Home General ୧୪୫ ନିୟୁତ ଡଲାରର ବିଶ୍ୱବ୍ୟାଙ୍କ୍‍ ପ୍ରକଳ୍ପ

୧୪୫ ନିୟୁତ ଡଲାରର ବିଶ୍ୱବ୍ୟାଙ୍କ୍‍ ପ୍ରକଳ୍ପ

ଭୁବନେଶ୍ୱର : ବିଶ୍ୱବ୍ୟାଙ୍କ୍‍ ସହାୟତାରେ ରାଜ୍ୟ ସରକାର ୧୪୫ ନିୟୁତ ଡଲାର ବ୍ୟୟରେ ୫ବର୍ଷିଆ ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଏଥିପାଇଁ ବିଶ୍ୱବ୍ୟାଙ୍କ୍‍ ସହିତ ଚୂଡାନ୍ତ ରାଜିନାମା ହୋଇଛି ।

ରାଜ୍ୟ ଅର୍ଥ ବିଭାଗ ଏହି ୫ବର୍ଷିଆ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ । ଏଥିପାଇଁ ବିଶ୍ୱବ୍ୟାଙ୍କ୍‍ରୁ ୧୦୦ ନିୟୁତ ଆମେରିକୀୟ ଡଲାରର ସହାୟତା ଆଣିବେ । ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ବହନ କରିବେ । ବିଶ୍ୱରେ ଯେଉଁସବୁ ଅଗ୍ରାଧିକାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ତାହାର ଅନୁରୂପ ପ୍ରକଳ୍ପ ଏହି ଯୋଜନା ଜରିଆରେ କାର୍ଯ୍ୟକାରୀ ହେବ । ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏହା ବିପର୍ଯ୍ୟୟକୁ ମୁକାବିଲା କରିବାରେ ବିଶେଷ ସକ୍ଷମ ହୋଇଛି ।

ବିଶ୍ୱବ୍ୟାଙ୍କ୍‍ କହିଛନ୍ତି ଯେ ଓଡିଶା ଗତ ୨୦ବର୍ଷ ମଧ୍ୟରେ ଦାର୍ରିଦ୍ୟ ବିଲୋପ କ୍ଷେତ୍ରରେ ସର୍ବାଧିକ ଉଦ୍ୟମ କରିବାରେ ସଫଳ ହୋଇଛନ୍ତି । ଏ କ୍ଷେତ୍ରରେ ଏହା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ଦାରିଦ୍ର‌୍ୟ ବିଲୋପ ସହିତ ଅର୍ଥନୈତିକ ପାରଦର୍ଶିତା ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିଛି ।

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାରାହାରି ୭.୧ ପ୍ରତିଶତ ହୋଇଥିବାବେଳେ ଏହା ଦେଶର ସର୍ବୋତ୍ତମ ଅର୍ଥନୈତିକ ସୁପରିଚାଳନାର ସ୍ଥାନ ଅଧିକାର କରିଛି । ଏହାଛଡା ରାଜ୍ୟ କର୍ତ୍ତୃପକ୍ଷ ଲୋକମାନଙ୍କୁ ବୈଷୟିକ ସେବା ଯୋଗାଇବା ସଂଗେ ସଂଗେ ମାନବ ସୂଚକାଙ୍କ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛନ୍ତି । ଗତ ୨୦୦୫ ଠାରୁ ଦାରିଦ୍ର‌୍ୟ ବିଲୋପ କ୍ଷେତ୍ରରେ ଓଡିଶା ରାଜ୍ୟମାନଙ୍କ ଭିତରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଦରିଦ୍ର ଓ ସମ୍ବେଦନଶୀଳ ତାଲିକାରେ ଥିବା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାପାଇଁ ସୂଚନା ଯୋଗାଣ ଏହା ଆଧାରରେ ଯୋଜନା କାର୍ଯ୍ୟକାରୀ କରିବା ସକାଶେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାର ନାମ ଓଡିଶା ଷ୍ଟେଟ କାପାବିଲିଟି ରେସିଲିଏଣ୍ଟ ଗ୍ରୋଥ ପ୍ରୋଗ୍ରାମ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବ ସ୍ତରୀୟ ପ୍ରକଳ୍ପ କମିଟିରେ ଗତବର୍ଷ ନଭେମ୍ବରରେ ଅନୁମୋଦନ କରାଯାଇଥିଲା । ଏହାପରେ ବିଶ୍ୱବ୍ୟାଙ୍କ୍‍ ନିକଟରେ ଏହା ଉପସ୍ଥାପନ ହୋଇଥିଲା । ବର୍ତ୍ତମାନ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ସରକାରୀ ସୂତ୍ରରୁ ଜଣାଯାଇଛି । (ତଥ୍ୟ)