ଭୁବନେଶ୍ୱର : ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହିତ ପୁରୀର ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଦିବା ୧୦ ଘଟିକା ସମୟରେ ପୁରୀ ଠାରେ ଅନୁଷ୍ଠିତ ହେବ । କଂଗ୍ରେସର ଦାବି ଯାହାକି ଓଡ଼ିଶା, ଭାରତ ଏବଂ ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସଂପର୍କରେ ଏକ ସ୍ମାରକ ପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତି କାର୍ଯ୍ୟକ୍ରମ ଧାର୍ଯ୍ୟ କରିବ ବୋଲି ପିସିସି ସଭାପତି ଶରତ ପଟନାୟକ ସୂଚନା ଦେଇଛନ୍ତି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ସରକାର ଦ୍ୱାରା ଓଡ଼ିଆ ଜାତିର ଆରଧ୍ୟ୍ୟ ଦେବତା ତଥା ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଏବଂ ଅନୀତି କାର୍ଯ୍ୟକୁ ଘୋର ନିନ୍ଦାର ବିଷୟ । ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ସାରା ଓଡ଼ିଶା ଏବଂ ବିଶ୍ୱର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ୱାରା ଆଗାମୀ କାର୍ତିକ ମାସରେ ସେଠାରେ ହବିସିଆଳିଙ୍କ ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରି ଦ୍ୱାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି ।
ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି । ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି । ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ରତ୍ନାଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି,ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ ।
ଏହି ସାମ୍ବାଦିକ ସମ୍ମଳୀନରେ ଯୋଗ ଦେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର କାର୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲନ୍ତୁ । ହବିଶିଆଳୀ ମାନଙ୍କ ସମସ୍ୟା ଉପରେ ଦୃଷ୍ଟିପାତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଯଦି ମନ୍ଦିରର ଚାରି ଦ୍ୱାର ଉନ୍ନକ୍ତ କରା ନଯାଏ ତେବେ ହବିଶିଆଳୀମାନେ ନାହିଁ ନଥିବାର ଅସୁବିଧା ଭୋଗ କରିବେ । ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଉପରେ ଶ୍ରୀ ହରିଚନ୍ଦନ ଗୁରୁତ୍ୱଆରୋପ କରିଥିଲେ । ସେ କହିଥିଲେ ବହୁ ପୂର୍ବରୁ ଏହି ଗଣତି କାର୍ଯ୍ୟ ହୋଇଆସିଛି । ୧୮୦୩ ମସିହାରେ ଇଂରେଜମମାନେ ଆସିଲା ପରେ ୧୮୦୫ ମସିହା ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ଅଛି ବୋଲି ଚାଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ଅଛି ।
ସେହିପରି ୧୯୦୫ ମସିହାର ତାଲିକା ଅଛି । ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା କରିଛନ୍ତି ଏବଂ ଶେଷରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହାରେ ଯେଉଁ ୧୭ ଜଣିଆ ଦଳ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଆକଳନ କରିବାକୁ ଯାଇଥିଲେ ସେମାନେ ଭିତରକୁ ପଶିପାରିଲେ ନାହିଁ । କଣ ପାଇଁ ପସିପାରିଲେ ନାହିଁ? କାରଣ ତାଙ୍କ ପାଖରେ ଭିତରର ଘରର ଚାବି ନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସେମାନେ ମନ୍ଦିର ଭିତର ଓ ବାହାର ଭଣ୍ଡାରକୁ ଯିବେ । ଢ଼ାଂଚା ଯାଂଚ କରିବେ । ଛାତରୁ ପାଣି ଗଳିବା, କାନ୍ଥରୁ ପାଣି ଝରିବା ଅଭିଯୋଗ ଥିଲା । ମରାମତି ପାଇଁ ଭାରତୀୟ ପ୍ରତ୍ନୋତତ୍ୱ ସଂସ୍ଥା ବିଶେଷଜ୍ଞ ମଣ୍ଡଳି ଯିବେ । ମରାମତି କିପରି କରାଯିବ । ସେମାନେ ଯାଇଥିଲେ କିନ୍ତୁ ଚାବି ନ ମିଳିବାରୁ ସେଠୁ ସେମାନେ ଫେରିଆସିଲେ ।
ଆମେ ଜାଣୁ ଶ୍ରୀମନ୍ଦିର ସତ୍ୱଲିପି ଅଛି । ଯେଉଁଥିରେ ତ୍ରି ସୁରକ୍ଷା ବାବଦରେ ଉଲ୍ଲେଖ ଅଛି । ତିନୋଟି ଚାବି ଅଛି । ଗୋଟିଏ ପରିଚାଳକ, ଗୋଟିଏ ନିଯୋଗ ନାହକ ଅନ୍ୟଟି ଭଣ୍ଡାର ମେକାପଙ୍କ ନାଁରେ ଯୋଡ଼ି ହୋଇ ଗୋଟିଏ ଗୁନ୍ଥାରେ ଅଛି । ମାତ୍ର କଂଚି ହଜିଲା ମିଳିଲା ନାହିଁ । ସେହିଦିନ ଠାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କିନ୍ତୁ କାର୍ଯ୍ୟକାରୀ ହେଲାନାହିଁ । ସରକାର ଗୋଟିଏ କମିଶନଅଫ ଇନକ୍ୱାରୀ ଆକ୍ଟରେ ନ୍ୟାୟମୂର୍ତି ରଘୁବିର ଦାସ କମିଟି ବସାଇଲେ । ତାଙ୍କର ରିପୋର୍ଟକୁ ସାବର୍ଜନୀନ କରାଗଲା ନାହିଁ କିନ୍ତୁ ତାଙ୍କ ରିପୋର୍ଟ ଅନୁସାରେ ସବୁ କାର୍ଯ୍ୟ ଗଠନ କରାଯାଉଛି ବୋଲି କୁହାଗଲା । ଏ କେଉଁ ନୀତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁଭଳି ଭାବେ ବିଭ୍ରାନ୍ତ କରାଯାଉଛି ତାହା ଅନ୍ଧକୁ ହାତୀ ଦେଖାଇଲା ପରି ଏବଂ କୁହାଯାଉଛି ଯେ ଯେତେବେଳେ ଗୁଣ୍ଡିଚା ରୁ ବାହୁଡ଼ା ମଧ୍ୟରେ ଶ୍ରୀ ମନ୍ଦିର ଖାଲି ଥାଏ ସେତେବେଳ ରତ୍ନ ଭଣ୍ଡାର ଖୋଲାଯାଏ ।
୨୦୧୮ ମସିହାରେ ଉଚ୍ଚନ୍ୟାୟଳଙ୍କ ନିର୍ଦ୍ଦେଶ ସତ୍ୱେ ତାହା କାହିଁକି ଖୋଲାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଶ୍ରୀ ମନ୍ଦିର ପରିକଳ୍ପନା ଯୋଜନା ନାଁରେ ଯେଉଁ ମଠ, ମନ୍ଦିର କଳାପାହାଡ ଭଳି ଭାଙ୍ଗିଛନ୍ତି ତାର ପୂର୍ନବସତି ଏପର୍ଯ୍ୟନ୍ତ କାହିଁକି ସରକାର କରିନାହାନ୍ତି ଏବଂ କେବେ କରିବେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ । ସୁପ୍ରିମକୋର୍ଟର ନିଷ୍ପତି ଆଳରେ ପୁରୀର ୮୦ ହଜାର ପରିବାରଙ୍କୁ ତାଙ୍କ ଜମିର ସ୍ୱତ ଅଧିକାର ଯାହାକୁ ରେକର୍ଡ ଅଫ ରାଇଟ୍ସ କୁହାଯାଉଛି ତାକୁ ତୁରନ୍ତ ପ୍ରଦାନ କରନ୍ତୁ । ବର୍ଷ ବର୍ଷ ଧରି ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ପଟା ଦିଆଯାଉ ନାହିଁ କାହିଁକି? ବେଦାନ୍ତକୁ ଜମି ଯୋଗାଇ ଦିଆଯାଉଛି, ଟାଟାକୁ ହୋଟେଲ କରିବାକୁ ଜମି ଯୋଗାଇ ଦିଆଯାଉଛି କିନ୍ତୁ ଗରିବ ଭୂମିହୀନ ସେବାୟତମାନଙ୍କୁ ଜମି ଚାଖଣ୍ଡେ ଯୋଗାଇ ଦିଆଯାଇ ପାରୁ ନାହିଁ ।
ଏ ହେଉଛି ଏ ସରକାରଙ୍କର ରାଜ୍ୟବାସୀଙ୍କ ପ୍ରତି କର୍ତବ୍ୟ ଓ ଉତର ଦାୟୀତ୍ୱ । ପୁରୀ ଜିଲ୍ଲାର ଚାଷୀ ଭାଇ ମାନଙ୍କ ପାଖରୁ ବେଦାନ୍ତ ଯେଉଁ ଜମି ଅଧିଗ୍ରହଣ କରିଛି ସେ ସମସ୍ତ ଜମିକୁ ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ଫେରାଇବାର ସସସ୍ତ ଦାୟୀତ୍ୱ ନିଅନ୍ତୁ । ଅତି ଦୁଃଖର କଥା ଯେଉଁ କମ୍ପାନୀ ଗୋଟିଏ ସ୍କୁଲ କରି ନାହିଁ ସେ କମ୍ପାନୀ ପାଇଁ ଏ ରାଜ୍ୟ ସରକାର ଜମି ଦଲାଲି କାହିଁକି କରୁଥିଲେ? ଏହା କ’ଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଥିଲା କି? ଏହାର ଉତର ସରକାର ରଖନ୍ତୁ । ଉପରୋକ୍ତ ଦାବିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଏବଂ ପୁରୀ ଜିଲ୍ଲା ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ପୁରୀରେ ଶୋଭାଯାତ୍ରା କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ଅମିୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।