ଭୁବନେଶ୍ୱର : କୋଡିଏ ବର୍ଷ ଭିତରେ ରାଜ୍ୟର ଋଣ ପରିମାଣ ପ୍ରାୟ ୧ଲକ୍ଷ କୋଟି ଟଙ୍କା ବଢ଼ିଛି । ଏହି ଧାରା ଅବ୍ୟାହତ ରହିଲେ ୨୦୨୯ ବର୍ଷ ବେଳକୁ ଓଡ଼ିଶାର ଋଣ ବୋଝ ପାଖାପାଖି ୨ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରେ ବୋଲି ଅର୍ଥନୀତି ବିଶ୍ଳେଷକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
୨୦୦୦ ମସିହା ବେଳକୁ ଓଡ଼ିଶାର ଋଣବୋଝ ୧୮୦୦ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଥିଲା । ଏହା ବଢ଼ିବଢ଼ି ୨୦୦୪-୦୫ରେ ୩୪,୦୫୧ କୋଟି ୧୮ଲକ୍ଷ ଟଙ୍କାରେ ପହଞ୍ôଚଥିବାବେଳେ ୨୦୦୯-୧୦ ବେଳକୁ ଓଡ଼ିଶାର ଋଣବୋଝ ୩୭,୭୩୦ କୋଟି ୪ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୪-୧୫ ବର୍ଷରେ ଓଡ଼ିଶାର ଋଣବୋଝ ୪୩,୨୭୩ କୋଟି ୩୮ଲକ୍ଷ ଟଙ୍କା ହୋଇଥିବାବେଳେ ୨୦୨୬-୨୭ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ହୋଇପାରେ ।
ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିଥିବା ଓ ଅଧିକରୁ ଅଧିକ ସଂଖ୍ୟକ ଖଣି ଖନନ ଏବଂ ଶିଳ୍ପାୟନ ହେଉଥିବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ଋଣବୋଝ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ଚଳିତବର୍ଷର ରାଜ୍ୟ ବଜେଟ୍ ୩ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି । ତେବେ ଅର୍ଥ ବିଭାଗ ସହ ସଂପୃକ୍ତ ଅଧିକାରୀମାନେ କହୁଛନ୍ତି ଯେ ରାଜ୍ୟର ଜିଡିପି ବଢ଼ିବା ସହିତ ମୁଣ୍ଡପିଛା ହାରାହାରି ଆୟ ମଧ୍ୟ ବଢ଼ୁଛି । ଏଥିସହିତ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି । ଋଣ ବୋଝ ସଂକ୍ରାନ୍ତରେ କୁହାଯାଉଛି ଯେ ଏଫ୍ଆରବିଏମ୍ ଆଇନ୍ରେ ଜିଡିପି ଅନୁପାତରେ ଋଣ ପରିମାଣ ଯାହା ହେବା କଥା ଓଡ଼ିଶାରେ ତାହା ଢେର କମ୍ ରହିଛି ।
ରାଜ୍ୟ ବଜେଟ୍ର ମୁଖ୍ୟାଂଶ ଦରମା ଓ ପେନ୍ସନ୍ ପ୍ରଦାନ, ସରକାରୀ କାର୍ଯ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ଋଣ ଓ ସୁଧ ପରିଶୋଧରେ ଚାଲିଯାଉଛି । ଅନେକ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଅଂଶ ହ୍ରାସ ପାଇଛି । ଏସବୁ ସତ୍ତ୍ୱେ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଚାଷୀମାନେ ଅଧିକ ଧାନ ଫଳାଉଛନ୍ତି । ଚାଷୀମାନଙ୍କଠାରୁ ଧାନ କିଣିବା ବେଳେ ସରକାର ପୂର୍ବାପେକ୍ଷା ଢେର ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ଖାଦ୍ୟ ନିରାପତ୍ତା ସମେତ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କୁ ମୋଟା ଅଙ୍କର ଅର୍ଥ ବ୍ୟୟ କରିବାକୁ ପଡୁଛି । ଓଡ଼ିଶାରେ ଏବେ ପ୍ରାୟ ୩କୋଟି ୩୦ଲକ୍ଷ ଲୋକଙ୍କ ପାଇଁ ମାଗଣା ଚାଉଳ ଦିଆଯାଉଛି । କେନ୍ଦ୍ର ସରକାର ମୁଣ୍ଡପିଛା ୫କିଲୋ କରି ଚାଉଳ କିମ୍ବା ଗହମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଉଥିବାବେଳେ ଓଡ଼ିଶାରେ କିନ୍ତୁ ହିତାଧିକାରୀଙ୍କୁ ଆଉ ଅଧିକ ୫ କିଲୋ ଚାଉଳ ଦିଆଯାଉଛି ।
ଅର୍ଥନୀତି ବିଶାରଦମାନଙ୍କର କହିବା କଥା ହେଉଛି ଧନୀ ଅଧିକ ଧନୀ ହେଉଥିବାରୁ ମୁଣ୍ଡପିଛା ହାରାହାରି ରୋଜଗାର ଅଧିକ ଦର୍ଶାଯାଉଛି । କିନ୍ତୁ ବାସ୍ତବରେ କୃଷି ଭିତ୍ତିକ ଗ୍ରାମ୍ୟ ଶିଳ୍ପ ଓ ଜଙ୍ଗଲଜାତ ସାମଗ୍ରୀ ଭିତ୍ତିକ ଶିଳ୍ପ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଧିକ ସଂଖ୍ୟାରେ କରାଯାଇପାରୁ ନାହିଁ । କପଡ଼ା, ଲୁଣ, ଚିନି, ଆଳୁ ଆଦି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ଓଡ଼ିଶାରେ ଅନୁକୂଳ ବାତାବରଣ ରହିଥିବାବେଳେ ଦଶନ୍ଧି ଦଶନ୍ଧି ଧରି ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହାଛଡ଼ା କଣା ମାଠିଆରୁ ପାଣି ବୋହିଯିବା ପରି ଯେତେ ରୋଜଗାର ବଢ଼ୁଛି ତା’ର ମୁଖ୍ୟାଂଶ ନିଶା ପାଣି, ଆମୋଦ ପ୍ରମୋଦ ଓ ବଜାରୀକରଣ ଅର୍ଥନୀତିରେ ଖାଲି ହୋଇଯାଉଛି । ଏହାଛଡ଼ା ବେକାରୀ-ବେରୋଜଗାରୀ ଆଦି ମଧ୍ୟ ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସାଜୁଛନ୍ତି । ସରକାରୀ କଳ ମିତବ୍ୟୟିତା ଅବଲମ୍ବନ କରିପାରିଲେ ଅର୍ଥନୀତି ସୁଦୃଢ଼ ହେବା ସହିତ ଋଣ ଚାପ କମନ୍ତା ବୋଲି ମଧ୍ୟ କେତେକ ମତ ଦେଉଛନ୍ତି ।(ତଥ୍ୟ)

