Home Education ୧୦ ବର୍ଷରେ ୩ ରାଗିଂ

୧୦ ବର୍ଷରେ ୩ ରାଗିଂ

ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟର ମହାବିଦ୍ୟାଳୟଗୁଡିକରେ ମାତ୍ର ୩ଟି ରାଗିଂ ଘଟଣା ନଜରକୁ ଆସିଛି । ଏହି ୩ଟି ଘଟଣାରେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଟି ଘଟଣା ଆପୋଷ ଆଲୋଚନା ମଧ୍ୟରେ ସମାଧାନ ହୋଇଛି ।

ବିଜେପି ବିଧାୟକ ଭାସ୍କର ମଡେଇଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୦ ବର୍ଷ ମଧ୍ୟରେ ଯେଉଁ ୩ଟି ର‌୍ୟାଗିଂ ଘଟଣା ଘଟିଛି ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ବିଜେବି କଲେଜ, ପୁରୀର ଏସସିଏସ୍‍ କଲେଜ ଓ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ହୋଇଛି ।

ବିଜେବି କଲେଜରେ ଚଳିତବର୍ଷ ଜୁଲାଇ ୨ ତାରିଖରେ ଘଟିଥିବା ଘଟଣାରେ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି । ତାହା ରାଗିଂ ଯୋଗୁଁ ବା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି । ପୁରୀରେ ଘଟିଥିବା ୧୦ ବର୍ଷରେ ୩ ରାଗିଂ ଘଟଣାରେ କଲେଜ ହଷ୍ଟେଲ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ମାମଲାର ସମାଧାନ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଇଛି । ସେହିଭଳି ଶୈଳବାଳା ମହିଳା ମହାବିଦ୍ୟାଳୟର ହଷ୍ଟେଲ ପକ୍ଷରୁ ମଧ୍ୟ ର‌୍ୟାଗିଂ ନେଇ ଗୋଟିଏ ମାମଲା ରୁଜୁ ହୋଇଥିଲା ଏବଂ ଏହି ଘଟଣାକୁ ମହାବିଦ୍ୟାଳୟ ଭିତରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ହୋଇଯାଇଛି ।

ରାଗିଂ ନିରାକରଣ ପାଇଁ ସରକାର ପ୍ରତି କଲେଜରେ ଆଣ୍ଟି ର‌୍ୟାଗିଂ କମିଟି ଗଠନ କରିଛନ୍ତି ଏବଂ ଏହାଦ୍ୱାରା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ରାଗିଂର ପ୍ରତିହତ ପାଇଁ ନାମଲେଖା ସମୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ରାଗିଂ ସମ୍ବନ୍ଧୀୟ ସତ୍ୟପାଠ ନିଆଯାଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)