Home General ୧୩,୯୪୯ କୋଟିର ସଫ୍ଟୱେର ରପ୍ତାନି

୧୩,୯୪୯ କୋଟିର ସଫ୍ଟୱେର ରପ୍ତାନି

ଭୁବନେଶ୍ୱର : ଓଡିଶା ଗତ ତିନିବର୍ଷ ମଧ୍ୟରେ ୧୩,୯୪୯ କୋଟି ଟଙ୍କାର ସଫ୍ଟୱେର ରପ୍ତାନି କରିଛି । ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‍ ଇଣ୍ଡିଆ (ଏସ୍‍ଟିପିଆଇ) ଦ୍ୱାରା ପଞ୍ଜିକୃତ ସଂସ୍ଥା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍‍ଇଜେଡ୍‍) ଜରିଆରେ ଏହି ରପ୍ତାନି ହୋଇଛି ।

କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ଏବଂ ସୂଚନା ପ୍ରଯୁକ୍ତି ଭିତ୍ତିକ ସେବା (ଆଇଟିଇଏସ୍‍) ଭଳି ସେବା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ସଫ୍ଟୱେର ରପ୍ତାନିକାରୀମାନେ ଅଧିକରୁ ଅଧିକ ରପ୍ତାନି ପାଇଁ ପଦକ୍ଷେପ ନେଉଛନ୍ତି । ଏସଟିପିଆଇ ଦ୍ୱାରା ପଞ୍ଜିକୃତ ସଂସ୍ଥାମାନଙ୍କ ଜରିଆରେ ଓଡିଶାରୁ ୭୪୩୭ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୨୪୯୬.୩୩ କୋଟି ଏବଂ ୨୦୨୦-୨୧ ରେ ଏହା ୨୪୦୧.୩୨ କୋଟି ଟଙ୍କା ଥିଲା । ୨୦୨୧-୨୨ ବର୍ଷରେ ଏହା ୨୫୩୯.୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାଯାଇଛି ।

ଅନୁରୂପ ଭାବେ ବିଗତ ତିନିବର୍ଷ ମଧ୍ୟରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍‍ଇଜେଡ୍‍) ଜରିଆରେ ୬୫୧୨ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଛି । ୨୦୧୯-୨୦ ବର୍ଷରେ ଏସ୍‍ଇଜେଡ୍‍ ଜରିଆରେ ୧୭୧୮ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିବାବେଳେ ୨୦୨୦-୨୧ ରେ ଏହା ୨୧୬୪ କୋଟିକୁ ବୃଦ୍ଧି ପାଇଥିଲା ଏବଂ ୨୦୨୧-୨୨ ବର୍ଷରେ ଏହା ୩୧୭୩ କୋଟି ଟଙ୍କାରେ ପହଞ୍ଚିଥିଲା ।

କେନ୍ଦ୍ର ସରକାର ୧୨ଟି ଚିହ୍ନିତ ଚମ୍ପିଅନ ସେବା କ୍ଷେତ୍ର ଉପରେ ଫୋକସ କରି ଏହି କ୍ଷେତ୍ର ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ମଧ୍ୟରେ ଆଇଟି, ଆଇଟିଇଏସ୍‍, ପର୍ଯ୍ୟଟନ ଏବଂ ଆତିଥ୍ୟତା ସେବା, ଡାକ୍ତରୀ ସେବା, ପରିବହନ ଏବଂ ଲଜିଷ୍ଟିକ ସେବା, ନିର୍ମାଣ ଏବଂ ତଦ୍‍ଜନିତ ଯାନ୍ତ୍ରିକ ସେବା, ପରିବେଶଗତ ସେବା, ଆର୍ଥିକ ଏବଂ ଶିକ୍ଷା ସେବାକୁ ଏହି କ୍ଷେତ୍ର ପାଇଁ ନୋଡାଲ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଚିହ୍ନଟ କରିଛନ୍ତି ।

କେନ୍ଦ୍ର ସରକାର ମଧ୍ୟ ସଫ୍ଟୱେର ଟେକ୍ନୋଲୋଜି ପାର୍କ (ଏସଟିପି) ର ଶୁଭାରମ୍ଭ କରିଛନ୍ତି ଯାହା କମ୍ପ୍ୟୁଟର ସଫ୍ଟୱେର ରପ୍ତାନି ବୃଦ୍ଧି ସହିତ ବୃତ୍ତିଗତ ସେବା ରପ୍ତାନି ପାଇଁ ଶତ ପ୍ରତିଶତ ରପ୍ତାନି ଭିତ୍ତିକ ଯୋଜନା । ଏସ୍‍ଟିପିର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ସଦସ୍ୟ ସଂସ୍ଥାଗୁଡିକୁ ସିଙ୍ଗଲ ପଏଣ୍ଟ ସେବା ପ୍ରଦାନ କରିବ ଯାହା ସେମାନଙ୍କୁ ଆର୍ନ୍ତଜାତୀୟ ଅଭ୍ୟାସ ସହିତ ସମାନ ଭାବେ ରପ୍ତାନି କାର୍ଯ୍ୟ ପରିଚାଳନା ଲାଗି ସକ୍ଷମ କରିବ । (ତଥ୍ୟ)