Home Covid ୨୩ ଜିଲ୍ଲାରେ କରୋନା

୨୩ ଜିଲ୍ଲାରେ କରୋନା

ଭୁବନେଶ୍ୱର : ରାଜ୍ୟରେ ଦୈନିକ ବୃଦ୍ଧି ପାଉଥିବା କରୋନା ୨୩ ଜିଲ୍ଲାକୁ ମାଡିଗଲାଣି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ରହିଛି ୫୬ ।

ସେହିଭଳି କ୍ୱାରେଣ୍ଟାଇନ୍‍ରୁ ସର୍ବାଧିକ ୨୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୭୭ ଲୋକାଲ କେଶ୍‍ ରହିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୯୧ହଜାର ଟପିଥିବାବେଳେ ୨୨୩୫ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୧୮୩ଜଣ ବାହାରିଥିବାବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୮୮ଜଣ ଚିହ୍‍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ବାଲେଶ୍ୱରରୁ ୨୨, ସୁନ୍ଦରଗଡରୁ ୨୦, ପୁରୀରୁ ୧୧, ସମ୍ବଲପୁରରୁ ୯, ମୟୁରଭଞ୍ଜରୁ ୮, ଜଗତ୍‍ସିଂହପୁରରୁ ୬, ଭଦ୍ରକ, ଯାଜପୁରରୁ ୫ଜଣକରି, ବରଗଡ, ଝାରସୁଗୁଡା ଓ ନୟାଗଡରୁ ୪ କରି, ନୂଆପଡାରୁ ୩, କେନ୍ଦ୍ରାପଡା, ମାଲକାନଗିରି, ରାୟଗଡା ଓ ସୋନପୁରରୁ ୨ଜଣ କରି ଏବଂ ଦେବଗଡ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟରୁ ଜଣେ କରି ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ମାଡୁଥିବାରୁ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପରୀକ୍ଷା କରିନେବାକୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନ ସ୍କୁଲ ଯାଉଥିବା ପିଲାଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ସହିତ କାଶ, ଜ୍ୱର ହେଲେ ପିଲାଙ୍କୁ ସ୍କୁଲ ନଛାଡିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ଠିକ୍‍ ମାସକ ତଳେ ଅର୍ଥାତ୍‍ ଜୁନ୍‍ ୮ତାରିଖରେ ରାଜ୍ୟରେ ମାତ୍ର ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାସକ ମଧ୍ୟରେ ଏହା ୪୨୮ରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ପ୍ରାୟ ୧୫ ହଜାର କରୋନା ପରୀକ୍ଷା ହେଉଥିବାବେଳେ ଆଗାମୀ ଦିନରେ ଏହାକୁ ବଢାଇବାପାଇଁ ସରକାର ସ୍ଥିର କରିଛନ୍ତି । କରୋନା ପରୀକ୍ଷଣ ବଢିବା ସହିତ ରଥଯାତ୍ରା ଭଳି ଗହଳିପୂର୍ଣ୍ଣ ଉତ୍ସବ ପରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।