Home Finance ୧୫,୦୦୦ କୋଟି ଟପିବ ଋଣ

୧୫,୦୦୦ କୋଟି ଟପିବ ଋଣ

ଭୁବନେଶ୍ୱର : ଇତିହାସରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରବାହ ୧୫,୦୦୦ କୋଟି ଟଙ୍କା ଅତିକ୍ରମ କରିବ । ୨୦୨୨-୨୩ରେ ଏହା ୧୧,୦୦୦ କୋଟି ଟଙ୍କା ଅତିକ୍ରମ କରିଛି- ଯାହା କି ୮ ବର୍ଷ ମଧ୍ୟରେ ଏକ ବଡ଼ ଧରଣର ବୃଦ୍ଧି । ୨୦୧୬-୧୭ରେ ମହିଳା ଗୋଷ୍ଠି ପିଛା ହାରାହାରି ଋଣ ପ୍ରଦାନର ଆକାର ୧.୦୬ ଲକ୍ଷ ଟଙ୍କା ଥିବାବେଳେ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପଦକ୍ଷେପ ଯୋଗୁଁ ଏବେ ଏହା ୩.୦୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ରାଜ୍ୟ ସରକାର ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହି ପରିମାଣ ବୃଦ୍ଧି ପାଇଛି । ଗତ ଚାରି ବର୍ଷମଧ୍ୟରେ ୪ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଧଛାଡ ବାବଦରେ ସିଧାସଳଖ ୫୮୭ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ କେବଳ ଗତ ବର୍ଷ ଏ ବାବଦରେ ୨୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଗତ ୬ ବର୍ଷ ମଧ୍ୟରେ ଏସ୍‌ଏଚ୍‌ଜି ଋଣର ଏନ୍‌ପିଏ ୧୪.୨%ରୁ ୧.୯୯%କୁ ଅତୁଳନୀୟ ହ୍ରାସ ରେକର୍ଡ କରାଯାଇଛି । ଏହା ଦେଶରେ ସର୍ବନିମ୍ନ ଅଟେ । ପ୍ରଥମ ଥର ପାଇଁ ଓଡ଼ିଶାରେ ୧୧୦୩ ଟି ପଞ୍ଚାୟତ ଏନପିଏ ମୁକ୍ତ ହୋଇଥିବାବେଳେ ଏହାକୁ ଭାରତ ସରକାର ମଧ୍ୟ ପ୍ରଶଂସା କରିଛନ୍ତି ।

ସେହିଭଳି ଓଡ଼ିଶାରେ ମଧ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଓଡ଼ିଶାରେ ପ୍ରାୟ ୮୬.୫% ମହିଳାଙ୍କର ଏକ ବ୍ୟାଙ୍କ କିମ୍ବା ସଞ୍ଚୟ ଆକାଉଣ୍ଟ ଅଛି ଯାହା ସେମାନେ ନିଜେ ବ୍ୟବହାର କରନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ବର୍ତ୍ତମାନ ୬ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଥିବାବେଳେ ଏଥିରେ ୭୦ଲକ୍ଷ ମହିଳା ସଦସ୍ୟ ରହିଛନ୍ତି । ଏମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାଲାଗି ରାଜ୍ୟ ସରକାର ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥି ସହିତ ସ୍ୱୟଂ ସହାୟିକ ଗୋଷ୍ଠିଗୁଡିକର ଉତ୍ପାଦିତ ସାମଗ୍ରୀ ପାଇଁ କିଭଳି ବଜାର ସୃଷ୍ଟି କରାଯାଇ ପାରିବ ସେ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଓଡିଶା ମହିଳା ଗୋଷ୍ଠିଙ୍କ ଉତ୍ପାଦିତ ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍‍ ଗ୍ରହଣୀୟ ହୋଇଥିବାବେଳେ ବିଭିନ୍ନ ଇ-କମର୍ସ ସଂସ୍ଥା ମଧ୍ୟ ସେମାନଙ୍କ ପ୍ଲାଟଫର୍ମରେ ଏହି ଉତ୍ପାଦକୁ ସ୍ଥାନ ଦେଉଛନ୍ତି ।

ତେବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଅଧିକରୁ ଅଧିକ ପରିମାଣର ଋଣ ପ୍ରଦାନ ଲାଗି ରାଜ୍ୟ ସରକାର ବାରମ୍ବାର ବ୍ୟାଙ୍କ୍‍ଗୁଡିକୁ ଅନୁରୋଧ କରୁଥିଲେ ମଧ୍ୟ ସେମାନେ ସେତେଟା ଗୁରୁତ୍ୱ ଦେଉନଥିଲେ । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠିକୁ ପ୍ରଦାନ କରାଯାଉଥିବା ଋଣ ସମସ୍ତ ସୁଧ ବହନ କରିବା ସହିତ ଅଧିକ ଋଣ ପ୍ରଦାନ ଲାଗି ବ୍ୟାଙ୍କ୍‍ଗୁଡିକ ସୃଷ୍ଟି କରିଥିବା ଚାପ କାମ ଦେବା ଫଳରେ ଋଣ ପରିମାଣ ୧୫ହଜାର କୋଟି ଟଙ୍କାକୁ ଅତିକ୍ରମ ନେଇ ଆଶା କରାଯାଉଛି । (ତଥ୍ୟ)