ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୧ହଜାର କୋଟି ଟଙ୍କାର ଋଣ ବୁଡିବା ଆଶଙ୍କା ଉପୁଜିଛି । ଏଥିନେଇ ବ୍ୟବସାୟିକ ବ୍ୟାଙ୍କ୍ମାନେ ଉଦ୍ବିଗ୍ନ ।
କରୋନା ମହାମାରୀ ସମୟରେ ଋଣ ନେଇ ପରିଶୋଧ କରୁନଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଉଦାହରଣ ସ୍ୱରୂପ ୨୦୨୦ ଡିସେମ୍ବର ୩୧ରେ ରାଜ୍ୟରେ ନନ୍ ପରଫରମିଂ ଆସେଟ (ଏନ୍ପିଏ)ର ପରିମାଣ ୧୦,୧୯୯.୭୭ କୋଟି ଟଙ୍କା ଥିବାବେଳେ ୩୧ମାର୍ଚ୍ଚ ୨୦୨୧ ବେଳକୁ ଏହା ୧୧,୩୩୯.୩୭ କୋଟି ଟଙ୍କାରେ ପହଞ୍ଚିଗଲା । ତେଣୁ ମାତ୍ର ୩ମାସ ମଧ୍ୟରେ ହଜାରେ କୋଟିରୁ ଉର୍ଦ୍ଧ୍ୱ ଋଣ ଏନ୍ପିଏ ହୋଇଯିବା ଯୋଗୁଁ ଏହା ବ୍ୟାଙ୍କ୍ମାନଙ୍କ ପାଇଁ ଉଦବେଗର ବିଷୟ ହୋଇଛି ।
ପ୍ରତି ତିନିମାସରେ ଥରେ ଏନ୍ପିଏର ହିସାବ ବ୍ୟାଙ୍କ୍ମାନଙ୍କ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଙ୍କ୍ ସମନ୍ୱୟ ସମିତି ବୈଠକରେ କରାଯାଇଥାଏ । ଦେଖାଯାଉଛି ଯେ ୨୦୨୦-୨୧ରେ ଏନ୍ପିଏର ପରିମାଣ ଉଦ୍ବେଗଜନକ ଭାବରେ ବଢିବାରେ ଲାଗିଛି । ରାଜ୍ୟରେ ଯେତିକି ଋଣ ଦିଆଯାଉଛି ତାହାର ୬ ପ୍ରତିଶତରୁ ଅଧିକ ଏନ୍ପିଏ ହେଲାଣି ।
ସମୀକ୍ଷାରୁ ଜଣାଯାଏ ଯେ ୨୦୧୯, ୩୧ ମାର୍ଚ୍ଚ ବେଳକୁ ଏନ୍ପିଏର ପରିମାଣ ୬.୪୯ ପ୍ରତିଶତ ଥିବାବେଳେ ୨୦୨୦, ମାର୍ଚ୍ଚ ୩୧ ତାରିଖ ବେଳକୁ ଏହା ୬.୭୬ ପ୍ରତିଶତକୁ ବଢି ଯାଇଥିଲା । ଏନ୍ପିଏ ବଢିବାରୁ ଋଣ ବୁଡିବାର ଆଶଙ୍କା ଉପୁଜିଥିବା ଯୋଗୁଁ ବ୍ୟବସାୟିକ ବ୍ୟାଙ୍କ୍ମାନେ ଋଣଦେବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।
ସମୀକ୍ଷାରୁ ଜଣାପଡିଛି ଯେ କୃଷିଋଣ କ୍ଷେତ୍ରରେ ଏନ୍ପିଏ ସବୁଠାରୁ ଅଧିକ । ଏହା ୧୪ ପ୍ରତିଶତରୁ ଅଧିକ ଥିବାବେଳେ ଶିକ୍ଷା ପାଇଁ ଦିଆଯାଇଥିବା ଋଣର ୧୧ ପ୍ରତିଶତ ଏନ୍ପିଏ । ସେହିଭଳି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଏନ୍ପିଏର ପରିମାଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ୨ବର୍ଷ ତଳେ ଏହା ୭.୬୩ ପ୍ରତିଶତ ଥିବାବେଳେ ୨୦୨୧ ମାର୍ଚ୍ଚ ଶେଷ ବେଳକୁ ତାହା ପ୍ରାୟ ୯ ପ୍ରତିଶତରେ ପହଞ୍ଚିଥିଲା ।
ଅଗ୍ରାଧିକାର କ୍ଷେତ୍ରରେ ଦିଆଯାଉଥିବା ଋଣରୁ ଅଧିକ ଅଧିକ ଭାବରେ ଏନ୍ପିଏ ହେଉଛି । ବ୍ୟବସାୟିକ ବ୍ୟାଙ୍କ୍ମାନଙ୍କ ପକ୍ଷରୁ ଏଥିପାଇଁ ସମ୍ପତ୍ତି କୋରଖ କରିବା ସକାଶେ ଉଦ୍ୟମ କଲାବେଳେ ଏ କ୍ଷେତ୍ରରେ ପ୍ରଶାସନିକ ସହଯୋଗ ମିଳୁନାହିଁ ବୋଲି ଅଭିଯୋଗ ହେଉଛି । ସମ୍ପତ୍ତି କୋରଖ କରିବାପାଇଁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ପଡିଥାଏ । ସମୀକ୍ଷାରୁ ଜଣାପଡିଛି ଯେ ୫୦୦ରୁ ଅଧିକ ଆବେଦନପତ୍ର ଜିଲ୍ଲାପାଳଙ୍କ ନିକଟରେ ପଡିରହିଛି ।
ଏହି ପ୍ରସଙ୍ଗ ରାଜ୍ୟ ସ୍ତରୀୟ ବ୍ୟାଙ୍କ ସମନ୍ୱୟ ସମିତି ବୈଠକରେ ଉତଥାପନ କରାଯାଇ ବୁଡି ଯାଉଥିବା ଋଣ ଯୋଗୁଁ ବ୍ୟବସାୟିକ ବ୍ୟାଙ୍କ୍ମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ କରାଯିବା ସଂଗେ ସଂଗେ ଏହାର ନିରାକରଣ ପାଇଁ ମିଳିତ ପଦକ୍ଷେପ ନେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଏ । (ତଥ୍ୟ)