Home General ୧୧ବର୍ଷ ଧରି ଶିଳାନ୍ୟାସରେ ଫୁଟ୍‍ ଓଭରବ୍ରିଜ୍‍

୧୧ବର୍ଷ ଧରି ଶିଳାନ୍ୟାସରେ ଫୁଟ୍‍ ଓଭରବ୍ରିଜ୍‍

ଭୁବନେଶ୍ୱର : ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ୧୧ବର୍ଷ ତଳେ ୧୨ଜଣ ଓଜନଦାର ନେତା ସମ୍ମିଳିତ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଯାବତ୍‍ ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଥିଘେନି ଛାତ୍ରୀମାନଙ୍କ ପକ୍ଷରୁ ବାରମ୍ବାର ଆପତ୍ତି ଉଠାଯିବା ସହ ପଦାଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ୫-ଟି କର୍ତ୍ତୃପକ୍ଷଙ୍କ ନଜରକୁ ଏହା ଆଣିବା ଲାଗି ତତ୍ପରତା ପ୍ରକାଶ ପାଇଛି ।

୨୦୧୧ ମସିହା ଅଗଷ୍ଟ ୩୦ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ରମା ଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା ।

ଇତିମଧ୍ୟରେ ୨୦୧୫ ମସିହାରୁ ଏଠାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେଉଛି । ବିଶ୍ୱବିଦ୍ୟାଳୟ ସହିତ ଏହି ଅନୁଷ୍ଠାନରେ ଯୁକ୍ତଦୁଇ, ଯୁକ୍ତତିନି ଓ ସ୍ନାତକୋତ୍ତର ପାଠ୍ୟକ୍ରମ ମଧ୍ୟ ଚାଲୁଛି । ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଏଠାରେ ସ୍ଥାପିତ ହେବା ପରେ ଏହା ସହିତ ଅନୁବନ୍ଧିତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକର ଅଧ୍ୟାପକ / ଅଧ୍ୟାପିକା ଓ କର୍ମଚାରୀମାନେ ଏହି ବିଶ୍ୱବିଦ୍ୟାଳୟକୁ ପ୍ରାୟ ପ୍ରତିଦିନ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଛନ୍ତି ।

ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଚଉଡା ଚାରିଥାକିଆ ରାସ୍ତା ଯାଇଛି । ଏହି ରାସ୍ତାରେ ଅନବରତ ଗାଡିମୋଟର ଦ୍ରୁତ ବେଗରେ ଚଳାଚଳ କରୁଥିବାରୁ ଛାତ୍ରୀ, ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକମାନେ ରାସ୍ତା ପାର ହୋଇ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଓ ଫେରିବା ସମୟରେ ଅନେକ କ୍ଷେତ୍ରରେ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ପ୍ରାୟ ୨୫ବର୍ଷ ହେବ ଫୁଟ୍‍ ଓଭରବ୍ରିଜ ନିର୍ମାଣ ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଛି ।

ସମସ୍ୟାର ଗମ୍ଭୀରତା ହୃଦୟଙ୍ଗମ କରିବା ସହ ବୈଷୟିକ ଅନୁଧ୍ୟାନ ପରେ ଏହି ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକ ଓ ରାସ୍ତାର ଅନ୍ୟପଟରେ ଥିବା ସ୍ୱପ୍ନପୁରୀ ହୋଟେଲ ମଝିରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ସ୍ଥାନ ନିରୂପିତ ହୋଇଥିଲା ଏବଂ ତଦନୁଯାୟୀ ୨୦୧୧ ବର୍ଷର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଶିଳାନ୍ୟାସ ମଧ୍ୟ କରାଯାଇଥିଲା । ଶିଳାନ୍ୟାସ ହୋଇଥିବା ଫଳକଟି ଜରାଜୀର୍ଣ୍ଣ ଅବସ୍ଥାରେ ଏବେ ରାସ୍ତା ମଝିରେ ରହିଛି ।

୧୧ବର୍ଷ ତଳେ ଏଠାରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକ ସ୍ଥାପନ ସହ ଭାଷଣବାଜି ବ୍ୟତୀତ ଆଉ କିଛି କାମ ଆରମ୍ଭ ହୋଇନାହିଁ । ଏହି ଫଳକରେ ଥିବା ସୂଚନାରୁ ଜଣାପଡେ ଯେ ୩୦.୦୮.୨୦୧୧ ତାରିଖରେ ଏଠାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ସେତେବେଳର ୫ଜଣ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶାରଦା ପ୍ରସାଦ ନାୟକ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୀବ ସାହୁଙ୍କ ନାମ ରହିଛି ।

ଏହାଛଡା ଏଥିରେ ସେତେବେଳର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତନାରାୟଣ ଜେନା, ଡେପୁଟି ମେୟର ଭାରତୀ ସିଂହ, ୱାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନୃପେଶ କୁମାର ନାୟକ ଏବଂ କର୍ପୋରେଟର ଉମାନାଥ ମିଶ୍ର ଓ ସଂଯୁକ୍ତାମୟୀ ଜେନାଙ୍କ ନାମ ରହିଛି ।

ତିନିମାସ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁଇଟି ଫୁଟ୍‍ ଓଭରବ୍ରିଜ ନିର୍ମିତ ହୋଇଥିବା ବେଳେ ଏହା ପୂର୍ବରୁ ଜୟଦେବ ବିହାରର ପାଲହାଇଟ୍‍ ସମ୍ମୁଖରେ ଅଳ୍ପ ସମୟ ଭିତରେ ଅନ୍ୟ ଏକ ଫୁଟ୍‍ ଓଭରବ୍ରିଜ୍‍ ମଧ୍ୟ ନିର୍ମାଣ କରାଯାଇଥିଲା । ଏହି ୩ଟି ଫୁଟ୍‍ ଓଭରବ୍ରିଜ୍‍କୁ ଖୁବ୍‍ କମ୍‍ ଲୋକ ବ୍ୟବହାର କରୁଥିବା ବେଳେ ହଜାର ହଜାର ଛାତ୍ରୀ, ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକମାନଙ୍କ କାମରେ ଆସିବାକୁ ଥିବା ରମା ଦେବୀ ଫୁଟ୍‍ ଓଭରବ୍ରିଜ୍‍ ୧୧ବର୍ଷ ଧରି କେବଳ ଶିଳାନ୍ୟାସ ଫଳକରେ କାହିଁକି ସୀମିତ ରହିଛି ସେଥିଘେନି ବହୁ ଛାତ୍ରୀ ପ୍ରଶ୍ନ ଉଠାଉଛନ୍ତି । (ତଥ୍ୟ)