Home Mining ୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ

୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟ ସରକାର ଆଉ ୧୧ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଖଣିଗୁଡିକ ମଧ୍ୟରେ ଲୁହାପଥର, ମାଙ୍ଗାନିଜ, ଡୋଲୋମାଇଟ ଓ ବକ୍ସାଇଟ୍‍ ଆଦି ରହିଛି ।

ଖଣି ନିଲାମ ପାଇଁ ୧୧ଟି ଖଣି ଚିହ୍ନଟ ସହିତ ଏଥିଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ହୋଇଥିବା ୭ଟି ଲୁହାପଥର ଖଣି ମଧ୍ୟରେ ନଦୀଡିହି ଲୁହାପଥର ଖଣି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି ପାହାଡ, ଢୋଲଟାପାହାଡ, ଗନ୍ଧଲପଡା ଆଦି ରହିଛି । ସେହିଭଳି ୨ଟି ଲୁହାପଥର-ମାଙ୍ଗାନିଜ ଖଣି ମଧ୍ୟରେ ନଦୀଡିହି ଲୁହାପଥର ଓ ମାଙ୍ଗାନିଜ ଏବଂ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ରହିଛି ।

ଏଥି ସହିତ କାଶିଆ ଲୁହାପଥର ଓ ଡୋଲୋମାଇଟ ବ୍ଲକ ଏବଂ କର୍ଲାପାଟ ବକ୍ସାଇଟ୍‍ ଖଣି ଅର୍ନ୍ତଭୁକ୍ତ । ତେବେ ଏହି ୧୧ଟି ଖଣି ମଧ୍ୟରୁ ୪ଟି ଖଣିର ଲିଜ ଅବଧି ସରିଥିବାବେଳେ ୭ଟି ଖଣି ସମ୍ପୂର୍ଣ୍ଣ ନୂଆ । ଲିଜ୍‍ ଅବଧି ସରିଥିବା ଖଣିଗୁଡିକ ହେଲା କାଶିଆ ଲୁହାପତର ଓ ଡୋଲୋମାଇଟ ଖଣି, ନଦୀଡିହୀ ଲୁହାପଥର ଖଣି, ନଦୀଡିହି ଲୁହାପଥର ଏବଂ ମାଙ୍ଗାନିଜ ଖଣି ଏବଂ ତେହେରୀ ଲୁହାପଥର ଓ ମାଙ୍ଗାନିଜ ଖଣି ।

ଏହି ସମସ୍ତ ୧୧ଟି ଖଣି ପାଇଁ ଅନ୍‍ଲାଇନ୍‍ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଉପଯୁକ୍ତ ଆବେଦନକାରୀମାନଙ୍କୁ ୱେବସାଇଟ୍‍ରେ ପଞ୍ଜିକରଣ କରିବାକୁ କୁହାଯାଇଛି । ସଫଳତାର ସହି ପଞ୍ଜିକୃତ ହେଲାପରେ ସେମାନଙ୍କୁ ଲଗଇନ୍‍ ଆଇଡି ଓ ପାସ୍‍ୱାର୍ଡ ମିଳିବ ଯେଉଁଥିରେ ସେମାନେ ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏମ୍‍ଏସ୍‍ଟିସି ୱେବସାଇଟ୍‍ରେ ମଡେଲ ଟେଣ୍ଡର କାଗଜପତ୍ର ମଧ୍ୟ ମାଗଣାରେ ଉପଲବ୍ଧ କରାଯାଇଛି ।

ଟେଣ୍ଡର ଫି ଦାଖ ପରେ ଅଗଷ୍ଟ ୧୯ତାରିଖ ସୁଦ୍ଧା ଟେଣ୍ଡର କାଗଜପତ୍ର ଖରିଦ ପାଇଁ କୁହାଯାଇଛି ଏବଂ ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୪ତାରିଖୁ ଧାର୍ଯ୍ୟ ହୋଇଛି । ପ୍ରତ୍ୟେକ ଖଣି ପାଇଁ ଟେଣ୍ଡର କାଗଜର ଦର ୫ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଯେଉଁ ବିଡରମାନେ ୨୦୧୯ ଅକ୍ଟୋବର ୧୮ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥିରିପୋଷି, ଧୋଲତାପୁର, ନେତ୍ରବନ୍ଧ ପାହାଡ ଏବଂ ଗନ୍ଧଲପଡା ଲୁହାପଥର ଖଣି ପାଇଁ ଟେଣ୍ଡର ପେପର ଖରିଦ କରିଥିଲେ ସେମାନେ ଏବେ ବିନା ଦେୟରେ ସେହିସବୁ ଖଣି ପାଇଁ ଟେଣ୍ଡର ପକାଇ ପାରିବେ ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ରାଜ୍ୟର ୨୪ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ହୋଇଥିବାବେଳେ ରାଜ୍ୟ ସରକାର ତାହାକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ । ଏଥି ମଧ୍ୟରୁ ୧୯ଟି ଖଣି ଲିଜଧାରୀମାନଙ୍କ ହାତକୁ ଯାଇଛି । ଏହାବାଦ୍‍ ରାଜ୍ୟ ସରକାର ବର୍ତ୍ତମାନ ଆଉ ୧୧ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି । (ତଥ୍ୟ)