କେହି କୌଣସି ରାଜ୍ୟର ମୁଖ୍ୟ ବିଚାରପତି କିମ୍ବା ସୁପ୍ରିମକୋର୍ଟର ବିଚାରପତି ନାହାନ୍ତି । ଏହାଫଳରେ ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟର ପ୍ରତିନିଧିତ୍ୱ କମୁଥିବା ଘେନି ଆଇନ୍ଜୀବୀମାନେ କହୁଛନ୍ତି ।
ଇତିମଧ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ନୂଆ ବିଚାରପତି ନିଯୁକ୍ତି ବେଳେ ଓଡ଼ିଶାର ପ୍ରତିନିଧିତ୍ୱ ଯେପରି ହୁଏ ତାହା ଉପରେ ନଜର ଦେବା ପାଇଁ ମତ ପ୍ରକାଶ ପାଉଛି । ବିଶେଷକରି ରାଷ୍ଟ୍ରପତି, କେନ୍ଦ୍ର ସରକାର ଏବଂ ସର୍ବୋପରି ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ପ୍ରାୟ ଅଧା ବିଚାରପତି ପଦବୀ ପୂରଣ ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସର୍କିଟ୍ ବେଞ୍ଚ ସ୍ଥାପନ ଏବଂ ପୁଣିଥରେ ଓଡ଼ିଶାରେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) କାର୍ଯ୍ୟକାରୀ କରିବାକୁ ଦାବି ହେଉଛି । (ତଥ୍ୟ)

