ଭୁବନେଶ୍ୱର : ବାଇଶି ବର୍ଷ ତଳର ବିଚାର ବିଭାଗୀୟ ନିର୍ଦ୍ଦେଶନାମା ତଥାପି ବି କାର୍ଯ୍ୟକାରୀ ହୋଇପାରୁ ନାହିଁ । ସ୍ୟାଟ୍, ହାଇକୋର୍ଟ, ସୁପ୍ରିମ୍କୋର୍ଟରେ ମାମଲା ବୁଲିବାପରେ ହାଇକୋର୍ଟଙ୍କ ବିରକ୍ତି ପ୍ରକାଶ ସତ୍ୱେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ରାୟ କାର୍ଯ୍ୟକାରୀ ହୋଇନଥିବାରୁ ପୁଣି ଥରେ କ୍ଷତିଗ୍ରସ୍ତ କର୍ମଚାରୀମାନେ ଆଇନ୍ ଅଦାଲତର ଦ୍ୱାରସ୍ଥ ହେବାକୁ ଯାଉଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୱାର୍କଚାର୍ଜଡ କର୍ମଚାରୀ ଭାବେ ବର୍ଷ ବର୍ଷ ଧରି ଖଟିବାପରେ ସରକାରଙ୍କ ଯୋଜନା ଅନୁଯାୟୀ ନିୟମିତ ହେବାଲାଗି କେତେକ କର୍ମଚାରୀ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ରେ ମାମଲା ରୁଜୁ କରିଥିଲେ । ୧୯୯୯ ମସିହାରେ ଅନ୍ୟୁନ ୧୩ଟି ମାମଲାର ମିଳିତ ଶୁଣାଣି କରି ବର୍ଷ ବର୍ଷ ଧରି ୱାର୍କଚାର୍ଜଡ ଭାବେ କାମକରି ଆସୁଥିବା କର୍ମଚାରୀମାନଙ୍କୁ ନିୟମିତ କରିବାଲାଗି ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୁଦ୍ଧରେ ରାଜ୍ୟ ସରକାର ହାଇକୋର୍ଟରେ ଯାଇ ହାରିଥିଲେ ।
ହାଇକୋର୍ଟରେ ହାରିବାପରେ ରାଜ୍ୟ ସରକାର ବିପୁଳ ଅର୍ଥ ଖର୍ଚ୍ଚକରି ନିୟମିତ ହେବାକୁ ଚାହୁଁଥିବା ୱାର୍କଚାର୍ଜଡ କର୍ମଚାରୀମାନଙ୍କ ବିରୁଦ୍ଧରେ ସୁପ୍ରିମ୍କୋର୍ଟରେ ମାମଲା ରୁଜୁ କରିଥିଲେ । ସୁପ୍ରିମ୍କୋର୍ଟ ସ୍ୟାଟ୍ ଓ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ଏହି ୱାର୍କଚାର୍ଜଡ କର୍ମଚାରୀମାନଙ୍କୁ ନିୟମିତ କରିବାଲାଗି ମତପୋଷଣ କରିଥିଲେ ।
ସୁପ୍ରିମ୍କୋର୍ଟରେ ମାମଲା ହାରିବାର ୩ବର୍ଷ ପରେ ବି କର୍ତ୍ତୃପକ୍ଷ ନିଦାବିଷ୍ଣୁ ଭଳି ରହିବାରୁ ପୁଣିଥରେ କିଛି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ । ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଡକ୍ଟର ବି.ଆର.ଷଡଙ୍ଗୀ ଏହି ମାମଲାଗୁଡିକର ଶୁଣାଣି କରି ବିଚାର ବିଭାଗୀୟ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀନ ନକରି ସରକାର ଯେଭଳି ମନ୍ଥରତା ପ୍ରକାଶ କରୁଛନ୍ତି ସେଥିଘେନି ଉଦ୍ବେଗପ୍ରକାଶ କରିଥିଲେ । ହାଇକୋର୍ଟ କହିଥିଲେ ଯେ ସ୍ୟାଟ୍ ରାୟର ୨୧ବର୍ଷ, ହାଇକୋର୍ଟଙ୍କ ରାୟର ୬ବର୍ଷ ଓ ସୁପ୍ରିମ୍କୋର୍ଟଙ୍କ ରାୟର ୩ବର୍ଷ ପରେ ମଧ୍ୟ ଏହାର କାର୍ଯ୍ୟକାରୀ କରାଯାଇନାହିଁ ।
ଚାକିରିରେ ନିୟମିତ ହେବାପାଇଁ ଯେଉଁ ୱାର୍କଚାର୍ଜଡ କର୍ମଚାରୀମାନେ ମାମଲା ରୁଜୁ କରି ୨୧ବର୍ଷ ତଳେ ତାଙ୍କ ସପକ୍ଷରେ ନ୍ୟାୟ ପାଇଥିଲେ ସେମାନଙ୍କ ମଧ୍ୟରୁ କେତେକ ଇତି ମଧ୍ୟରେ ମୃତ୍ୟୁବରଣ କରିସାରିଲେଣି । ଏଥିରୁ ସରକାରୀ କଳର ଅଦାଲତ ଅବମାନନା ଆଚରଣ ଜଳ ଜଳ ହୋଇ ଦିଶୁଛି । ତେବେ ବିଭାଗୀୟ ଅଧିକାରୀଙ୍କୁ ଦଣ୍ଡିତ ନକରି ସେମାନଙ୍କୁ ଆଉ ଏକ ସୁଯୋଗ ଦେବାଲାଗି ହାଇକୋର୍ଟ ଗତ ଜୁଲାଇ ମାସରେ ଦେଇଥିବା ଅନ୍ୟଏକ ରାୟରେ ଗତ ଅଗଷ୍ଟମାସ ଶେଷ ସୁଦ୍ଧା ନିର୍ଦ୍ଦେଶନାମାର ପୂର୍ଣ୍ଣ ଅନୁପାଳନ ଲାଗି କହିଥିଲେ । ଏହା କାର୍ଯ୍ୟକାରୀ ନହେଲେ ବିଭାଗୀୟ ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଦରମା ବନ୍ଦ କରିବାପାଇଁ ମଧ୍ୟ ନିର୍ଦ୍ଦେଶ ଥିଲା ।
ଇତି ମଧ୍ୟରେ ପଦାଧିକାରୀଙ୍କ ଦରମା ବନ୍ଦହେବା ଛାନିଆରେ ଏହି ରାୟକୁ ଆଂଶିକ ଭାବେ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରି ଜୀବିତ ଓ ମୃତ ସବୁ ୱାର୍କଚାର୍ଜଡ କର୍ମଚାରୀଙ୍କୁ ୧୯୯୯ ମସିହାର ରାୟ ଆଧାରରେ ନିୟମିତ କରି ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାପ୍ୟ ଦିଆଯାଇ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ସେତେବେଳେ ଯେଉଁମାନେ ନ୍ୟାୟପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେକ ଅବସର ଗ୍ରହଣ କରିସାରିଛନ୍ତି । (ତଥ୍ୟ)