Home Energy ୧୬ଟି ଦପ୍ତରରେ ଶକ୍ତି ସଂରକ୍ଷଣ

୧୬ଟି ଦପ୍ତରରେ ଶକ୍ତି ସଂରକ୍ଷଣ

ଭୁବନେଶ୍ୱର : ଶକ୍ତି ସଞ୍ଚୟ ପାଇଁ ଇନ୍‍ଭେଷ୍ଟମେଣ୍ଟ ଗ୍ରେଡ ଏନର୍ଜି ଅଡିଟ୍‍ (ଆଇଜିଇଏ) ବିଭିନ୍ନ ସ୍ଥାନରେ ଅନୁଧ୍ୟାନ ସହିତ ସରକାରଙ୍କୁ ସୁପାରିଶ୍‍ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତୟ ୧୬ଟି ସରକାରୀ ଦପ୍ତରରେ ଶକ୍ତି ସଞ୍ଚୟ ପାଇଁ ପଦକ୍ଷେପ ନିଆଯାଇଛି ।

ଆଇଜିଇଏ ପକ୍ଷରୁ ୨୦୧୮ ମସିହାରେ ୧୩୬ଟିସରକାରୀ ଦପ୍ତରରେ ଶକ୍ତି ସଂରକ୍ଷଣ ନେଇ ଅନୁଧ୍ୟାନ କରାଯାଇଥିଲା । ଏହାପରେ ଏ ସଂକ୍ରାନ୍ତରେ କେତେକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଅଧିକ ଶକ୍ତି କ୍ଷୟ କରୁଥିବା ଉପକରଣକୁ ବଦଳାଇ ତାହା ସ୍ଥାନରେ କମ୍‍ ଶକ୍ତି ଖର୍ଚ୍ଚ କରୁଥିବା ବୈଦ୍ୟୁତିକ ସାମଗ୍ରୀ ବିଶେଷକରି ଏଲଇଡି ଲାଇଟ୍‍, ବିଇଇ ତାରକା ଚିହ୍ନଟ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ୫ତାରକା ପଙ୍ଖା ଆଦି ଲଗାଇବାକୁ ପରାମର୍ଶ ଦିଆଯାଇଥିଲା ।

ତେବେ ଆଇଇଇଏ ର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଶକ୍ତି ସଞ୍ଚ ଲାଗି ୧୬ଟି ଦପ୍ତରକୁ ଚିହ୍ନଟ କରିଥିବାବେଳେ ସେଥି ମଧ୍ୟରେ ବିଧାନସଭା, ଲୋକସେବାଭବନ ଠାରୁ ଆରମ୍ଭକରି ବିଭାଗୀୟ ମୁଖ୍ୟ ଦପ୍ତର ଓ ୩ଟି ସରକାରୀ ମେଡିକାଲ କଲେଜ ରହିଛି । ଏହିସବୁ ସ୍ଥାନରେ ଆଇଜିଇଏ ପରମର୍ଶ ଅନୁଯାୟୀ ଶକ୍ତି ସଂରକ୍ଷଣ ଉପକରଣମାନ ଲଗାଯାଉଥିଲେ ମଧ୍ୟ ଅନ୍ୟ ସରକାରୀ ଅନୁଷ୍ଠାନରେ କିନ୍ତୁ ପୁରୁଣା ବିଜୁଳି ସାମଗ୍ରୀ ଲାଗିଛି ।

ବିଶେଷକର କେତେକ ସରକାରୀ ଦପ୍ତର ଓ ସରକାରୀ କ୍ୱାଟର୍ସଗୁଡିକରେ ଲାଗିଥିବା ପୁରୁଣା ପଙ୍ଖା ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ବଦଳା ଯାଉନାହିଁ । ଫଳରେ ଉଭୟ ସରକାର ଓ ସରକାରୀ କ୍ୱାଟର୍ସରେ ରହୁଥିବା କର୍ମଚାରୀଙ୍କ ଉପରେ ବିଜୁଳି ବୋଝ ପଡିବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ୨୦/୨୫ବର୍ଷ ତଳର ପଙ୍ଖାଗୁଡିକ ବାରମ୍ବାର ମରାମତି ହୋଇ ବ୍ୟବହାର ହେବାରେ ଲାଗାଛି । ସରକାରୀ କୋଠାବାଡି ଓ କ୍ୱାଟର୍ସଗୁଡିକରେ ବିଦ୍ୟୁତ୍‍ ସାମଗ୍ରୀ ଲଗାଇବା ଦାୟିତ୍ୱ ଏବେ ପୂର୍ତ୍ତ ବିଭାଗ ହାତରେ ଥିଲେ ମଧ୍ୟ ଅର୍ଥାଭାବର ଆଳ ଦେଖାଇ କର୍ତ୍ତୃପକ୍ଷ ପୁରୁଣାକାଳିଆ ସାମଗ୍ରୀ ଗୁଡିକୁ ପରିବର୍ତ୍ତନ କରୁନାହାନ୍ତି । ଫଳରେ ଶକ୍ତି ସଞ୍ଚୟ ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଏପରିକି ଅଳ୍ପ ଶକ୍ତି ଖର୍ଚ୍ଚ କରୁଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲେ ବି ଅନେକ ସରକାରୀ ଦପ୍ତର ଓ କୋଠାବାଡିରେ ପୁରୁଣା କାଳିଆ ଏସି ଲାଗିଛି । ଉଲ୍ଲେଖନୀୟ ଯେ ଏସିର ତାପମାତ୍ରା ୩୪ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରଖି ଶକ୍ତି ସଞ୍ଚୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଜଣାଯାଇଛି ଯେ ଏହି ଏସିର ତାପାମାତ୍ରା ୧ଡିଗ୍ରୀ ସେଣ୍ଟିଗ୍ରେଡ ବଢାଇଲେ ପ୍ରାୟ ୬ ପ୍ରତିଶତ ଶକ୍ତି ସଞ୍ଚୟ ହୋଇଥାଏ । (ତଥ୍ୟ)