ଭୁବନେଶ୍ୱର : ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ସରକାର ପ୍ରାୟ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଜଳସମ୍ପଦ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଜଙ୍ଗଲ ବିଭାଗ ଓ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ସାମିଲ ହେବେ ।
ରାଜଧାନୀ ମଧ୍ୟ ଦେଇ ବହି ଯାଇଥିବା ଗଙ୍ଗୁଆ ନାଳ ଏବେ ଏକ ପ୍ରକାର ନର୍ଦ୍ଦମା ପାଲଟିଛି । ସହରରେ କେବଳ ମଶାବଂଶ ବୃଦ୍ଧି ନୁହେଁ, ବିଭିନ୍ନ ପ୍ରକାର ରୋଗର ବି ଏହା କାରଣ ପାଲଟିଛି । ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ବର୍ଜ୍ୟଜଳ, ଆବର୍ଜନା ଆଦି ଏଥିରେ ପଡି ରାଜଧାନୀର ପରିବେଶକୁ ଅତ୍ୟନ୍ତ ପୂତ୍ତିଗନ୍ଧମୟ କରିଦେଉଛି ।
ଉଲ୍ଲେଖନୀୟ ଯେ ଗଙ୍ଗୁଆ ନାଳର ଉତ୍ପତି ରାଜଧାନୀ ଇଞ୍ଜିନିୟରିଂ କଲେଜ ନିକଟସ୍ଥ ବୁଢି ନାଳରୁ ବାହାରିଛି । ଏଠାରୁ ପ୍ରାୟ ୧୮ କିଲୋମିଟର ଯାଇ ଏହା ମଞ୍ଚେଶ୍ୱରର ଚକେଇସିଆଣି ଦେଇ ପଳାଶୁଣି ଏବଂ ଟଙ୍କପାଣି ରୋଡ୍ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଅତିକ୍ରମ କରିଛି । ମୋଟ ୩୩ କିଲୋମିଟର ପଥ ଅତିକ୍ରମ କରିବାପରେ କଣ୍ଟି ନିକଟରେ ଏହା ଦୟା ନଦୀରେ ମିଶିଛି । ବର୍ତ୍ତମାନ ଗଙ୍ଗୁଆର ବିଷାକ୍ତ ଜଳ ଦୟା ବାଟ ଦେଇ ଚିଲିକାରେ ପହଞ୍ଚିବାର ଅଭିଯୋଗ ବି ଆସିବାରେ ଲାଗିଛି ଯାହା ଚିଲିକାର ଜୈବ ବିବିଧତା ପ୍ରତି ବଡ ବିପଦ ହୋଇଛି ।
ତେବେ ଗଙ୍ଗୁଆ ନାଳକୁ ସଫା କରିବାପାଇଁ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ ସହିତ ଦୁଇ ପଟରେ ପାଚେରୀ ନିର୍ମାଣ କରାଯିବ । ଏହି କାର୍ଯ୍ୟ ଜଳସମ୍ପଦ ବିଭାଗ କରିବାକୁ ଥିବାବେଳେ ଏଥିପାଇଁ ୧୮୬୨ କୋଟି ଟଙ୍କା ବ୍ୟୟ ହେବ । ସେହିଭଳି ଗଙ୍ଗୁଆ ଅବବାହିକରେ ପରିବେଶରେ ଉନ୍ନତି ଆଣିବାପାଇଁ ଡ୍ରେନେଜ, ଏସଟିପି, ସଡକ ସହିତ ବୃକ୍ଷରୋପଣ କରାଯିବ । ଏଥିପାଇଁ ୨୧୨୯ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ବିଏମସି, ବିଡିଏ, ଜଙ୍ଗଲ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବାର ପ୍ରସ୍ତାବ ରହିଛି ।
ତେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସବୁକିଛି ନିର୍ଭର କରୁଛି ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ଉପରେ । ଜମି ମିଳିବାପରେ ପ୍ୟାକେଜ ୱାରୀ କିମ୍ବା ଏକକ ଇପିସି ଟେଣ୍ଡର ଜାରି କରାଯିବ । ଇତି ମଧ୍ୟରେ ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ ହାଇଡ୍ରୋଲିକ୍ ସର୍ଭେ ସହିତ ଅବବାହିକା ଅଞ୍ଚଳରେ ବିସ୍ତୃତ ସର୍ଭେ ସମ୍ପନ୍ନ ହୋଇଛି । ଏହି ସର୍ଭେ ଆଧାରରେ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏଥି ସହିତ ବୈଷୟିକ ସମନ୍ୱୟ କମିଟି ଏବଂ ଗଙ୍ଗୁଆ ସମନ୍ୱ କମିଟି ଚୂଡାନ୍ତ ହୋଇସାରିଛି । ୱାଟ୍କୋ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ତାହାକୁ ପଠାଯାଇଛି । ମହାନଗର ନିଗମ ପକ୍ଷରୁ ପ୍ରକଳ୍ପର ସରକାରୀ ଅନୁମୋଦନ ପାଇଁ ୱାଟ୍କୋ ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରାଯାଉଥିବା ସୂଚନା ମିଳିଛି । (ତଥ୍ୟ)

