ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ଫେବୃୟାରୀ ରାଜ୍ୟରେ ୧୫ହଜାରରୁ ଉର୍ଦ୍ଧ୍ୱ ନିଶାଡି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ହଜାରରୁ ଅଧିକ ଡାକ୍ତରଖାନାରେ ଆଡମିଶନ ହୋଇଥିବା ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି ।
ରାଜ୍ୟରେ ନିଶାସକ୍ତଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ୍ ୨୦୨୨ ରୁ ଫେବୃୟାରୀ ୨୦୨୩ ମଧ୍ୟରେ ରାଜ୍ୟରେ ମୋଟ୍ ୧୫,୦୭୨ ଜଣ ନିଶାଡି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଡାକ୍ତରଖାନାର ବର୍ହିବିଭାଗରେ ୧୭,୬୩୧ ଜଣ ଚିକିତ୍ସିତ ହୋଇଥିବାବେଳେ ଆନ୍ତଃ ବିଭାଗରେ ୮୦୧ ଜଣ ଭର୍ତ୍ତି ହୋଇଛନ୍ତି ।
ତେବେ ଚିକିତ୍ସିତ ନିଶାଡିଙ୍କ ମଧ୍ୟରେ ସର୍ବାଧିକ ହେଉଛନ୍ତି ମଦୁଆ । ଏମାନଙ୍କ ସଂଖ୍ୟା ୮୩୮୦ ରହିଛି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗଞ୍ଜୋଡିଆ । ଏମାନଙ୍କ ସଂଖ୍ୟା ହେଉଛି ୩୧୫୧ । ସେହିଭଳି ଏହି ସମୟରେ ଏକାଧିକ ନିଶା ସେବନକାରୀସଂଖ୍ୟା ୨୦୩୮ ହୋଇଥିବାବେଳେ ୮୪୨ଜଣ ବ୍ରାଉନସେବନକାରୀ, ୩୦୦ ଜଣ ଅଫିମିଆ ରହିଛନ୍ତି ।
ଏହି ପରିସଂଖ୍ୟାନରୁ ଜଣାପଡିଛି ଯେ ସର୍ବାଧିକ ୧୭୭୨ ଜଣ ନିଶାଡି ପୁରୀ ଜିଲ୍ଲାରେ ଚିକିତ୍ସିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୭୧ ଜଣ ମଦୁଆ ଥିବାବେଳେ ୬୫୭ ଜଣ ଗଞ୍ଜୋଡିଆ ରହିଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରେ ୧୩୭୦ ଜଣ ନିଶାଡି ଚିକିତ୍ସିତ ହୋଇଥିବାବେଳେ ସୁବର୍ଣ୍ଣପୁରରେ ୧୨୮୧ଜଣ, ଖୋରଧାରେ ୧୦୫୫ଜଣ ଚିକିତ୍ସିତ ହୋଇଛନ୍ତି । ସବୁଠାରୁ କମ୍ ମାତ୍ର ୧୯୫ ନିଶାଡି କନ୍ଧମାଳ ଜିଲ୍ଲାରେ ଚିକିତ୍ସିତ ହୋଇଥିବା ସୂଚନା ଦିଆଯାଇଛି ।
ସେହିଭଳି ଏହି ସୂଚନା ଅନୁଯାୟୀ ସର୍ବାଧିକ ୮୮୪ଜଣ ମଦୁଆ ଗଞ୍ଜାମ ଜିଲ୍ଲାରେ ଚିକିତ୍ସିତ ହୋଇଥିବାବେଳେ ଗଞ୍ଜୋଡଙ୍କ ସଂଖ୍ୟା ପୁରୀ ଜିଲ୍ଲାରେ ସର୍ବାଧିକ ୬୫୭ ରହିଛି । ସେହିଭଳି ଅଫିମଖିଆଙ୍କ ତାଲିକାରେ ପୁରୀଜିଲ୍ଲା ୯୫ ସହିତ ଏକ ନମ୍ବରରେ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୮୬ଜଣ ଅଫିମିଆ ରରହିଛନ୍ତି । ଯାଜପୁର ଜିଲ୍ଲା ୪୫ଜଣଙ୍କ ସହିତ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ବ୍ରାଉନସୁଗାର ଖାଇ ଚିକିତ୍ସିତ ହୋଇଥିବା ତାଲିକାରେ କିନ୍ତୁ ଖୋରଧା ସବୁଠାରୁ ଆଗରେ ରହିଛି । ଏଠାରେ ୨୬୭ ବ୍ରାଉନସୁଗାର ସେବନକାରୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାର ଏହି ସଂଖ୍ୟା ଦ୍ୱିତୀୟ ସର୍ବାଧିକ ୧୨୨ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । (ତଥ୍ୟ)