ଭୁବନେଶ୍ୱର : ଫେବୃୟାରୀ ୧୨ତାରିଖରୁ ଆରମ୍ଭ ହେଉଛି ଇସ୍ରୋର ୩ ଦିନିଆ ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କଲି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ପ୍ରଦର୍ଶନୀ ପରିପ୍ରେକ୍ଷୀରେ କ୍ୟାପିଟାଲ ହାଇ ସ୍କୁଲ, ୟୁନିଟ୍-୩ ଠାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପ୍ରଦର୍ଶନୀ ଫେବୃୟାରୀ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ପ୍ରତ୍ୟହ ସକାଳ ୯ ରୁ ଅପରାହ୍ଣ ୫ଟା ଓ ୧୪ତାରିଖରେ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ l ୧୨ ଓ ୧୩ ତାରିଖ ଅପରାହ୍ଣ ୪ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀକୁ ସାଧାରଣ ଦର୍ଶକମାନେ ମଧ୍ୟ ଦେଖିପାରିବେ ।
ପ୍ରକାଶ ଥାଉକି , ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ l
ମହାକାଶ ଗବେଷଣାର ଇତିହାସ,ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ । ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ର ଛାତ୍ରୀ ବିଭିନ୍ନ ପର୍ଯ୍ୟାୟରେ ବୁଲି ଦେଖିବା ସହ ସମ୍ପର୍କିତ ଉପରୋକ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ l ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି l