Home General ୧୫ବର୍ଷ ଧରି ପ୍ରତୀକ୍ଷାରେ ଭାଷା ଭବନ

୧୫ବର୍ଷ ଧରି ପ୍ରତୀକ୍ଷାରେ ଭାଷା ଭବନ

ଭୁବନେଶ୍ୱର : ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ନିଜସ୍ୱ ସୌଧ ଭାଷା ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଅର୍ଥ ଓ ଜମି ଯୋଗାଇ ଦେଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏହି କାମ ଆରମ୍ଭ ହୋଇପାରୁନାହିଁ । ଫଳରେ ଓଡିଆ ଭାଷା ପ୍ରତିଷ୍ଠାନର ଦପ୍ତର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଚାଲୁଛି ।

୨୦୦୫-୦୬ ଆର୍ଥିକ ବର୍ଷରେ ଭାଷା ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ୧ କୋଟି ୫ ହଜାର ଟଙ୍କା ଯୋଗାଇଥିଲେ । ବିଧାନସଭାରେ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ମୁତାବକ ଏହି ଅର୍ଥ ବ୍ୟାଙ୍କ୍‍ରେ ଗଚ୍ଛିତ ରହିଛି ଏବଂ ତାହାର ସୁଧ ବର୍ଷକୁ ବର୍ଷ ବଢି ଚାଲିଛି । ୧୮ବର୍ଷ ତଳେ ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିଥିବାବେଳେ ତାହା ଏଯାବତ୍‍ ଖର୍ଚ୍ଚ ହୋଇପାରି ନାହିଁ ।

ସରକାରୀ ତଥ୍ୟ ମୁତାବକ ୨୦୦୯ ମସିହାରେ ରାଜ୍ୟ ସରକାର ରାଜଧାନୀର ଖାରବେଳନଗର ଅଞ୍ଚଳରେ ପାଖାପାଖି ୫୪ହଜାର ବର୍ଗଫୁଟର ଏକ ଜମି ଓଡିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ଯୋଗାଇଥିଲେ । ଭାଷା ପ୍ରତିଷ୍ଠାନ ମଧ୍ୟ ଏହି ଜମିକୁ ଦଖଲକୁ ନେଇଥିଲା । ଏହି ଜମିରେ ଭାଷା ଭବନ ନିର୍ମାଣ ପାଇଁ ଆଉ ଯେତେ ଅର୍ଥ ଆବଶ୍ୟକ ପଡିବ ତାହା ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ମଧ୍ୟ କୁହାଯାଇଥିଲା ।

ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଗ୍ରହ କ୍ରମେ ଇଡ୍‍କୋ ଓ ପୂର୍ତ୍ତ ବିଭାଗ ଭାଷା ଭବନ ନିର୍ମାଣ ପାଇଁ ବ୍ୟୟ ଅଟକଳ ସହ ନକ୍ସା ପ୍ରସ୍ତୁତ କରିଥିଲେ । ପୂର୍ତ୍ତ ବିଭାଗ ଏଥିଲାଗି ଯେଉଁ ବ୍ୟୟ ଅଟକଳ ଓ ନକ୍ସା ଦେଇଥିଲେ ତାହାକୁ ରାଜ୍ୟ ସରକାର ମଧ୍ୟ ଅନୁମୋଦନ କରିଥିଲେ । ତଦନୁଯାୟୀ ଖାରବେଳନଗରର ଖାତା ନଂ ୪୪୬ରେ ଥିବା ୪୦୧ ନମ୍ବର ପ୍ଲଟର ଜମି ଉପରେ ଭାଷା ଭବନ ଅଟ୍ଟାଳିକା ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ ମଧ୍ୟ କରାଯାଇଥିଲା । କେବଳ ସେତିକି ନୁହେଁ, ଏହି ପ୍ରକଳ୍ପକୁ ରାଜ୍ୟ ସରକାର ପ୍ରଶାସନିକ ଅନୁମୋଦନ ଦେବାପରେ ୨୦୧୬ ମସିହାରେ କାର୍ଯ୍ୟାରମ୍ଭ ପାଇଁ ଆଦେଶ ପ୍ରଦାନ କରାଯିବାରୁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରିବାପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ମାର୍ଟସିଟିର ନିର୍ବାହୀ ଅଧିକାରୀ ଏଠାରେ କାମ ନକରିବାପାଇଁ ନିର୍ଦ୍ଦେଶ ଦେବାରୁ ଆଉ ଓଡିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ହୋଇପାରୁ ନାହିଁ ।

ବିଭିନ୍ନ ସମୟରେ ଓଡିଆ ଭାଷା ପ୍ରତିଷ୍ଠାନ ଭିନ୍ନ ଭିନ୍ନ ସ୍ଥାନରୋ ତାହାର ଦପ୍ତର ଚଳାଇ ଆସୁଛି । ପୂର୍ବରୁ ଏହି ସଂସ୍ଥାଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବାବେଳେ ଏବେ ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ରହିଛି । ଆଗରୁ ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ବୁଲି ବୁଲି ରାଜ୍ୟ ସଚିବାଳୟ ପଛପଟେ ଥିବା ବିଭାଗୀୟ ମୁଖ୍ୟ ଦପ୍ତର ନିକଟସ୍ଥ ଜନଶିକ୍ଷା ସାଧନ କେନ୍ଦ୍ରରେ ଦୀର୍ଘବର୍ଷ ଧରି ଚାଲୁଥିଲା । ଏଠାରେ ଅନ୍ୟ ଦପ୍ତର କରାଯିବାରୁ ଓଡିଆ ଭାଷା ପ୍ରତିଷ୍ଠାନକୁ ସେଠାରୁ ରାଜ୍ୟ ସଂଗ୍ରହାଳୟ ନିକଟବର୍ତ୍ତୀ ସଂସ୍କୃତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।

୨୦୧୭ ମସିହାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଖାରବେଳଭବନରେ ଭାଷା ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ଏବଂ ଏହି ବହୁତଳ ପ୍ରାସାଦରେ ଓଡିଆ ଭାଷା ପ୍ରତିଷ୍ଠାନ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବ । ମୁଖ୍ୟ ଶାସନ ସଚିବ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ ମଧ୍ୟ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ଖାରବେଳଭବନରେ ଜାଗା ମିଳିଲା ନାହିଁ । ଭାଷାପ୍ରେମୀମାନେ କହୁଛନ୍ତି ଯେ ବିଭିନ୍ନ ରାଜ୍ୟରେ ଭାଷା ପ୍ରତିଷ୍ଠାନ ଭଲ ଭାବରେ ଓ ଭଲ ସୌଧରେ ଚାଲିଛି । ପଶ୍ଚିମବଙ୍ଗରେ ଏଥିପାଇଁ ସେଠାକାର ସରକାର ବିସ୍ତୀର୍ଣ୍ଣ ଜାଗା ଉପରେ ବିଶ୍ୱ ବାଙ୍ଗଲା ଭବନ ନିର୍ମାଣ କରିବା ସହ ଏହା ସମ୍ମୁଖରେ ଯାଇଥିବା ରାସ୍ତାର ନାମକୁ ବିଶ୍ୱ ବାଙ୍ଗଲା ସରଣୀ ରଖିଛନ୍ତି । ଓଡିଶା ସରକାର ଓଡିଆ ଭାଷା ଉପରେ ବିଶେଷ ଗୁରୁତ୍ୱଆରୋପ କରୁଥିବାରୁ ଖୁବଶୀଘ୍ର ଅନୁରୂପ ଭାବେ ଓଡିଆ ଭାଷା ଭବନ ନିର୍ମିତ ହେବ ବୋଲି ସେମ।।ନ ଆଶା ରଖୁଛନ୍ତି । (ତଥ୍ୟ)