Home Industry ଛଅ କମ୍ପାନୀ ପ୍ରକଳ୍ପରୁ ଓହରିଛନ୍ତି

ଛଅ କମ୍ପାନୀ ପ୍ରକଳ୍ପରୁ ଓହରିଛନ୍ତି

ଭୁବନେଶ୍ୱର : ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିଥିବା ଛଅଟି କମ୍ପାନୀ ୧୦ ବର୍ଷ ମଧ୍ୟରେ ସେମାନଙ୍କ ପ୍ରକଳ୍ପରୁ ଓହରି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ରହିଛନ୍ତି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ କମ୍ପାନୀଙ୍କ ଆଗମନ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଏହି ୬ଟି କମ୍ପାନୀ ଗତ ଦଶବର୍ଷରେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆସି ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ଢେଙ୍କାନାଳର ନେଉଳପଲ୍ଲୀ ଠାରେ ୬୮୬୧ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ତାପଜ କାରଖାନା ରହିଛି । ସିଇଏଏସ୍‍ସି ଏହି କାରଖାନା ବସାଇବାକୁ ଓଡିଶା ଆସିଥିବାବେଳେ ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଛି । ଏହି କାରଖାନା ପ୍ରତିଷ୍ଠା ହୋଇଥିଲେ ପ୍ରାୟ ୪୦୦ ଜଣ କର୍ମସଂସ୍ଥାନ ପାଇପାରିଥାନ୍ତେ ।

ସେହିଭଳି କଟକ ଜିଲ୍ଲାର ରାମଦାସପୁର ଠାରେ ରତ୍ନପଥର ଓ ଗହଣା ପ୍ରସ୍ତୁତ କାରଖାନା ବସାଇବାକୁ ଆସିଥିବା ଗୀତାଞ୍ଜଳି ଜେମ୍ସ ଲିମିଟେଡ ମଧ୍ୟ ପ୍ରକଳ୍ପରୁ ଓହରିଛି । ଏହି କମ୍ପାନୀ ସୁନା ଓ ରୂପା ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ୨୦୯ କୋଟି ଟଙ୍କା ବିନିଯୋଗ କରିଥାନ୍ତା ଓ ଏଠାରେ ଦୁଇଟି ପର୍ଯ୍ୟାୟରେ ବାର୍ଷିକ ଏକ ଲକ୍ଷ କିଲୋ ରୂପା ଓ ୩୩ହଜାର କିଲୋ ସୁନା ଗହଣା ପ୍ରସ୍ତୁତ କରିଥାନ୍ତା । ଏହି କାରଖାନା ସ୍ଥାପନ ହୋଇଥିଲେ ଏଠାରେ ୧୭,୮୦୦ଲୋକ କର୍ମସଂସ୍ଥାନ ପାଇଥାନ୍ତେ । ହେଲେ କମ୍ପାନୀ ତାହାର ଏହି ପ୍ରକଳ୍ପରୁ ଓହରି ଯାଇଛି ।

ସେହିଭଳି ଭଦ୍ରକ ଜିଲ୍ଲାର ଧାମରା ଠାରେ ଖାଇବା ତେଲ କାରଖାନା ବସାଇବାକୁ ଆସିଥିବା ଅଦାନୀ ଗ୍ରୁପ୍‍ ମଧ୍ୟ ତାର ପ୍ରକଳ୍ପରୁ ଓହରିଛି । ଏହି ପ୍ରକଳ୍ପରେ ଅଦାନୀ ଗୋଷ୍ଠି ୬୮୭ କୋଟି ଟଙ୍କା ବିନିଯୋଗ କରିଥାନ୍ତା ଓ ଏଥିରେ ୨୧୫୦ ଜଣ କର୍ମସଂସ୍ଥାନ ପାଇଥାନ୍ତେ ବୋଲି ଆକଳନ କରାଯାଇଥିଲା । ତେବେ ଅଦାନୀ ଏହି ପ୍ରକଳ୍ପ ସ୍ଥାପନରୁ ଓହରି ଯାଇଛି ।

ସେହିଭଳି କଟକ ଜିଲ୍ଲାର ରାମଦାସପୁର ଠାରେ ବିସ୍କୁଟ ଓ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା ବସାଇବାପାଇଁ ଆଗେଇ ଆସିଥିବା ଇଷ୍ଟର୍ଣ୍ଣ ନ୍ୟୁଟ୍ରିମେଣ୍ଟ ପ୍ରାଇଭେଟ ଲିମିଟେଡର ମଞ୍ଜୁରୀ ବାତିଲ ହୋଇଯାଇଛି । କମ୍ପାନୀ ଏଠାରେ ୭୫ କୋଟି ଟଙ୍କା ବିନିଯୋଗ କରିଥାନ୍ତା ଓ ବାର୍ଷିକ ୩୬ହଜାର ଟନ୍‍ ବିସ୍କୁଟ ଉତ୍ପାଦନ କରିଥାନ୍ତା । ଏଥିସହିତ ୪୩,୨୦୦ କିଲୋ ଦୁଗ୍ଧ, ୬୮୦୦ କିଲୋଲିଟର ଦହି ଏବଂ ୪୦୦୦ କିଲୋ ଟିର ବଟରମିଲ୍କ ପ୍ରସ୍ତୁତ କରିଥାନ୍ତା । ଏହି କାରଖାନା ପ୍ରତିଷ୍ଠା ହୋଇଥିଲେ ସେଠାରେ ୫୩୦ଲୋକ କାମ ପାଇଥାନ୍ତେ ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଭିତ୍ତିଭୂମି ପ୍ରସ୍ତୁତି ଶିଳ୍ପ ପାଇଁ ଆଗେଇ ଆସିଥିବା ଟିଏମ ଇଣ୍ଟରନେସନାଲ ଲଜିଷ୍ଟିକ ଲିମିଟେଡ ବି ଓହରି ଯାଇଛି । କମ୍ପାନୀ ଏଠାରେ ୧୬୮ କୋଟି ଟଙ୍କା ବିନିଯୋଗ କରିଥାନ୍ତା ଓ କାରଖାନାରେ ୩୭୫ ଜଣ ଲୋକ କାମ ପାଇଥାନ୍ତେ । ଅନୁଗୁଳ ଆଲୁମିନିୟମ ପାର୍କରେ ସହାୟକ ଆଲୁମିନିୟମ କାରଖାନା ବସାଇବା ପାଇଁ ଆଗେଇ ଆସିଥିବା ଜିନ୍ଦଲ ଆଲୁମିନିୟମ ପାର୍କ ମଧ୍ୟ ତାହାର ପ୍ରକଳ୍ପରୁ ଓହରି ଯାଇଛି । କମ୍ପାନୀ ଏଠାରେ ୫୦୦ କୋଟି ଟଙ୍କା ବିନିଯୋଗ କରିଥାନ୍ତା ଓ ହଜାରେ ଲୋକ ଏଥିରେ କର୍ମସଂସ୍ଥାନ ପାଇଥାନ୍ତେ । (ତଥ୍ୟ)