Home General ୧୮୦ କୋଟିରେ ବସ୍‌ ଟର୍ମିନାଲ

୧୮୦ କୋଟିରେ ବସ୍‌ ଟର୍ମିନାଲ

ଭୁବନେଶ୍ୱର : ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରମୁଣ୍ଡାର ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି । ଗୋଟିଏ ଖଣ୍ଡଗିରିସ୍ଥ ବସ୍‌ ଡିପୋ ଏବଂ ଅନ୍ୟଟି ବରମୂଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ । ଖଣ୍ଡଗିରି ବସ୍‌ ଡିପୋ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଆଜି ତାହା ବୁଲି ଦେଖିଥିଲେ ଏବଂ ଉନ୍ନତ ନିର୍ମାଣ କାର୍ଯ୍ୟ ସହିତ ବସ୍‌ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତ।

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି । ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍‌ ମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସର୍ବଶ୍ରୀ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।